ଏସ୍‌‌ଏଚ୍‌‌ଜିଙ୍କୁ ମିଳିବ ମାର୍କେଟିଂ ସୁବିଧା : ବାଲେଶ୍ୱର ଓ ଯାଜପୁରରେ ବି ଖୋଲିବ ମିଶନ ଶକ୍ତି ବଜାର

ଭୁବନେଶ୍ୱର : ବର୍ଷ ତମାମ ବିକ୍ରି ହେବ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉତ୍ପାଦିତ ସାମଗ୍ରୀ। ଏଥିପାଇଁ ଆରମ୍ଭ ହେବ ଖୋଲା ବଜାର। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଉତ୍ପାଦିତ ଗ୍ରାମୀଣ ସାମଗ୍ରୀ ପହଞ୍ଚିବ ସମସ୍ତଙ୍କ ପାଖରେ। ମହିଳାଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର କରାଯିବ ବିକ୍ରିବଟା। ମିଶନ୍‌‌ ଶକ୍ତିକୁ ନେଇ କରାଯିବ ସ୍ୱତନ୍ତ୍ର ବ୍ରାଣ୍ଡିଂ। ମିଶନ ଶକ୍ତି ବିଭାଗ ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ ଏବଂ ରୋଜଗାରକ୍ଷମ ହେବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ମହିଳାମାନେ ଏବେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ପାରଦର୍ଶିତା ପ୍ରଦର୍ଶିତ କରିପାରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ଓ ଓର୍‌‌ମାସ୍‌‌ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କ ହାତରେ ଗୁରୁ ଦାୟିତ୍ୱ ଦେଇଛନ୍ତି।

ଭୁବନେଶ୍ୱର ସମେତ ଯାଜପୁର ଓ ବାଲେଶ୍ୱର ଜିଲ୍ଲାରେ ବି ହେବ ମିଶନ ଶକ୍ତି ବଜାର। ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅନୁମୋଦନ ମଧ୍ୟ ମିଳିସାରିଛି। ଏଥିପାଇଁ ପ୍ରସ୍ତୁତି ଜାରି ରହିଛି। ରାଜ୍ୟର ମହିଳା ଏସ୍‌‌ଏଚ୍‌‌ଜିଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ଏକ ନୂଆ ଦିଗ୍‌‌ଦର୍ଶନ ଦେବା ଓ ସେମାନଙ୍କ ପାଇଁ ମାର୍କେଟିଂର ସୁବିଧା ଯୋଗାଇଦେବା ପାଇଁ ଯାଜପୁର ସଠିପୁରରେ ହେବ ‘ମିଶନ୍‌‌ଶକ୍ତି ଭିଲେଜ୍‌‌ ବା ଗ୍ରାମ’ କରାଯିବ। ଏଥିପାଇଁ ରାଜ୍ୟସରକାର ଓ ମିଶନ ଶକ୍ତି ବିଭାଗ ତରଫରୁ ଅନୁମୋଦନ ମିଳିସାରିଛି। ଖୁବଶୀଘ୍ର ଏହି ମିଶନ୍‌‌ ଶକ୍ତି ଭିଲେଜ୍‌‌ ନିର୍ମାଣ କରାଯାଇ ମା’ମାନଙ୍କୁ ଆହୁରି ସଶକ୍ତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ମିଶନ୍‌‌ ଶକ୍ତି ଭିଲେଜ୍‌‌ ଯାଜପୁର ଜିଲ୍ଲା ପ୍ରଶାସନ ଓ ଓମ୍‌‌ବାଡ୍‌‌ସି ସହଯୋଗରେ ନିର୍ମାଣ କରାଯିବ। ସେହିପରି ବାଲେଶ୍ୱ ଜିଲ୍ଲାରେ ମଧ୍ୟ ମିଶନ୍‌‌ ଶକ୍ତି ବଜାର ନିର୍ମାଣ କରାଯାଇ ମହିଳାମାନଙ୍କୁ ଅର୍ଥନୈତିକ କ୍ଷେତ୍ରରେ ସଶକ୍ତ କରିବା ସହ ଏସ୍‌‌ଏଚ୍‌‌ଜିଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ପାଇଁ ସୁଯୋଗ ମିଳିପାରିବ।

