ଟ୍ବିଟର ପରେ ମେଟା ଆଣିଲା ସବ୍‌ସ୍କ୍ରିପ୍‌ସନ୍ ପ୍ଲାନ, ଟଙ୍କା ଦେଇ କରିପାରିବେ ଫେସବୁକ ଓ ଇନଷ୍ଟାଗ୍ରାମ ଭେରିଫାଏଡ୍

ନୂଆଦିଲ୍ଲୀ : ଟ୍ୱିଟର ପରେ ପେଡ୍ ସବସ୍କ୍ରିପ୍ସନ ସେବା ଆରମ୍ଭ କଲା ମାର୍କ ଜୁକରବର୍ଗଙ୍କ ମେଟା କମ୍ପାନୀ । ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପର ପ୍ୟାରେଣ୍ଟ୍ କମ୍ପାନୀ ମେଟା ମଧ୍ୟ ଏକ ପ୍ରିମିୟମ୍ ଯାଞ୍ଚ ସେବା ଘୋଷଣା କରିଛି । ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ମଧ୍ୟ ଯାଞ୍ଚ ହୋଇଥିବା ଆକାଉଣ୍ଟ ଅର୍ଥାତ ବ୍ଲୁ ଟିକ୍ ପାଇଁ ଦେୟ ଦେବାକୁ ପଡ଼ିବ ।

ଏଲନ୍‌ ମସ୍କଙ୍କ ଅଧିନରେ ପରିଚାଳିତ ହେଉଥିବା ଟ୍ବିଟର ପକ୍ଷରୁ ବ୍ଲୁକ୍ ଟିକ୍ ପାଇଁ ୯୦୦ ଟଙ୍କିଆ ମାସିକିଆ ପ୍ଲାନ୍ ଘୋଷଣା କରାଯିବା ପରେ ଏବେ ବିଶ୍ବର ଅନ୍ୟତମ ବୃହତ ସୋସିଆଲ ମିଡିଆ ସଂସ୍ଥା ମେଟା ପକ୍ଷରୁ ନୂଆ ସବ୍‌ସ୍କ୍ରିପ୍‌ସନ୍ ପ୍ଲାନ୍‌ ଘୋଷଣା କରାଯାଇଛି। ‘ମେଟା ଭେରିଫାଏଡ୍‌’ ନାମକ ଏହି ସବ୍‌ସ୍କ୍ରିପ୍‌ସନ୍ ପ୍ଲାନ୍ ଲାଗି ମାସକୁ ୯୮୪ ଟଙ୍କା (୧୧.୯୯ ଡଲାର) ଗଣିବାକୁ ପଡ଼ିବ। ବ୍ୟବହାରକାରୀମାନେ ଯେକୌଣସି ଏକ ସରକାରୀ ପରିଚୟପତ୍ର ଜରିଆରେ ଆକାଉଣ୍ଟ୍‌କୁ ଫେରିଫାଏ କରିପାରିବେ ଏବଂ ବ୍ଲୁ ବ୍ୟାଜ୍‌ ପାଇପାରିବେ।

ଉଭୟ ଫେସବୁକ୍ ଓ ଇନଷ୍ଟାଗ୍ରାମ୍‌ ଲାଗି ଏକକାଳୀନ ଭେରିଫିକେସନ ହେବ। ବ୍ଲୁ ବ୍ୟାଜ୍‌ ପାଇଥିବା ବ୍ୟବହାରକାରୀଙ୍କୁ କଂପାନି ନକଲି ଆକାଉଣ୍ଟ୍‌ ସମସ୍ୟାରୁ ସୁରକ୍ଷା ପ୍ରଦାନ କରିବ। ମେଟା ପକ୍ଷରୁ ଆଣ୍ଡ୍ରଏଡ୍ ଓ ଆଇଓଏସ୍‌ ବ୍ୟବହାରକାରୀଙ୍କ ଲାଗି ଅଲଗା ଅଲଗା ଶୁଳ୍କ ଘୋଷଣା କରାଯାଇଛି। ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ମାସିକ ୧୧.୯୯ ଡଲାର ଏବଂ ଆଇଓଏସ୍‌ ବ୍ୟବହାରକାରୀ ୧୪.୯୯ ଡଲାର ଗଣିବେ। ଚଳିତ ସପ୍ତାହରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ୍‌ରେ ମେଟା ଭେରିଫାଏଡ୍‌କୁ କାର୍ୟ୍ୟକାରୀ କରାଯିବ।

Leave a comment