ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମେଘାଳୟ ଆଇଏଏସ୍‍ ଅଧିକାରୀଙ୍କ ନିଆରା ପ୍ରୟାସ: ୧୦ କିମି ଚାଲି ଚାଲି ଯାଇ ହାଟରୁ କିଣନ୍ତି ପରିବା, ସ୍ଥାନୀୟ ଚାଷୀ ଓ ଶିଳ୍ପ ସାମଗ୍ରୀକୁ କରନ୍ତି ପ୍ରୋତ୍ସାହନ

ସମସ୍ୟାକୁ ଆହ୍ୱାନ ଭାବେ ସମାଧାନ ଖୋଜନ୍ତି

ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବା(ଆଇଏଏସ) ୨୦୦୮ ବ୍ୟାଚର ଅଧିକାରୀ ରାମ ସିଂ। ଉତ୍ତର-ପୂର୍ବାଞ୍ଚଳର ଅନ୍ୟତମ ଭୂସ୍ୱର୍ଗ ମେଘାଳୟର ୱେଷ୍ଟ ଗାରୋ ହିଲ୍‍ର ଡ଼େପୁଟି କମିଶନର। ଆଇଏଏସ୍‍ ପରି ଏକ ସମ୍ମାନଜନକ ନିଯୁକ୍ତ, ଉଚ୍ଚ ବେତନ ଏବଂ କର୍ମସଂସ୍ଥାନଗତ ସୁରକ୍ଷା ସତ୍ତ୍ବେ ସାଧାରଣ ଜୀବନଶୈଳୀ ସାରା ଦେଶରେ ତାଙ୍କୁ କରିଛି ଚର୍ଚ୍ଚିତ। ତାଙ୍କର କାର୍ଯ୍ୟଶୈଳୀ ସ୍ଥାନୀୟ ଲୋକଙ୍କ ମନରେ ହସ ଫୁଟାଇବା ସହ ସେମାନଙ୍କର ସାମାଜିକ ଓ ଆର୍ଥିକ ପ୍ରଗତିରେ ସହାୟକ ହୋଇପାରିଛି। ସାଧାରଣ ବ୍ୟକ୍ତି ଓ ସାଧାରଣ ଜନତାଙ୍କ ମଧ୍ୟରେ ଦୂରତାକୁ ଦୂର କରି ଜଣେ ବାସ୍ତବ ପ୍ରଶାସକ ଭାବରେ ସେ ନିଜକୁ ଗଢ଼ି ତୋଳିଛନ୍ତି।

ପ୍ରାୟ ପ୍ରତି ସକାଳେ ଆଇଏଏସ୍‍ ରାମ ସିଂହ ପ୍ରାୟ ୧୦ କିଲୋମିଟର ଚାଲିଚାଲି ନିକଟସ୍ଥ ପାହାଡ଼ିଆ ହାଟକୁ ଯାଆନ୍ତି। ସେଠାରେ ବସୁଥିବା କ୍ଷୁଦ୍ର ତଥା ନାମମାତ୍ର ଚାଷୀଙ୍କ ଠାରୁ ପନିପରିବା କିଣନ୍ତି। ଚାଷୀଙ୍କ ସହ ସିଧାସଳଖ ଉତ୍ପାଦନ ଓ ବିକ୍ରିବଟା ନେଇ କଥା ହୁଅନ୍ତି। ନିଜେ ଫଳ ଓ ପନିପରିବା କିଣିବା ସହ ଅନ୍ୟମାନଙ୍କୁ ଚାଷୀଙ୍କଠାରୁ କ୍ରୟ କରିବାକୁ ପ୍ରୋତ୍ସାହିତ କରନ୍ତି। ସମୟ ସମୟରେ ନିଜ ସ୍ତ୍ରୀ,ପିଲାଙ୍କୁ ବି ରାମ ସିଂ ସଙ୍ଗରେ ନେଇ ଥାଆନ୍ତି। ପନିପରିବା ଏବଂ ଫଳ ଆଣିବା ପାଇଁ ସ୍ଥାନୀୟ କାରିଗରଙ୍କ ଦ୍ୱାରା ବାଉଁଶରେ ପ୍ରସ୍ତୁତ ପାଛୋଇ (ପିଠିରେ ପକା ଯାଉଥିବା ବାସ୍କେଟ) ବ୍ୟବହାର କରିଥାଆନ୍ତି ରାମ ସିଂହ। ରାମ ସିଂହ କହିଛନ୍ତି ଚାଲିଚାଲି ପରିବା କିଣିବା ଦ୍ୱାରା ଯାନବାହନ ପ୍ରଦୂଷଣରୁ ମୁକ୍ତି ମିଳିପାରୁଛି। ସାଧାରଣ ବାଉଁଶ ତିଆରି ପାଛୋଇ ଏବଂ ପନିପରିବା କିଣିବା ଦ୍ୱାରା ସ୍ଥାନୀୟ ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀ ଉପକୃତ ବି ହେଉଛନ୍ତି। ତାଙ୍କର ଏପରି କାର୍ଯ୍ୟ ମେଘାଳୟ ପ୍ରଶାସନରେ କାର୍ଯ୍ୟରତ ଅନ୍ୟ ଅଧିକାରୀଙ୍କୁ ବେଶ୍‍ ପ୍ରଭାବିତ କରିଛି। ସେହିପରି ତାଙ୍କ ପ୍ରଶାସନିକ ପରିଧି ମଧ୍ୟରେ ଆସୁଥିବା ବିଭିନ୍ନ ସମସ୍ୟାକୁ ଆହ୍ୱାନ ଭାବେ ଗ୍ରହଣ କରି ତା’ ସମାଧାନର ରାସ୍ତା ଖୋଜିପାଇବା ହିଁ ରାମ ସିଂଙ୍କୁ ଅନ୍ୟମାନଙ୍କ ଠାରୁ ଅଲଗା କରିଛି। କେବଳ ସାଧାରଣ ଜୀବନଶୈଳୀ ନୁହେଁ, ଜଣେ ଭଲ ପ୍ରଶାସକ ଭାବରେ ତାଙ୍କର ପ୍ରସିଦ୍ଧି ବଢ଼଼ିବାରେ ଲାଗିଛି। ସ୍କୁଲରେ ପିଲାଙ୍କ ସହ ଯାଇ ମଧ୍ୟାହ୍ନ ଭୋଜନ କରିବା, ଚାଷୀଙ୍କ ସମସ୍ୟା ବୁଝିବାକୁ ଯାଇ କ୍ଷେତରେ ପହଞ୍ଚିବା, କ୍ଷେତ୍ର ଅଧିକାରୀଙ୍କ ସହ ପ୍ରକଳ୍ପ ସ୍ଥାନରେ ନିର୍ମାଣାଧୀନ ପ୍ରକଳ୍ପର ଅନୁଧ୍ୟାନ କରିବା ତାଙ୍କର ଦୈନନ୍ଦିନ କାମ ପାଲଟିଛି।

Leave A Reply

Your email address will not be published.