ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସଂରକ୍ଷଣ ଯୋଗୁଁ ମେଧାବୀଙ୍କୁ ମିଳୁନି ସିଟ୍‌ : ବିଦେଶରେ ଡାକ୍ତରୀ ପଢୁଛନ୍ତି ଭାରତର ଲକ୍ଷାଧିକ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ଯୁଦ୍ଧ ପ୍ରଭାବିତ ୟୁକ୍ରେନର ଖାରକିଭ ସହରରେ ଗତ ମଙ୍ଗଳବାର ସକାଳେ ଗୁଳିମାଡରେ ନବୀନ ଶେଖରପ୍ପା ନାମକ ଜଣେ ଭାରତୀୟଙ୍କ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ନବୀନଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଭାଙ୍ଗି ପଡିଥିବା ବେଳେ ତାଙ୍କ ଭାରତର ଶିକ୍ଷା ବ୍ୟବସ୍ଥାକୁ ଦାୟୀ କରିଛନ୍ତି। ନବୀନ ଶେଖରପ୍ପା ଜ୍ଞାନଗୌଡଙ୍କ ମୃତ୍ୟୁ ପାଇଁ ଭାରତର ସଂରକ୍ଷଣ ବ୍ୟବସ୍ଥା ଦାୟୀ। ରୁଷ-ୟୁକ୍ରେନ ଯୁଦ୍ଧରେ ନୁହେଁ, ବରଂ ଭାରତର ଶିକ୍ଷା ବ୍ୟବସ୍ଥା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। ନବୀନଙ୍କ ପିତା ଶେଖର ଗୌଡା କ୍ଷୋଭର ସହ ଏହା କହିଛନ୍ତି।

ନବୀନଙ୍କ ପିତା ଶେଖର ଗୌଡା କହିଛନ୍ତି ତାଙ୍କ ପୁଅ ଦଶମରେ ୯୬ ପ୍ରତିଶତ ଏବଂ ଦ୍ବାଦଶ ଶ୍ରେଣୀରେ ୯୭ ପ୍ରତିଶତ ମାର୍କ ରଖିଥିଲେ। ସେ ଡାକ୍ତରୀ ପଢ଼ି ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଥିଲେ। କିନ୍ତୁ ଭାରତର ଶିକ୍ଷା ବ୍ୟବସ୍ଥା ଏବଂ ଜାତିବାଦ ଯୋଗୁଁ ଜଣେ ମେଧାବୀ ଛାତ୍ର ହୋଇଥିଲେ ମଧ୍ୟ ତାଙ୍କୁ ସିଟ୍‌ ମିଳିନଥିଲା। ଘରୋଇ ମେଡିକାଲ କଲେଜରେ ସିଟ୍‌ ପାଇବା ପାଇଁ କୋଟିଏରୁ ୨ କୋଟି ଟଙ୍କା ଲାଞ୍ଚ ଦେବାକୁ ପଡିଥାଏ। ଏଥିଯୋଗୁଁ ନବୀନ ବିଦେଶରେ ପଢିବାକୁ ବାଧ୍ୟ ହୋଇଥିଲେ। ଯଦି ପୁଅ ଭାରତରେ ପଢିବାକୁ ସୁଯୋଗ ପାଇଥାନ୍ତା ତେବେ ଏ ଦିନ ଦେଖିବାକୁ ମିଳିନଥାନ୍ତା। ନବୀନଙ୍କ ମୃତ୍ୟୁ ପାଇଁ ଭାରତର ସଂରକ୍ଷଣ ବ୍ୟବସ୍ଥା ଦାୟୀ ବୋଲି ତାଙ୍କ ପିତା ଅଭିଯୋଗ କରିଛନ୍ତି।

