ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମିଶନ ଶକ୍ତି ଦେଲା ପରିଚୟ: ଖୁସି ଆଣି ଦେଲା ‘ମିଠା’, ବିଣାପାଣୀଙ୍କ ଉଦ୍ୟମରେ ୧୩ ମହିଳା ସ୍ୱାବଲମ୍ବୀ

ନୟାଗଡ଼: ଅନ୍ୟ ଉପରେ ନିର୍ଭର କରି ନୁହେଁ, ନିଜେ ପରିଶ୍ରମ କରି ସ୍ୱାବଲମ୍ବୀ ହେବାର ସ୍ୱପ୍ନ ଦେଖି ୧୩ ଜଣ ମହିଳା ସଫଳ ହୋଇଛନ୍ତି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ମଗରବନ୍ଧ ଗ୍ରାମର ବିଣାପାଣୀ ପାତ୍ର ଘରର ଆର୍ଥୀକ ସ୍ଥିତି ଭଲ ନ ଥିବାରୁ ସ୍ୱାମୀ ଗିରିଧାରୀ ପାତ୍ରଙ୍କ ସହଯୋଗରେ ପ୍ରଥମେ ଛେନାପୋଡ଼ ବ୍ୟବସାୟ ଆରମ୍ଭ କରିଥିଲେ । ଗାଁରୁ କ୍ଷୀର କିଣି ଛେନା ପ୍ରସ୍ତୁତ କରିବା ସହ ଛେନାପୋଡ଼ ନିର୍ମାଣ କରୁଥିଲେ । ତାହାକୁ ସ୍ଥାନୀୟ ବଜାର ଏବଂ ଗାଁରେ ବିକ୍ରି କରୁଥିଲେ । ବ୍ୟବସାୟ ଭଲ ହେବା ପରେ ସେ ଏହାକୁ ବ୍ୟାପକ କରିବାକୁ ଚିନ୍ତା କଲେ । ଗାଁର ୧୩ ଜଣ ମହିଳାଙ୍କୁ ନେଇ ୨୦୧୦ ମସିହା ମେ ୨୭ ତାରିଖର ମା’ଦକ୍ଷିଣକାଳୀ ସ୍ୱୟଂ ସହାୟିକା ଗୋଷ୍ଠୀ ନିର୍ମାଣ କଲେ । ଏହି ସ୍ୱୟଂ ସହାୟିକା ଗୋଷ୍ଠିରେ ଝୁନା ଡାକୁଆ ସଭାପତି ରହିଥିବା ବେଳେ ବିଣାପାଣୀ ସଂମ୍ପାଦିକା ଥିବା ଜଣାଯାଇଛି । ମହାସଂଘ ସହାୟତାରେ ଋଣ ଆଣି ବ୍ୟବସାୟ ବଢ଼ାଇବା ପାଇଁ ଚିନ୍ତା କଲେ ।

