ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା : ଘଟଣାସ୍ଥଳରେ ପୁଲିସ ଡିଜି ଓ ଜଷ୍ଟିସ ଜେ.ପି. ଦାସ

ଝାରସୁଗୁଡା : ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲା ଛାନଭିନ୍ ଜାରି ରଖିଛି କ୍ରାଇମବ୍ରାଞ୍ଚ। କାଲି ଅଭିଯୁକ୍ତ ଗୋପାଳ ଦାସକୁ ଘଟଣାସ୍ଥଳକୁ ନେଇ କ୍ରାଇମ୍ସିନ୍ର ରିକ୍ରିଏସନ କରାଯାଇଥିଲା। ଏହାପରେ ଆଜି ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି ପୁଲିସ ଡିଜି ସୁନୀଲ ବଂସଲ। ପୁଲିସ ଡିଜିଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜିବ ପଣ୍ଡା ଏବଂ ଏଡିଜି ଆର୍ କେ ଶର୍ମା ମଧ୍ୟ ସ୍ଥିତି ଅନୁଧ୍ୟାନ କରିଛନ୍ତି। ହତ୍ୟାକାଣ୍ଡର ବିଭିନ୍ନ ଦିଗକୁ ନେଇ ଡିଜିପି ତର୍ଜମା କରିଛନ୍ତି ।
ସେହିପରି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ ମଧ୍ୟ କ୍ରାଇମସ୍ପଟକୁ ଯାଇ ତଦନ୍ତର ତଦାରଖ କରିଛନ୍ତି। ତଦନ୍ତ ଠାକ୍ ବାଟରେ ଚାଲୁଥିବା ନେଇ କହିଛନ୍ତି ଜଷ୍ଟିସ ଦାସ । ତଦନ୍ତର ଅଗ୍ରଗତି ସମ୍ପର୍କରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ଠାରୁ ପଚାରି ବୁଝିଛନ୍ତି । ଅଭିଯୁକ୍ତର କ୍ରାଇମସିନ୍ ରିକ୍ରିଏସନ ହୋଇଛି । ଯାହାକି ତଦନ୍ତରେ ସହାୟକ ହେବ ।
ଅନ୍ୟପଟେ ଆଜି ସରୁଛି ଅଭିଯୁକ୍ତ ଗୋପାଳର ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ । ଶେଷ ଦିନରେ ଆଉ କିଛି ତଥ୍ୟ ହାସଲ କରିବାକୁ ଚେଷ୍ଟା କରିବ କ୍ରାଇମବ୍ରାଞ୍ଚ। ଗତକାଲି ରିମାଣ୍ଡର ତୃତୀୟ ଦିନରେ ନବ କିଶୋରଙ୍କ ହତ୍ୟାର ଡେମୋ ଦେଖାଇଥିଲା ଅଭିଯୁକ୍ତ। ୨୯ ତାରିଖର ପୂରା କ୍ରାଇମ ସିକ୍ବେନ୍ସର ଡେମୋ କ୍ରାଇମବ୍ରାଞ୍ଚକୁ ଦେଖାଇଛି ଗୋପାଳ। କେମିତି ନବକିଶୋର ଦାସଙ୍କୁ ଗୁଳି ମାରିଲା, ହାତରେ ବନ୍ଧୁକ ଧରି ଡେମୋ ଦେଖାଇ ଥିଲା ଅଭିଯୁକ୍ତ । ଘଟଣାର ପ୍ରତିଟି ଦିଗ ନେଇ ଅନୁଧ୍ୟାନ କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ । ସିନ୍ ରିକ୍ରିଏସନର ଭିଜୁଆଲ ରେକର୍ଡିଂ ପାଇଁ ଲାଗିଥିଲା ଡ୍ରୋନ୍ କ୍ୟାମେରା । ଥରେ କି ଦୁଇ ଥର ନୁହେଁ ୫ଥର ପୂରା ଘଟଣାର ଦୃଶ୍ୟ ଦେଖାଇଛି ଗୋପାଳ ।
ବେଙ୍ଗାଲୁରୁରୁ ଆସିଥିବା ନିମହାନ୍ସ ଟିମ ମଧ୍ୟ ତଦନ୍ତରେ ସହାୟତା କରିଛି। ଅଭିଯୁକ୍ତର ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇଛି। ଗୁଜୁରାତ ଗାନ୍ଧୀନଗରରୁ ଆସିଥିବା ଫରେନସିକ ଟିମ ସଦସ୍ୟ ସିନ୍ ରିକ୍ରିଏସନ୍ ପରେ ଗଣମାଧ୍ୟମକୁ କହିଥିଲେ ଯେ, ସେମାନଙ୍କୁ ସିନ ରିକ୍ରିଏସନ ସମୟର ଦୃଶ୍ୟକୁ ନେଇ ଅଭିଯୁକ୍ତର ସଂପୃକ୍ତି ତଥା ଘଟଣାର ଏନାଲିସିସ କରିବାକୁ ଯେଉଁ ଦାୟିତ୍ବ ଦିଆଯାଇଛି ତାହା ସମୟସାପେକ୍ଷ। ଏନେଇ ଏନାଲିସିସ ଶେଷ ହେବା ପରେ ସେମାନେ ରିପୋର୍ଟ ଦାଖଲ କରିବେ ବୋଲି ଡିଏଫଏସ୍ ଗାନ୍ଧୀନଗର, ଗୁଜୁରାଟର ଉପନିର୍ଦ୍ଦେଶକ ତଥା ଫରେନସିକ୍ ବିଶେଷଜ୍ଞ ବି.ବି ପଟେଲ ପ୍ରକାଶ କରିଛନ୍ତି।