ମେହବୁବା ମୁଫତିଙ୍କ ବିବାଦୀୟ ବୟାନ; କହିଲେ ଯଦି ସୁରକ୍ଷାବାହିନୀ ଗୁଳିରେ ମରିଲେ ଠିକ୍‌, ତେବେ ଆତଙ୍କୀଙ୍କ ଗୁଳିରେ ମଲେ ଭୁଲ୍‌ କେଉଁଠି

ଶ୍ରୀନଗର: ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ତାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। କିଛି ଦିନ ତଳେ ତାଲିବାନର ଉଦାହରଣ ଦେଇ ମୋଦୀ ସରକାରଙ୍କୁ ଚେତାବନୀ ଦେଇଥିବା ମୁଫତି ପୁଣିଥରେ ତାଙ୍କର ଚିରାଚରିତ ଢଙ୍ଗରେ ଟାର୍ଗେଟ କରିଛନ୍ତି। ଆତଙ୍କବାଦୀଙ୍କ ଗୁଳିରେ ମୃତ୍ୟୁ ବରଣ କରିଥିବା ସାଧାରଣ ଲୋକଙ୍କୁ ଭେଟିବାକୁ ଯାଇଥିବା କଥା କହି ପିଡିପି ମୁଖ୍ୟ ମେହବୁବା ମୁଫତି କହିଛନ୍ତି ଯେ ଆତଙ୍କବାଦୀଙ୍କ ଗୁଳିରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ଆମେ ଭେଟିବାକୁ ଯାଇଥିଲୁ। କିନ୍ତୁ କିଛିଦିନ ତଳେ ସୁରକ୍ଷାବାହିନୀର ଗୁଳିରେ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଆମେ ତାଙ୍କ ପରିବାରକୁ ଭେଟିବାକୁ ଯିବା ସମୟରେ ତାଙ୍କ ଘରେ ତାଲା ପଡିଥିଲା। ଏହା ହେଉଛି କେନ୍ଦ୍ର ବିଜେପି ସରକାରଙ୍କ ବ୍ୟବସ୍ଥା । ସୁରକ୍ଷାବାହିନୀର ଗୁଳିରେ ମରିଥିବା କାରଣରୁ ତାଙ୍କ ପରିବାରକୁ କାହାରିକୁ ଭେଟିବାକୁ ଦିଆଯିବ ନାହିଁ। ତାଙ୍କୁ ଲୁଚାଇ ରଖାଯିବ। ଏହା ସେମାନଙ୍କର (କେନ୍ଦ୍ର ସରକାର) କେଉଁ ପ୍ରକାର ବ୍ୟବସ୍ଥା। ଯଦି ସୁରକ୍ଷାବାହିନୀର ଗୁଳିରେ  ସାଧାରଣ ନାଗରିକ ମଲେ ଠିକ୍‌,ତେବେ ଆତଙ୍କବାଦୀଙ୍କ ଗୁଳିରେ ମଲେ ଭୁଲ୍‌ କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ମୁଫତି।


ପିଡିପି ମୁଖ୍ୟ ମେହବୁବା ମୁଫତି କେନ୍ଦ୍ର ସରକାରଙ୍କ ଉପରେ ରାଜନୈତିକ ଲାଭ ପାଇଁ ବାହୁବଳ ନୀତି ବ୍ୟବହାର କରୁଥିବା ଆରୋପ ଲଗାଇବା ସହ କହିଛନ୍ତି ଜାମ୍ମୁ କାଶ୍ମୀର ସ୍ଥିତି ବିଗିଡ଼ିବାରେ ଲାଗିଛି। ଅନନ୍ତନାଗ ଜିଲ୍ଲାରେ ଗତ ଗୁରୁବାର ଦିନ ସିଆରପିଏଫ ଗୁଳିରେ ନିହତ ହୋଇଥିବା ଜଣେ ମୁସଲମାନ ବ୍ୟକ୍ତିଙ୍କ ପରିବାରକୁ ସାକ୍ଷାତ ନ କରେଇଦେବାକୁ ତାଙ୍କୁ ନଜରବନ୍ଦ କରି ରଖାଯାଇଛି।


ଅନ୍ୟପଟେ ଆଜି ମଧ୍ୟ ଟ୍ବିଟ୍‌ କରି ମୁଫତି ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଗିରଫକୁ ନେଇ କେନ୍ଦ୍ର ସରକାରଙ୍କୁ ହମଲା କରିଛନ୍ତି। ମୁଫତି ଆରୋପ ଲଗାଇଛନ୍ତି ଯେ ଏସବୁ ଏଇଥିପାଇଁ ହେଉଛି କାରଣ ଆର୍ଯ୍ୟନଙ୍କ ଉପନାମ ଖାନ। ତାଛଡା ଲଖିମପୁର ଖେରିରେ କୃଷକଙ୍କ ମୃତ୍ୟୁ ମାମଲାରେ ମଧ୍ୟ ସେ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅକୁ ନେଇ ଉଦାହରଣ ସୃଷ୍ଟି କରିବା ଛାଡି ୨୩ ବର୍ଷର ପୁଅକୁ ହଇରାଣ କରୁଛନ୍ତି। ମେହବୁବା ମୁଫତି ଟ୍ୱିଟ କରିଛନ୍ତି ଯେ, “୪ କୃଷକଙ୍କ ହତ୍ୟାର ଅଭିଯୁକ୍ତ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ମାମଲାରେ ଉଦାହରଣ ଦେବା ଛାଡି କେନ୍ଦ୍ର ଏଜେନ୍ସି ୨୩ ବର୍ଷର ପୁଅ ପଛରେ ପଡିଛି। କାରଣ ତାର ଉପନାମ ଖାନ। ନ୍ୟାୟର ବିଡମ୍ବନା ଯେ ବିଜେପିର ମୂଳ ଭୋଟ ବ୍ୟାଙ୍କକୁ ଖୁସି କରିବାକୁ ମୁସଲମାନଙ୍କୁ ଟାର୍ଗେଟ କରାଯାଉଛି।”

Leave a comment