ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖୋଲିବ ସରକାରୀ କୋଚିଂ ସେଣ୍ଟର, ମାଗଣାରେ ପ୍ରଶାସନିକ ସେବା ପରୀକ୍ଷା ଲାଗି ପ୍ରଶିକ୍ଷଣ ନେବେ ମେଧାବୀ ଛାତ୍ରଛାତ୍ରୀ

ରାଜଧାନୀରେ ୨ ଏକର ଜମି ଦେବେ ରାଜ୍ୟ ସରକାର,ଦେଶର ଅଗ୍ରଣୀ ସଂସ୍ଥା ଦେବେ ପ୍ରଶିକ୍ଷଣ

ଭୁବନେଶ୍ୱର : ସୁବ୍ୟବସ୍ଥିତ ଢାଞ୍ଚାରେ ଆରମ୍ଭ ହେବ ପ୍ରଶାସନିକ ସେବା ପରୀକ୍ଷା ଲାଗି ପ୍ରଶିକ୍ଷଣ। ପୁଣି ଜାତୀୟ ସ୍ତରରେ ଓଡ଼ିଆଙ୍କ ପ୍ରତିନିଧିତ୍ୱ ବଢ଼଼ାଇବାକୁ ରାଜ୍ୟ ସରକାର ପ୍ରୋତ୍ସାହିତ କରୁଛନ୍ତି। ରାଜ୍ୟର ଛାତ୍ରଛାତ୍ରୀ କିଭଳି ଆଇଏଏସ, ଆଇପିଏସ, ଆଇଏଫଏସ ପାଇଁ ମନୋନୀତ ହେବେ ସେଥିପାଇଁ ପ୍ରଭାବୀ ଶୈଳୀରେ ପ୍ରଶିକ୍ଷଣ ଦିଆଯିବ। ଏଥିପାଇଁ ସରକାରୀ ସ୍ତରରେ ସ୍ୱତନ୍ତ୍ର ପ୍ରଶିକ୍ଷଣ କେନ୍ଦ୍ର ଖୋଲିବ।

ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡିଆଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହୁଛି। ବିହାର, ଉତ୍ତର ପ୍ରଦେଶ, ତାମିଲନାଡୁ ଭଳି ରାଜ୍ୟରୁ ବହୁ ଆଶାୟୀ କୃତକାର୍ଯ୍ୟ ହେଉଥିବା ବେଳେ ଓଡ଼ିଶାରୁ ମାତ୍ର ହାତଗଣତି ପିଲା ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ହେଉଛନ୍ତି। ସେମାନଙ୍କ ତୂଳନାରେ ଓଡ଼ିଆଙ୍କ ସଫଳତା ଅପେକ୍ଷାକୃତ ନଗଣ୍ୟ ରହୁଛି। ତେବେ ଏହି ଧାରାକୁ ବଦଳାଇବା ଲାଗି ରାଜ୍ୟ ସରକାର ଗରିବ ଓ ମେଧାବୀ ପିଲାଙ୍କ ଲାଗି ମାଗଣା ସିଭିଲ ସର୍ଭିସ କୋଚିଂ ଯୋଜନା ଆରମ୍ଭ କରିଥିଲେ। ହେଲେ ଏହି ଯୋଜନା ଲକ୍ଷ୍ୟ ହାସଲ କରିବାରେ ବିଫଳ ହେବାରୁ ଏହାକୁ ବିଗତ ଦୁଇ ବର୍ଷ ହେବ ବନ୍ଦ କରାଯାଇଛି। ଏବେ ପରିବର୍ତ୍ତିତ ଢଙ୍ଗରେ ପୁଣି ଥରେ ସିଭିଲ ସର୍ଭିସ କୋଚିଂ ଆରମ୍ଭ କରିବାକୁ ଯୋଜନା ହୋଇଛି।