ରାଜ୍ୟର ମହିଳା ମହାସଂଘର ମହିଳା ଏସ୍‌‌ଏଚ୍‌‌ଜିର ସଦସ୍ୟାମାନେ ମିଶନ ଶକ୍ତି ବଜାରର ସମସ୍ତ ଦାୟିତ୍ୱ ସମ୍ଭାଳିବେ। ମହିଳା ଏସ୍‌‌ଏଚଜିଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିଭିନ୍ନ ପ୍ରକାରର ପିଠା, ହଳଦୀ, ବଡ଼ି, ପାମ୍ପଡ଼, ସବାଇ ହସ୍ତଶିଳ୍ପ, ଡୋକ୍ରା, ଝୋଟ ସାମଗ୍ରୀ ବ୍ୟତୀତ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ଆଦିର ବ୍ୟବସାୟିକରଣ ପାଇଁ ବର୍ଷତମାମ ସୁବିଧାସୁଯୋଗ ପାଇପାରିବେ। ଏହାସହିତ ଗ୍ରାମାଞ୍ଚଳର ସାମଗ୍ରୀକୁ ସହଜ ଉପାୟରେ ବ୍ରାଣ୍ଡିଂ ଓ ପ୍ୟାକେଜିଂ କରାଯାଇ ବିକ୍ରି କରାଯିବ। ଏଥିପାଇଁ ମିଶନ ଶକ୍ତି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଥିବାବେଳେ ମା’ମାନଙ୍କ ପ୍ରସ୍ତୁତ ସାମଗ୍ରୀ ବିକ୍ରିବଟା ଓ ମାର୍କେଟ ଲିଙ୍କେଜ୍‌‌ ପାଇଁ ମିଶନ ଶକ୍ତି, ଓଡ଼ିଶା ଜୀବିକା ମିଶନ ଓ ଓର୍‌‌ମାସ ପକ୍ଷରୁ ସହଯୋଗ ଯୋଗାଇ ଦିଆଯିବ। ଏହାସହିତ ଏହି ବଜାରରେ ଏସ୍‌‌ଏଚ୍‌‌ଜିଙ୍କ ପ୍ରସ୍ତୁତ ସାମଗ୍ରୀର ପ୍ରଦର୍ଶନୀ କରାଯିବ।

ଯେକୌଣସି ସମୟରେ ଗ୍ରାହକମାନେ ‘ମିଶନ ଶକ୍ତି ବଜାର’ ଯାଇ ମା’ଙ୍କ ହାତତିଆରି ସାମଗ୍ରୀ ଦେଖିବା ସହ କିଣିପାରିବେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ଗ୍ରାମୀଣ ବିକାଶ ପ୍ରତିଷ୍ଠାନ ପରିସରରେ ଏହି ମିଶନ ଶକ୍ତି ବଜାର କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଭୁବନେଶ୍ୱରରେ ଖୁବ୍‌‌ଶୀଘ୍ର ଏହି ବଜାର କାମ ଶେଷ ହେବାପରେ ବିକ୍ରିବଟାର ବ୍ୟବସ୍ଥା କରାଯିବ। ସହଜ ଓ ସରଳ ଉପାୟରେ ବିକ୍ରି ବଟା କରିବା ପାଇଁ ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ମାର୍କେଟିଂ ସୁବିଧା ପାଇଁ ସହଯୋଗ ଯୋଗାଇଦିଆଯିବ। ଉତ୍ପାଦକ ଗୋଷ୍ଠୀମାନ କରାଯାଇ ବିକ୍ରିବଟା ପରେ ଲାଭାଂଶ ସିଧାସଳଖ ଏସ୍‌‌ଏଚ୍‌‌ଜିଙ୍କ ନିକଟକୁ ଯିବ। ଆସନ୍ତା ୫ବର୍ଷ ମଧ୍ୟରେ ସାରା ରାଜ୍ୟରେ ୫ଶହଟି ମିଶନ୍‌‌ ଶକ୍ତି ବଜାର ପ୍ରତିଷ୍ଠା କରାଯିବାର ଥିବାବେଳେ ପ୍ରାଥମିକ ପର୍ଯ୍ୟାୟରେ ଏହି ୩ ସ୍ଥାନରେ ମିଶନ୍‌‌ ଶକ୍ତି ବଜାର ଖୋଲାଯିବାର ନିଷ୍ପତ୍ତି ହୋଇଛି।

Leave a comment