ଜୀବିକା ମିଶନର ଏମବିକେଙ୍କ ସହାୟତାରେ ୫୦ ହଜାର ଟଙ୍କା ଋଣ ଆଣି ପ୍ରଥମେ ବ୍ୟବସାୟ ବୃଦ୍ଧି କରିବାକୁ ଚେଷ୍ଟା କଲେ । ସେହି ଟଙ୍କାରେ ଗୋପାଳଙ୍କଠାରୁ କ୍ଷୀର ଆଣି ଛେନା ତିଆରି କଲେ । ଏଥିସହିତ ମିଠା ପ୍ରସ୍ତୁତ ପାଇଁ ଅନ୍ୟାନ ଗ୍ରୋସରୀ ସାମଗ୍ରୀ କିଣିଲେ । ବିଭିନ୍ନ ପ୍ରକାରର ମିଠା ପ୍ରସ୍ତୁତି କରି ବ୍ୟବସାୟକୁ ବୃଦ୍ଧି କରିଥିଲେ । ପ୍ରଥମେ ଛେନାପୋଡ଼ ପ୍ରସ୍ତୁତ କରୁଥିବା ଏହି ସ୍ୱୟଂ ସହାୟକ ଗୋଷ୍ଠୀ ଏବେ ଛେନାଗଜା, ପନିରି, ଗୋଲାପ ଜାମୁ, କାଲାଜାମୁ ପ୍ରଭୃତି ମିଠା ପ୍ରସ୍ତୁତ କରୁଥିବା ଜଣାଯାଇଛି । ଧିରେ ଧିରେ ବ୍ୟବସାୟ ବଢ଼ିବା ପରେ ବ୍ୟାଙ୍କ ମିତ୍ରଙ୍କ ସହାୟତାରେ ଆଉ ୨ ଲକ୍ଷ ରଣ ନେଇ ମିଠା ପ୍ରସ୍ତୁତ ସରଞ୍ଜାମ କିଣିଥିବା କହିଛନ୍ତି । ଅଧିକ ମିଠା ତିଆରି କରି ଜିଲ୍ଲା ଭିତରେ, ଜିଲ୍ଲା ବାହାରକୁ ସେମାନେ ପଠାଉଥିବା ଜଣାଯାଇଛି । ବିଣାପାଣୀଙ୍କ ଘରେ ଏହି ସ୍ୱୟଂ ସହାୟିକା ଗୋଷ୍ଠୀ ପ୍ରତ୍ୟେକ ଦିନ ମିଠା ପ୍ରସ୍ତୁତ କରିଥାନ୍ତି । ମିଠା ପାଇଁ ଆଖପାଖ ଦୋକାନରୁ ଆରମ୍ଭ କରି ବାହାର ବ୍ୟବସାୟୀମାନେ ଆଗୁଆ ଅର୍ଡର ଦେଇଥାନ୍ତି । ଏଥିସହିତ ଗ୍ରାମାଞ୍ଚଳର ଲୋକମାନେ ମଧ୍ୟ ଭାର ନେବା ପାଇଁ ମିଠା ଅର୍ଡର ଦେଉଥିବା ଜଣାଯାଇଛି । ପ୍ରତ୍ୟେକ ଦିନ ୩୦ରୁ ୫୦ କେଜି ଛେନା ମିଠା ଏବଂ ୩୦ରୁ ୪୦ କେଜି ଛେନାପୋଡ଼ ପ୍ରସ୍ତୁତ କରାଯାଉଥିବା ବିଣାପାଣୀ ସୂଚନା ଦେଉଛନ୍ତି । ଦୁଇ ମାସ ହେବ କରୋନା ପାଇଁ ବ୍ୟବସାୟ ମାନ୍ଦା ରହିଥିବା ବେଳେ ଏବେ ପୁଣି ପୂର୍ବବତ ଚାଲିବ ବୋଲି କହିଛନ୍ତି । ଏହା ବାଦ ବ୍ୟାଙ୍କ ଏବଂ ଜୀବିକା ମିଶନ ମାଧ୍ୟମରେ ସେମାନେ ଆହୁରି ଅନେକ ସହାୟତା ପାଇବା ସହ ବ୍ୟବସାୟ ବୃଦ୍ଧି କରିଥିବା ଜଣାଯାଇଛି ।

ପ୍ରତ୍ୟେକ ମାସରେ ମା ଦକ୍ଷିଣକାଳୀ ସ୍ୱୟଂ ସହାୟିକା ଗୋଷ୍ଠୀ ୩୦ରୁ ୪୦ ହଜାର ଟଙ୍କା ଆର୍ଥୀକ ଲାଭ କରୁଛି । ପରିଶ୍ରମ ଅନୁସାରେ ସେମାନେ ଲାଭାଂଶକୁ କିଛି କିଛି ବାଣ୍ଟିବା ସହ ବ୍ୟାଙ୍କରୁ ଆଣିଥିବା ଋଣ ମଧ୍ୟ ପରିଶୋଧ କରୁଛନ୍ତି । ୧୩ ଜଣ ମହିଳା ଏବେ ଆର୍ଥୀକ ସ୍ୱଚ୍ଛଳ ହେଉଥିବା ବେଳେ ମିଶନ ଶକ୍ତି ବିଭାଗ ଏବଂ ଏହାର କର୍ମଚାରୀଙ୍କୁ ମହିଳାମାନେ ଧନ୍ୟବାଦ ଦେଇଛନ୍ତି । ବିପିଏମ୍ ଆରତୀ ମହାପାତ୍ର ବିଭିନ୍ନ ସମୟରେ ଆସି ମହିଳାଙ୍କ କାର୍ୟ୍ୟ ତଦାରଖ କରିବା ସହ ମନୋବଳ ବୃଦ୍ଧି କରାଇଥିବା ବିଣାପାଣୀ କହିଛନ୍ତି । ଏହା ବାଦ ବିଣାପାଣି ନିଜ ସ୍ୱାମୀ ଏବଂ ପୁଅକୁ ନେଇ ନିଜେ ମଧ୍ୟ ନିଜସ୍ୱ ମିଠା ବ୍ୟବସାୟ କରୁଥିବା କହିଛନ୍ତି । ପରିବାର ପୂର୍ବବତ କରୁଥିବା ମିଠା ବ୍ୟବସାୟ ଚାଲିବା ସହ ସ୍ୱୟଂ ସହାୟିକା ଗୋଷ୍ଠୀ ବ୍ୟବସାୟକୁ ସମାନ ଭାବେ ସେ ଅଗ୍ରାଧିକାର ଦିଅନ୍ତି । ସହଯୋଗ ମିଳିଲେ ସ୍ୱୟଂ ସହାୟିକା ଗୋଷ୍ଠୀ ଆଗକୁ ଆହୁରି ବ୍ୟବସାୟ ବୃଦ୍ଧି କରିବ ବୋଲି ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.