ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିଶା କବଳରେ ରାଜଧାନୀର ଲକ୍ଷେ ଯୁବକଯୁବତୀ: ମାଳମାଳ କାର୍ଯ୍ୟକ୍ରମ ସତ୍ତ୍ୱେ ଫଳ ଘର ଶୂନ

ଭୁବନେଶ୍ୱର: ନିଶା ଏବେ ସାମାଜିକ ବ୍ୟଧି ଭାବେ କାୟା ବିସ୍ତାର କରିଚାଲିଛି। ପାନ, ବିଡି, ସିଗାରେଟ୍‍ ପରେ ବ୍ରାଉନସୁଗର, ଗଞ୍ଜେଇ, ଇ-ସିଗାରେଟ, ଡେନ୍‍ଡ୍ରାଇଟ୍‍ ଓ କୋକେନ୍‍ ଭଳି ମାରାତ୍ମକ ନିଶା ପ୍ରେମରେ ପଡ଼ିଛନ୍ତି ନିଶାଡ଼ି। ରାଜଧାନୀରେ ଦିନକୁ ଦିନ ନିଶା କାରବାର ବଢ଼଼ିଗଲାଣି। ହାତ ପାହାନ୍ତାରେ ଏସବୁ ନିଶାଦ୍ରବ୍ୟ ମିଳୁଥିବାରୁ ସହଜରେ କିଣି ସେବନ କରୁଛନ୍ତି ଲୋକେ। ଏଣୁ ନିଶା କାରବାର ସହ ସେବନକାରୀଙ୍କ ସଂଖ୍ୟା ସବୁଆଡେ ମାଡ଼ିଗଲାଣି। ତେବେ ଏଭଳି ମାରାତ୍ମକ ନିଶାରେ ଅଧିକ ମତୁଆଲା ହେଉଛନ୍ତି ଯୁବପିଢ଼ି। ନିଶା ଉପରେ ନିୟନ୍ତ୍ରଣ ନ ଥିବାରୁ ବିଗିଡ଼ିଗଲାଣି ସ୍ଥିତି। ନିଶା କାରବାର ହଟାଇବା ସହ ନିଶାମୁକ୍ତ ଓଡ଼ିଶା ଗଢ଼ି ତୋଳିବାକୁ କେବଳ ମାମଲା ଯୋଜନା ଅବା କାର୍ଯ୍ୟକ୍ରମ କରାଯାଉଛି। ତେବେ ବିଶ୍ୱ ତମାଖୁ ବର୍ଜନ ଓ ନିଶା ନିବାରଣ ଦିବସ ଆସିଲେ ସଭା, ସମିତି, ରାଲି ଓ ଧାରଣା ଆଦି ଗୋଟିଏ ଦିନ ପାଳନ କରାଯାଇଥାଏ। ହେଲେ ପରେ ସବୁ ବନ୍ଦ ହୋଇଯାଇଥାଏ। ତେବେ ଯଥା ପୂର୍ବଂ ତଥାପରଂ ନାରାରେ ସେଭଳି ନିଶା କାରବାର ଜାରି ରହିଥାଏ।

ସେହିପରି ନିଶା ନିବାରଣ ଲାଗି ସରକାରଙ୍କ ପକ୍ଷରୁ ପାଣ୍ଠି ମିଳୁଛି। ମାତ୍ର ଆଖିଦୃଶିଆ ସଚେତନତା କରାଯାଉନି। ଏପିରିକି କୋଟ୍‍ପା ଆଇନ୍‍ ଅନୁଯାୟୀ ଶିକ୍ଷାନୁଷ୍ଠାନ ଗୁଡ଼ିକ ପରିସର ତଥା ୧୦୦ ମିଟର ପରିଧି ଭିତରେ ତମାଖୁ ବିକ୍ରି କରିବା ଉପରେ କଟକଣା ରହିଛି। କିନ୍ତୁ ଏହି ଆଇନ୍‍କୁ କେହି ପାଳନ କରୁନାହାନ୍ତି। ଖୁଲମଖୁଲା ବିକ୍ରି କରାଯାଉଛି। ଆଉ ଛାତ୍ରଛାତ୍ରୀ ଏହାକୁ ସେବନ କରି ପଥଭ୍ରଷ୍ଟ ହେଉଛନ୍ତି। ତେବେ ନିଶାଭ୍ୟାସ କମିଲେ ଅପରାଧ ପ୍ରବଣତାରେ ଅଙ୍କୁଶ ଲାଗିବ ବୋଲି କୁହାଯାଇଛି।

