ସେକ୍ସ ରାକେଟ୍ ଚଳାଇଥିଲେ ମେଘାଳୟ ବିଜେପି ଉପାଧ୍ୟକ୍ଷ, ଉତ୍ତରପ୍ରଦେଶରୁ ଗିରଫ କଲା ପୁଲିସ

ସିଲଂ: ସେକ୍ସ ରାକେଟ୍ ଚଳାଇଥିଲେ ମେଘାଳୟ ବିଜେପି ଉପାଧ୍ୟକ୍ଷ ବର୍ଣ୍ଣାଡ୍ ଏନ୍ ମାରାକ। ମେଘାଳୟ ରାଜ୍ୟର ପଶ୍ଚିମ ଗାରୋ ହିଲ୍ସ ଜିଲ୍ଲାର ତୁରାରେ ଥିବା ନିଜ ଫାର୍ମ ହାଉସରେ ସେକ୍ସ ରାକେଟ୍ ଚଳାଇଥିବା ଅଭିଯୋଗରେ ମଙ୍ଗଳବାର ପୁଲିସ ଏକ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିବା ବେଳେ ସନ୍ଧ୍ୟାରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ସେକ୍ସ ରାକେଟରେ ସଂପୃକ୍ତି ଜଣା ପଡ଼ିଯିବା ପରେ ଅଭିଯୁକ୍ତ ବର୍ଣ୍ଣାଡ୍ ଦେଶ ଛାଡ଼ି ଫେରାର ହୋଇଯିବାର ସମ୍ଭାବନା ରହିଥିବା ଜଣାପଡ଼ିବା ପରେ ପୁଲିସ୍ ପକ୍ଷରୁ ତାଙ୍କ ବିରୋଧରେ ଏହି ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଥିଲା। ତେବେ ପୁଲିସ ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ତାଙ୍କୁ ଉତ୍ତରପ୍ରଦେଶର ହାପୁରରୁ ଗିରଫ କରିଛି।
ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ ମେଘାଳୟ ରାଜ୍ୟର ପଶ୍ଚିମ ଗାରୋ ହିଲ୍ସ ଜିଲ୍ଲାର ତୁରାରେ ଥିବା ନିଜ ଫାର୍ମ ହାଉସରେ ସେକ୍ସ ରାକେଟ୍ ଚଳାଇଥିଲେ ମେଘାଳୟ ବିଜେପି ଉପାଧ୍ୟକ୍ଷ ବର୍ଣ୍ଣାଡ୍ ଏନ୍ ମାରାକ। ବର୍ଣ୍ଣାଡଙ୍କ ଫାର୍ମ ହାଉସରେ ପୁଲିସ ଶନିବାର ଚଢ଼ାଉ କରି ୬ ଜଣ ନାବାଳକଙ୍କୁ ଉଦ୍ଧାର କରିବା ଏବଂ ଅନ୍ୟ ୭୩ ଜଣଙ୍କୁ ଗିରଫ କରିବା ଜଣେ ପୂର୍ବତନ ଉଗ୍ରବାଦୀ ନେତା ତଥା ବର୍ତ୍ତମାନ ବିଜେପିର ଉପାଧ୍ୟକ୍ଷ ଥିବା ବର୍ଣ୍ଣାଡ ଫେରାର ହୋଇ ଯାଇଥିଲେ। ପଶ୍ଚିମ ଗାରୋ ହିଲ୍ସ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ସିଂ କହିଛନ୍ତି ଯେ ତୁରାର ବର୍ଣ୍ଣାଡ ଏନ ମାରାକ ଓରଫ ରିମ୍ପୁଙ୍କ ବିରୋଧରେ ଏକ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଥିଲା। ତୁରାର ଏକ ଅଦାଲତ ସୋମବାର ବିଜେପି ନେତାଙ୍କ ବିରୋଧରେ ଗିରଫଦାରୀ ପାଇଁ ଏକ ଜାମିନବିହୀନ ଗିରଫ ପରଓ୍ଵାନା ଜାରି କରିଥିଲେ।
ଶନିବାରଠୁ ମେଘାଳୟକୁ ଫେରାର ହୋଇଥିବା ବିଜେପି ଉପାଧ୍ୟକ୍ଷ ବର୍ଣ୍ଣାଡ୍ ଏନ୍ ମାରାକଙ୍କୁ ପୁଲିସ ଖୋଜୁଥିଲା। ତାଙ୍କୁ ମେଘାଳୟ ପୁଲିସ ଖୋଜୁଥିବା ବେଳେ ଆଜି ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଉତ୍ତରପ୍ରଦେଶର ହାପୁରରୁ ଏକ ଟ୍ୟାକ୍ସିରେ ଥିବାବେଳେ ଗିରଫ କରିଛି।