ମିଳିଥିବା ସୂଚନା ମୁତାବକ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କିଛି ଦିନ ତଳେ ବୈଠକ ବସିଥିଲା। ବୈଠକରେ ସିଭିଲ ସର୍ଭିସ କୋଚିଂ ପୁନଶ୍ଚ ଆରମ୍ଭ କରିବା ପାଇଁ ନିସ୍ପତ୍ତି ହୋଇଛି। ରାଜ୍ୟ ସରକାର ବର୍ତ୍ତମାନ ବାହାର କୋଚିଂ ଅନୁଷ୍ଠାନକୁ ଦାୟିତ୍ୱ ଦେବା ଅପେକ୍ଷା ନିଜସ୍ୱ ପରିଚାଳନାରେ କୋଚିଂ ସେଣ୍ଟର ଖୋଲି ପିଲାଙ୍କୁ ପ୍ରସ୍ତୁତ କରିବା ଲାଗି ଯୋଜନା କରିଛନ୍ତି। ତଦନୁଯାୟୀ ଭୁବନେଶ୍ୱରରେ ଅତ୍ୟାଧୁନିକ ପୁସ୍ତକାଳୟ, ଡିଜିଟାଲ ଲର୍ଣ୍ଣିଂ ହବ ସହ ଗୋଟିଏ ପ୍ରଫେସନାଲ କୋଚିଂ ସେଣ୍ଟର ଖୋଲିବାକୁ ଯୋଜନା କରାଯାଇଛି। ଏହି କୋଚିଂ ସେଣ୍ଟରରେ ୪୦୦ ପିଲାଙ୍କ ଲାଗି ମାଗଣା ରହିବାର ବ୍ୟବସ୍ଥା କରାଯାଇଛି।

ସେହିଭଳି ପ୍ରବେଶିକା ପରୀକ୍ଷା ମାଧ୍ୟମରେ କୋଚିଂ ସେଣ୍ଟର ଲାଗି ପିଲା ଚୟନ କରାଯିବ। ସେହିଭଳି ପୂର୍ବରୁ ଥିବା ନିୟମ ଯଥା ବାର୍ଷିକ ୧୦ ଲକ୍ଷ ଟଙ୍କାରୁ କମ ଆୟ ଥିବା ପରିବାରର ପିଲାମାନେ ମାଗଣା ଆଇଏଏସ କୋଚିଂ ନେଇପାରିବା ନିୟମ ଉଠାଇ ଦିଆଯାଇଛି। କେବଳ ଦକ୍ଷତା ଥିବା ଯେ କୌଣସି ପିଲା ଏଠି ମାଗଣା ପାଠପଢ଼ିବାକୁ ସକ୍ଷମ ହେବେ। ତେବେ ମାଗଣା କୋଚିଂ ଓ ରହିବା ବ୍ୟବସ୍ଥା ପିଲାଙ୍କୁ ପ୍ରଦାନ କରାଯିବାକୁ ଥିବା ବେଳେ ପ୍ରତିବର୍ଷ ୨ଶହ ଜଣ ପିଲାଙ୍କୁ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଚୟନ କରାଯିବ। ଜଣେ ଛାତ୍ର ଉକ୍ତ ଅନୁଷ୍ଠାନରେ ୨ବର୍ଷରୁ ଅଧିକ ସମୟ ରହିପାରିବେନି। ତେବେ ଆଇଏଏସ କୋଚିଂ ସେଣ୍ଟରରେ କେଉଁ ଅନୁଷ୍ଠାନ ପ୍ରଶିକ୍ଷଣ ଦେବ ସେଥିଲାଗି ଦେଶର ଅଗ୍ରଣୀ କୋଚିଂ ଗୁଡିକ ଠାରୁ ଟେଣ୍ଡର ଆହ୍ୱାନ କରାଯିବ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜ୍ୟରେ ନିଯୁକ୍ତି ପାଉଥିବା ନବନିଯୁକ୍ତ ଯୁବ ଆଇଏଏସ ଓ ବରିଷ୍ଠ ଆଇଏଏସ ଅଫିସର ପ୍ରତି ସପ୍ତାହରେ କୋଚିଂ ସେଣ୍ଟର ପରିଦର୍ଶନ କରି ଆଶାୟୀଙ୍କୁ ଦିଗଦର୍ଶନ ପ୍ରଦାନ କରିବେ। ସେହିପରି କୋଚିଂ ସେଣ୍ଟରର ପରିଚାଳନା, କୋଚିଂ ଦାୟିତ୍ୱ ନେଇଥିବା ଅନୁଷ୍ଠାନର ପାଠପଢ଼ା, ଦୈନିକ ଗତିବିଧି, ପିଲାମାନଙ୍କର ସମସ୍ୟା ବୁଝିବାକୁ ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରାଯିବ। କୋଚିଂ ସେଣ୍ଟର ପ୍ରତିଷ୍ଠା ଲାଗି ସରକାରଙ୍କ ପକ୍ଷରୁ ରାଜଧାନୀରେ ଦୁଇ ଏକର ଜମି ଯୋଗାଇ ଦିଆଯିବ। ସ୍ଥାୟୀ ଗୃହ ନିର୍ମାଣ ନହେବା ଯାଏଁ ସରକାର ଭଡ଼ାରେ ଘର ନେଇ କୋଚିଂ ସେଣ୍ଟର ପରିଚାଳନା କରିବେ।

Leave A Reply

Your email address will not be published.