ରାଜଧାନୀରେ ଥିବା ଯୁବପିଢ଼ିଙ୍କ ମଧ୍ୟରୁ ୨୭ ପ୍ରତିଶତ ଏବେ ନିଶାଗ୍ରସ୍ତ। ଅର୍ଥାତ୍‍ ସ୍ମାର୍ଟସିଟିରେ ରହୁଥିବା ୪ଲକ୍ଷ ଯୁବପିଢ଼ିଙ୍କ ମଧ୍ୟରୁ ଲକ୍ଷେରୁ ଅଧିକ ଏବେ ନିଶାମାୟାରେ ବାୟା। ସେମାନେ ବ୍ରାଉନସୁଗର ଭଳି ଜୀବନ ବରବାଦ୍‍ ହେବା ଭଳି ନିଶାରେ ପଡ଼ିଛନ୍ତି। ତେବେ ସେଥିରୁ କଲେଜ ପଢ଼଼ୁଆ, ଅଧାରୁ ପାଠ ଛାଡିଥିବା ଯୁବପିଢ଼ି ଅଧିକ। ସେହିପରି ବସ୍ତିରେ ରହୁଥିବା ମଧ୍ୟ ଯୁବପିଢ଼ି ନିଶାରେ ମାୟାଜାଲରେ ଫସିଯାଇଛନ୍ତି। ବସ୍ତିରେ କାର୍ଯ୍ୟ କରୁଥିବା କିଛି ସାମାଜିକ ଅନୁଷ୍ଠାନ ଏବଂ ନିଶାର ଭୟବହତା ବିଷୟରେ କାର୍ଯ୍ୟ କରୁଥିବା ସଂସ୍ଥା ଓ ପୁଲିସ କର୍ମଚାରୀଙ୍କୁ ନେଇ ସର୍ଭେ କରାଯାଇଥିଲା। ସେମାନେ ଶିକ୍ଷାନୁଷ୍ଠାନ, ବସ୍ତି ଓ ନିଶା ନିବାରଣ କେନ୍ଦ୍ରକୁ ତଥ୍ୟ ଆଣି ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ। ଏହି ବିସ୍ଫୋରକ ରିପୋର୍ଟ ଦେଖିବା ପରେ ଚିନ୍ତାରେ ପଡ଼ିଯାଇଥିଲା କମିସନରେଟ ପୁଲିସ।

ତମାଖୁ ସେବନରେ ୫୧.୬ ପୁରୁଷ ଓ ୨୬ % ମହିଳା

ଭାରତ ସରକାରଙ୍କ ଜାତୀୟ ପରିବାର ସ୍ୱାସ୍ଥ୍ୟ ରିପୋର୍ଟ ଅନୁଯାୟୀ ରାଜ୍ୟରେ ୧୫ ବର୍ଷରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ତମାଖୁ ଓ ନିଶା ସେବନରେ ଢ଼େର୍‍ ଆଗରେ ରହିଛନ୍ତି। ତମାଖୁ ସେବନ କରିବା ପୁରୁଷଙ୍କ ହାର ଓଡ଼ିଶାରେ ୫୧.୬ ରହିଛି। ସେଥିରୁ ସହରାଞ୍ଚଳ ପୁରୁଷ ସଂଖ୍ୟା ୪୦.୫ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ୫୪.୧ ପ୍ରତିଶତ ରହିଛି। ସେହିପରି ରାଜ୍ୟରେ ୨୬ ପ୍ରତିଶତ ମହିଳା ତମାଖୁ ସେବନ କରନ୍ତି। ସେଥିରୁ ସହରାଞ୍ଚଳରେ ମହିଳାଙ୍କ ସଂଖ୍ୟା ୧୬.୬ ପ୍ରତିଶତ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ୨୮ ପ୍ରତିଶତ ମହିଳା ତମାଖୁ ସେବନ କରନ୍ତି। ଅନ୍ୟପକ୍ଷରେ ଓଡ଼ିଶାରେ ୪.୩ ପ୍ରତିଶତ ମହିଳା ମଦ ପିଅନ୍ତି। ସେଥିରୁ ସହରାଞ୍ଚଳର ୧.୪ ପ୍ରତିଶତ ମହିଳା ଥିବା ବେଳେ ଗ୍ରାମାଞ୍ଚଳର ୪.୯ ପ୍ରତିଶତ ମହିଳା ମଦ ପିଉଛନ୍ତି। ସେପରି ରାଜ୍ୟର ୨୮.୮ ପ୍ରତିଶତ ପୁରୁଷ ମଦ ପିଉଥିବା ଜଣାପଡ଼ିଛି। ସେଥିମଧ୍ୟରୁ ସହରାଞ୍ଚଳର ପୁରୁଷଙ୍କ ସଂଖ୍ୟା ୨୨.୭ ହୋଇଥିବା ବେଳେ ଗ୍ରାମାଞ୍ଚଳର ପୁରୁଷ ସଂଖ୍ୟା ରହିଛି ୩୦.୨ ପ୍ରତିଶତ। ସେପଟେ ପୁରୁଷ ହୁଅନ୍ତି କି ମହିଳା ନିଶା ଓ ତମାଖୁ ସେବନ କରୁଛନ୍ତି। ଏଣୁ କର୍କଟ, ପକ୍ଷାଘାତ, ହୃଦରୋଗ ଭଳି ବହୁ ରୋଗରେ ଝୁଜୁଛନ୍ତି। ସୂଚନାଯୋଗ୍ୟ ଯେ, ୧୯୮୭ ମସିହାରୁ ଜୁନ୍‍ ୨୬ ତାରିଖକୁ ବିଶ୍ୱ ଡ୍ରଗ୍‍ ଦିବସ ଭାବେ ପାଳନ କରାଯାଉଛି।