କେବଳ ନବୀନ ନୁହଁନ୍ତି ଭାରତର ବହୁ ମେଧାବୀ ଛାତ୍ରଛାତ୍ରୀ ମେଡିକାଲ ପଢ଼ିବାକୁ ଦେଶରେ ସୁଯୋଗ ପାଉନାହାନ୍ତି। ଏଥିଯୋଗୁଁ ସେମାନେ ବିଦେଶରେ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ବୈଦେଶିକ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ଏବେ ଚୀନ୍‌ରେ ୨୩ ହଜାର ଏବଂ ୟୁକ୍ରେନରେ ୧୮ ହଜାର ଛାତ୍ରଛାତ୍ରୀ ମେଡିକାଲ ପଢୁଛନ୍ତି। ସେହିପରି ରୁଷିଆରେ ୧୬୫୦୦, ଫିଲିପାଇନ୍ସରେ ୧୫ ହଜାର, କିର୍ଗିସ୍ଥାନରେ ୧୦ ହଜାର, ଜର୍ଜିଆରେ ୭,୫୦୦, ବାଂଲାଦେଶ ଏବଂ କାଜାଖସ୍ତାନରେ ୫,୨୦୦ ଲେଖାଏଁ, ପୋଲାଣ୍ଡରେ ୪ ହଜାର ଏବଂ ଆର୍ମେନିଆରେ ୩ ହଜାର ଛାତ୍ରଛାତ୍ରୀ ଡାକ୍ତରୀ ପଢୁଛନ୍ତି। ଦେଶରେ ମେଡିକାଲ କଲେଜରେ ପଢିବା ପାଇଁ ଛାତ୍ରଛାତ୍ରୀଙ୍କୁ ନିଟ୍‌ ପରୀକ୍ଷା ଦେବାକୁ ପଡିଥାଏ। ପ୍ରତି ବର୍ଷ ୧୫ ଲକ୍ଷ ଛାତ୍ରଛାତ୍ରୀ ନିଟ୍‌ ପରୀକ୍ଷା ଦେଇଥାନ୍ତି।

ଏଥିରୁ ପ୍ରାୟ ୭.୫ ଲକ୍ଷ ଛାତ୍ରଛାତ୍ରୀ ପାସ କରିଥାନ୍ତି। ପରୀକ୍ଷାରେ ପାସ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଅନେକ ସମସ୍ୟାର ସାମ୍‌ନା କରିବାକୁ ପଡିଥାଏ। ଦେଶର ସରକାରୀ ଏବଂ ଘରୋଇ ମେଡିକାଲ କଲେଜରେ ମୋଟ ଲକ୍ଷେ ୧୦ ହଜାର ସିଟ୍‌ ରହିଛି। ୭.୫ ଲକ୍ଷ ଛାତ୍ରଛାତ୍ରୀ ପାସ କରୁଥିବାବେଳେ ମାତ୍ର ଲକ୍ଷେ ୧୦ ହଜାର ନାମ ଲେଖାଇଥାନ୍ତି। ସଂରକ୍ଷଣ ଯୋଗୁଁ ଅନେକ ମେଧାବୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ନାମ ଲେଖାଇବାକୁ ସୁଯୋଗ ମିଳିନଥାଏ। ତେଣୁ ସେମାନେ ଚୀନ, ୟୁକ୍ରେନ, ରୁଷିଆ ଆଦିକୁ ମେଡିକାଲ ପଢିବାକୁ ଯାଇଥାନ୍ତି। ଏହା ପଛରେ ମଧ୍ୟ ବହୁତ ବଡ଼ କାରଣ ରହିଛି। ଭାରତରେ ସକରାରୀ କଲେଜରେ ଏମବିବିଏସ ପଢିବା ପାଇଁ ବର୍ଷକୁ ୩ ଲକ୍ଷ, ଘରୋଇ କଲେଜରେ ୨୦ ଲକ୍ଷ ଖର୍ଚ୍ଚ ହୋଇଥାଏ। ଘରୋଇ କଲେଜ ପାଇଁ ମଧ୍ୟ ଡୋନେସନ ଦେବାକୁ ପଡିଥାଏ। ଦେଖିବାକୁ ଗଲେ ଏମବିବିଏସ ୫ ବର୍ଷ ପଢିବା ପାଇଁ ଘରୋଇ କଲେଜରେ ପ୍ରାୟ ଏକ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ତେବେ ଅନ୍ୟ ଦେଶଗୁଡିକରେ ଏଥିପାଇଁ ୩୫ରୁ ୪୦ ଲକ୍ଷ ଖର୍ଚ୍ଚ ହୋଇଥାଏ। ଏଥିପାଇଁ ଛାତ୍ରଛାତ୍ରୀମାନେ ବିଦେଶକୁ ଡାକ୍ତରୀ ପଢିବାକୁ ଯାଇଥାନ୍ତି।

Leave A Reply

Your email address will not be published.