ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ପିଟି ଦେଲା ବାଇକ୍, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ସକାଳୁ ସକାଳୁ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ପରୀକ୍ଷାର୍ଥୀଙ୍କୁ ପିଟିଦେଲା ବାଇକ। ପରୀକ୍ଷା ଦେବା ପାଇଁ ସ୍କୁଲକୁ ଯିବା ପରିବର୍ତ୍ତେ ଦୁର୍ଘଟଣାରେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଫଳରେ ଛାତ୍ର ଜଣଙ୍କ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି।
ଏପରି ଦୁର୍ଘଟଣା ଆଜି ସକାଳେ କେନ୍ଦୁଝର ଜିଲ୍ଲା ବି.ଏନ୍ ହାଇସ୍କୁଲ ନିକଟରେ ଘଟିଛି। ଦୁର୍ଘଟଣାରେ ଗୁରୁତର ଛାତ୍ରଜଣକ ହେଲେ ରୁଦ୍ର ନାରାୟଣ ଘଡ଼େଇ । ବର୍ତ୍ତମାନ ରୁଦ୍ର ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ସୂଚନା ଅନୁଯାୟୀ ଆଜି ତୃତୀୟ ଭାଷା ପରୀକ୍ଷା ଦେବା ପାଇଁ ରୁଦ୍ର ନିଜ ବାପାଙ୍କ ସହ ଏକ ବାଇକ୍ ଯୋଗେ ବି.ଏନ୍ ହାଇସ୍କୁଲସ୍ଥିତ ନିଜ ପରୀକ୍ଷା କେନ୍ଦ୍ରକୁ ଯାଉଥିଲେ। ମାତ୍ର ବି. ଏନ୍ ହାଇସ୍କୁଲ ନିକଟରେ ହଠାତ୍ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ରୁଦ୍ର ଓ ତାଙ୍କ ବାପା ବାଇକ୍ରୁ ଛିଟିକି ପଡ଼ିଥିଲେ। ଦୁର୍ଘଟଣାରେ ରୁଦ୍ରଙ୍କ ବାପା ସାମାନ୍ୟ ଆହତ ହୋଇଥିବା ବେଳେ ରୁଦ୍ରଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ସଙ୍ଗେ ସଙ୍ଗେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି।