ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରତିଷ୍ଠା ହେବ ୫୦୦ଟି ମିଶନ ଶକ୍ତି ବଜାର, ଏସଏଚଜି ମହିଳାଙ୍କୁ ଉଦ୍ୟୋଗୀରେ ପରିଣତ କରିବା ମିଶନ ଶକ୍ତିର ଲକ୍ଷ୍ୟ

ଭୁବନେଶ୍ବର : ମିଶନ ଶକ୍ତି ଓଡ଼ିଶାର ୭୦ ଲକ୍ଷରୁ ଅଧିକ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି । ଏଥି ନିମନ୍ତେ ମହିଳାମାନଙ୍କୁ ୬ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀରେ ସଂଗଠିତ କରି ରୋଜଗାରଭିତ୍ତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ସରକାରୀ ଯୋଜନାରେ ସଂପୃକ୍ତ କରାଇ ସଶକ୍ତ କରାଯାଉଛି । ନିରନ୍ତର ଆର୍ଥିର୍କ ସହାୟତା, ଦକ୍ଷତା ବିକାଶ ତାଲିମ ଏବଂ ନୂତନ ଜୀବିକାର ରାହା ଦେଖାଇ ରାଜ୍ୟ ସରକାର ପ୍ରତ୍ୟେକ ମହିଳାଙ୍କ ମନରେ ଆତ୍ମବିଶ୍ୱାସ ଏବଂ ଗର୍ବର ଭାବନା ସୃଷ୍ଟି କରିଛନ୍ତି ବୋଲି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍‌ କହିଛନ୍ତି ।

ଆଜି ପୂର୍ବାହ୍ନରେ ଗୀତ ଗୋବିନ୍ଦ ସଦନଠାରେ ମିଶନ ଶକ୍ତି ବିଭାଗ ଦ୍ୱାରା ଆଗତ ୨୦୨୩-୨୪ ମସିହା ବଜେଟ ମୁଖ୍ୟାଂଶ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ କହିଛନ୍ତି ଯେ ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ମିଶନ ଶକ୍ତି ବିଭାଗ ପାଇଁ ୨,୫୫୪ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିଛନ୍ତି, ଯାହା ଗତ ବର୍ଷର ବଜେଟ ତୁଳନାରେ ୨୭ ପ୍ରତିଶତ ଅଧିକ ।

ଗତିଶୀଳତା ହେଉଛି ସଶକ୍ତିକରଣ ବୋଲି ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ କହିଛନ୍ତି ଯେ ମିଶନ ଶକ୍ତି ସ୍କୁଟର ଯୋଜନାରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ଏବଂ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟାଙ୍କ ପାଇଁ ବୈଦ୍ୟୁତିକ ସ୍କୁଟର ନିମନ୍ତେ ସହାୟତା ଯୋଗାଇ ଦିଆଯିବ। ଏହି ଯୋଜନା ଅଧିନରେ ଇଲେକ୍‌ଟ୍ରିକ୍‌ ସ୍କୁଟର କ୍ରୟ ପାଇଁ ଦିଆଯାଉଥିବା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସଂପୂର୍ଣ୍ଣ ସୁଧ ରିହାତି ପ୍ରସ୍ତାବ ଦିଆଯାଇଛି । ଏଥି ପାଇଁ ୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି ।

ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ ପୁଣି କହିଛନ୍ତି ଯେ ମିଶନ ଶକ୍ତି ବିଭାଗ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଉଦ୍ୟୋଗୀରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି । ଏଥି ପାଇଁ ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ଇଣ୍ଡଷ୍ଟ୍ରିଆଲ୍‌ ପାର୍କ ପ୍ରତିଷ୍ଠା କରିବା ପାଇଁ ଅନୁମୋଦନ କରିଛନ୍ତି । ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ପାଇଁ ୧୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଉଦ୍ୟୋଗୀରେ ରୂପାନ୍ତରଣ କରିବା ଦିଗରେ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ବିନା ସୁଧରେ ମିଶନ ଶକ୍ତି ଋଣକୁ ୩ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୧୦ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଯୋଗାଇ ଦେବା ପାଇଁ ୨୨୦ କୋଟି ଟଙ୍କାର ସୁଧ ଫେରସ୍ତ ବ୍ୟବସ୍ଥା କରାଯାଇଛି । ମା’ମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ସୁଧରିହାତି ଫେରସ୍ତ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍‌ କହିଛନ୍ତି ।

ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍‌ କହିଛନ୍ତି ଯେ ସ୍ୱୟଂ ସହୟକ ଗୋଷ୍ଠୀମାନଙ୍କୁ ଉଦ୍ୟୋଗୀରେ ପରିଣତ କରିବା ପାଇଁ ତାଲିମ, ଜୀବନଜୀବିକା ଓ ଦକ୍ଷତା ବିକାଶ ଉପରେ ମିଶନ ଶକ୍ତି ବିଭାଗ ଦ୍ୱାରା ଗୁରୁତ୍ୱ ଦିଆଯାଉଛି । ବ୍ଲକ୍‌ ସ୍ତରରେ କୃଷି ପ୍ରକ୍ରିୟାକରଣ, ବିୟୁଟି, ଡିଜିଟାଲ ଓ ବିଜିନେସ୍‌ ମ୍ୟାନେଜ୍‌ମେଣ୍ଟ, ଫ୍ୟାସନ୍‌ ଡିଜାଇନିଂ, କାଫେ ଏବଂ ଖାଦ୍ୟ ପ୍ରସ୍ତୁତି ଇତ୍ୟାଦି ଉପରେ ତାଲିମ ପାଇଁ ୭୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ସାରା ରାଜ୍ୟରେ ୫୦୦ଟି ମିଶନ ଶକ୍ତି ବଜାର ପ୍ରତିଷ୍ଠା କରାଯିବ । ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୧୦ ହଜାର କୋଟି ଟଙ୍କା ମୂଲ୍ୟର ସରକାରୀ ବ୍ୟବସାୟ ଯୋଗାଇବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଏଥି ପାଇଁ ୩୭୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ଶ୍ରୀମତୀ କାର୍ତ୍ତିକେୟନ୍‌ କହିଛନ୍ତି ।

ଶ୍ରୀମତୀ କାର୍ତ୍ତିକେୟନ୍‌ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ କହିଛନ୍ତି ଯେ ୩୦ ଗୋଟି ଜିଲ୍ଲାସ୍ତରୀୟ ମିଶନ ଶକ୍ତି ମହାସଂଘକୁ ୧ କୋଟି ଟଙ୍କା ଲେଖାଏଁ ଆବର୍ତ୍ତନ ପାଣ୍ଠି ପ୍ରଦାନ ବ୍ୟବସ୍ଥା କରାଯାଇଛି । ୩୩୮ ଗୋଟି ବ୍ଲକ୍‌ସ୍ତରୀୟ ମହାସଂଘକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଆବର୍ତ୍ତନ ପାଣ୍ଠି ପ୍ରଦାନ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ୍‌ସ୍ତରୀୟ ମହାସଂଘର ଦୈନନ୍ଦିନ କାର୍ଯ୍ୟ ପରିଚାଳନା ପାଇଁ ଆର୍ଥିକ ସହାୟତାର ବ୍ୟବସ୍ଥା କରାଯାଇଛି । ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ କାର୍ଯ୍ୟାଳୟ ନିମନ୍ତେ ଭିତ୍ତିଭୂମିର ବ୍ୟବସ୍ଥା କରାଯାଇଛି ।