ନିଶା ସେବନରେ କିଶୋର ଆଗରେ
ରାଜ୍ୟର ୪୫.୬ ପ୍ରତିଶତ କିଶୋର (୧୨-୧୯ ବର୍ଷ ବୟସ୍କ) ନିଶା ସେବନ କରୁଥିବା ବେଳେ ୫୪.୪ ପ୍ରତିଶତ କିଶୋର/କିଶୋରୀ କୌଣସି ତମାଖୁ ସେବନ କରୁନାହାନ୍ତି। ୮୭୮ ଜଣ କିଶୋର ଓ ୯୮୦ ଜଣ କିଶୋରୀଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୩ ପ୍ରତିଶତ କିଶୋର ସିଗାରେଟ୍‍, ବିଡ଼ି ଓ ଗଞ୍ଜେଇ ଭଳି ଧୂଆଁ ଜାତୀୟ ତମାଖୁ ସେବନ କରୁଥିବା ବେଳେ ଉଭୟ କିଶୋରକିଶୋରୀଙ୍କ କ୍ଷେତ୍ରରେ ଏହି ସଂଖ୍ୟା ୭ ପ୍ରତିଶତ ରହିଥିଲା। ସେହିପରି ୪୨ ପ୍ରତିଶତ କଶୋର/କିଶୋରୀ ଧୂଆଁ ବିହୀନ ତମାଖୁ ସେବନ କରୁଥିବାବେଳେ ୧୭ ପ୍ରତିଶତ ଖଇନି ସେବନ କରୁଥିଲେ। ଗୁଟଖା ଖାଉଥିବା କିଶୋରଙ୍କ ସଂଖ୍ୟା ସବୁଠୁ ଅଧିକ ରହିଥିଲା।

ବାଟକୁ ଆଣୁଛି ଡ୍ରିମ୍ସ
ଦିନେ ନିଶାଦ୍ରବ୍ୟ ଅପରାଧ ରାସ୍ତାକୁ ଟାଣି ନେଇଥିଲା। ଭୁଲରେ ହେଉ ଅବା କୁ-ସଙ୍ଗତରେ ପଡ଼ି ନିଶାର ଶିକାର ହୋଇଥିଲେ। କିନ୍ତୁ ସେହି ନିଶା ଠାରୁ ଦୂରେଇ ଆସିବା ସେମାନଙ୍କୁ ବଞ୍ଚିବାର ନୂଆ ଦୁନିଆ ଦେଖାଇଥିଲା କମିସନରେଟ ପୁଲିସ ନୂଆ ଯୋଜନା ‘ଡ୍ରିମ୍ସ’। ଫେବୃଆରୀରେ ଆରମ୍ଭ ହୋଇଥିବା ଏହି ପାଇଲଟ୍‍ ପ୍ରକଳ୍ପରେ ୫୦ ଜଣଙ୍କୁ ଯୋଡ଼ା ଯାଇଥିଲା। ସେମାନଙ୍କୁ ନିଶା କବଳରୁ ମୁକ୍ତ କରିବା ସହ ଥଇଥାନ କରାଯାଇଥିଲା । ନିଶାରୁ ନିବୃତ ରହିବାକୁ ଏମାନଙ୍କୁ ବିଶେଷଜ୍ଞଙ୍କ ଦ୍ୱାରା କାଉନସେଲିଂ ଦିଆଯାଉଥିଲା। ଆଧାତ୍ମିକ, ଯୋଗ, ନୃତ୍ୟ, ଚେସ୍‍ ଓ ଭଳି ବିଭିନ୍ନ ଖେଳ ମାଧ୍ୟମରେ ଯୁବକଙ୍କ ମନଙ୍କୁ ପରିବର୍ତ୍ତନା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୫୦ଜଣ ଥଇଥାନ କେନ୍ଦ୍ରରୁ ବାହାରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ନୂଆ ଜୀବନ ଆରମ୍ଭ କରିଛନ୍ତି। ସେମାନଙ୍କୁ ଏକାଧିକ ସଂସ୍ଥାରେ ନିଯୁକ୍ତ ଦିଆଯିବା ସହ ସ୍ୱାବଲମ୍ବୀ କରାଯାଇଛି।

Leave A Reply

Your email address will not be published.