ବ୍ଲକ୍‌ ଓ ପଞ୍ଚାୟତ ସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟାଙ୍କ ପାଇଁ ବୈଠକ ଓ ଗସ୍ତ ଭତ୍ତାର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହି ସବୁ ବ୍ୟବସ୍ଥା ନିମନ୍ତେ ବାର୍ଷିକ ୨୬୬.୫୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ଶ୍ରୀମତୀ କାର୍ତ୍ତିିକେୟନ୍‌ ପ୍ରକାଶ କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ନିୟମିତ ବୈଠକ ଓ ତାଲିମ ସହିତ ସ୍ୱୟଂ ସହାୟକ ଗୋଷ୍ଠୀ ସାମ୍ରଗୀର ବିକ୍ରି ବ୍ୟବସ୍ଥା ନିମନ୍ତେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଏବଂ ୱାର୍ଡରେ ମିଶନ ଶକ୍ତି ଗୃହ ଏବଂ ବ୍ଲକ୍‌ ଓ ଜିଲ୍ଲାସ୍ତରରେ ମିଶନ ଶକ୍ତି ଭବନ ନିର୍ମାଣ କରାଯାଉଛି । ସେହିଭଳି ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ପାଇଁ କାର୍ୟ୍ୟାଳୟ ସହିତ ମାର୍କେଟ କମ୍ପ୍ଲେକ୍ସ ବ୍ୟବସ୍ଥା କରାଯାଇଛି । ଏଥି ନିମନ୍ତେ ୩୨୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ଶ୍ରୀମତୀ କାର୍ତ୍ତିକେୟନ୍‌ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଙ୍କୁ ଦିଆଯିବ ଡ୍ରାଇଭିଂ ଟ୍ରେନିଂ

ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଙ୍କୁ ଦିଆଯିବ ଡ୍ରାଇଭିଂ ଟ୍ରେନିଂ ଜ୍ଝ ପ୍ରତି ଜିଲ୍ଲାରେ ଏସଏଚଜି ମହିଳାଙ୍କୁ ଦିଆଯିବ ଡ୍ରାଇଭିଂ ଟ୍ରେନିଂ। ରାଜ୍ୟ ସରକାର କିଛି ଏଭଳି ନିଷ୍ପତ୍ତି ନେଇଛନ୍ତି ଜ୍ଝ ମିଶନ ଶକ୍ତି ସଚିବ ସୁଜାତା ଆର୍ କାର୍ତ୍ତିକେୟନ ସୂଚନା ଦେଇ କହିଛନ୍ତି ଯେ ଏବର୍ଷ ଜଙ୍ଗଲ ଓ ପରିବେଶ, ଗଣଶିକ୍ଷା ବିଭାଗ ସହ ସହଭାଗିତା କରିବ ମିଶନ ଶକ୍ତି । ଜଙ୍ଗଲ ନିଆଁ ନେଇ ସଚେତନତା ସୃଷ୍ଟି ସହ ନର୍ସରୀ କାମ ପାଇବେ ମିଶନ ଶକ୍ତି ମହିଳା । ସମସ୍ତ ୫-ଟି ସ୍କୁଲ ଓ କସ୍ତୁରବା ଗାନ୍ଧୀ ସ୍କୁଲର ମେଣ୍ଟେନାନସ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ କରିବେ । ଏସଏଚଜି ମହିଳାଙ୍କୁ ୫ ବର୍ଷରେ ୧୦ ହଜାର କୋଟି ଟଙ୍କାର କାମ ଯୋଗାଇବା ସହ ଗଞ୍ଜାମ ଇଣ୍ଡଷ୍ଟ୍ରିଆଲ ପାର୍କରେ ଶୁଖୁଆ, ଆଚାର ନିର୍ମାଣକୁ ଗୁରୁତ୍ୱ ଦିଆଯିବ ।

ମହିଳାମାନେ ରାଜନୀତିକୁ ଆସିଲେ କରାନଯାଉ ସମାଲୋଚନା

ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ରାଜନୀତିରେ ବ୍ୟବହାର କରିବା ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ମିଶନ୍ ଶକ୍ତି ସଚିବ ସୁଜାତା ଆର୍ କାର୍ତିକେୟନ । ସୁଜାତା କହିଛନ୍ତି, ଯଦି ମହିଳାମାନେ ରାଜନୀତିକୁ ଆସୁଛନ୍ତି ତାଙ୍କୁ ସମାଲୋଚନା କରାଯିବା ଠିକ୍ ନୁହେଁ । ଏହା ସେମାନଙ୍କର ଅଧିକାର । ମହିଳାଙ୍କୁ ଏପରି ତ କୁହାଯାଇ ପାରିବ ନାହିଁ ଯେ, ଆପଣ ବ୍ୟବସାୟ କରନ୍ତୁ, ରାଜନୀତି ପ୍ରସଙ୍ଗରେ କଥା କୁହନ୍ତୁ ନାହିଁ । ଓଡ଼ିଶାରେ ମଧ୍ୟ ଗତ ପଞ୍ଚାୟତ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରେ ୬୦ରୁ ୭୦ ପ୍ରତିଶତ ମହିଳା ରହିଛନ୍ତି । ରାଜ୍ୟ ସରକାର ମହିଳାଙ୍କ ପାଇଁ ୫୦% ସଂରକ୍ଷଣ ବ୍ୟବସ୍ଥା କରିଥିଲେ ମଧ୍ୟ ଏହାଠାରୁ ଅଧିକ ମହିଳା ବିଜୟୀ ହୋଇ ଆସିଛନ୍ତି । ଏମିତିକି ୩୦ ଜିଲ୍ଲାରୁ ୨୧ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦ ମହିଳା ହାତେଇଛନ୍ତି । ଏସବୁ ଭିତରେ ମିଶନ ଶକ୍ତି ମହିଳାଙ୍କ ନେତୃତ୍ୱ ନେବାର ନୂଆ ପ୍ଲାଟଫର୍ମ ସାଜିଛି ।

ବ୍ୟବସାୟ ଓ ନିଜସ୍ୱ ଭରଣପୋଷଣ ପାଇଁ ଏସଏଚଜି ସଦସ୍ୟାଙ୍କୁ ଦିଆଯାଉଛି ଋଣ

ମିଶନ୍ ଶକ୍ତି ମହିଳାଙ୍କୁ ଟଙ୍କା ବାଣ୍ଟି ସରକାର ନିଜର ଭୋଟବ୍ୟାଙ୍କ ପ୍ରସ୍ତୁତ କରୁଛନ୍ତି । ଏସଏଚଜି ମହିଳାଙ୍କ ଜରିଆରେ ସରକାର ରାଜନୀତି କରୁଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମିଶନ ଶକ୍ତି ସଚିବ ସୁଜାତା ଆର୍ କାର୍ତିକେୟନ ।ଏସଏଚଜିଙ୍କୁ ଦିଆଯାଉଥିବା ଋଣ ୨ଟି ଲକ୍ଷ୍ୟ ନେଇ ଖର୍ଚ୍ଚ ହେଉଥିବା ସେ କହିଛନ୍ତି । ଗୋଟିଏ ହେଲା ବ୍ୟବସାୟ ଓ ଅନ୍ୟଟି ନିଜସ୍ଵ ଭରଣପୋଷଣ । ଆଗରୁ ନିଜ ଆବଶ୍ୟକତା ପୂରଣ ପାଇଁ ମହିଳାମାନେ ମହାଜନ ପାଖକୁ ଯାଉଥିଲେ । ୬୦ ରୁ ୭୦ ପ୍ରତିଶତ ସୁଧ ଦେଉଥିଲେ । ଏବେ ଏସଏଚଜି ଗ୍ରୁପ ଦ୍ଵାରା ସେମାନେ ଋଣ ପାଇପାରିଛନ୍ତି ।ଏହା ସେମାନଙ୍କର ସଶକ୍ତିକରଣ । କୋଭିଡ ସମୟରେ ବିଭିନ୍ନ ଗୋଷ୍ଠୀରୁ ଋଣ ନେଇ ଘର ଚଳାଇଛନ୍ତି । ଫଳରେ ସେମାନେ ଗରିବୀ ଭିତରକୁ ଯିବେ ନାହିଁ । ତେଣୁ ସ୍ୱୟଂ ସହାୟିକା ଗୋଷ୍ଠୀ ପଇସା ସୁଧ ଲଗାଇବାକୁ ଭିନ୍ନ ଦୃଷ୍ଟିକୋଣରେ ଦେଖନ୍ତୁ ନାହିଁ  ବୋଲି ମିଶନ ଶକ୍ତି ସଚିବ ସୁଜାତା ଆର୍ କାର୍ତିକେୟନ କହିଛନ୍ତି।

Leave A Reply

Your email address will not be published.