କରୋନା ଚଡକରେ ଭୟଭୀତ ଲାଲ ସେନା, ଆତ୍ମସମର୍ପଣ କଲେ ମାଓ ଦମ୍ପତ୍ତି

ରାଜ୍ୟରେ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ପ୍ରତିଦିନ ଲକ୍ଷାଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ବହୁତ ଲୋକ ମୃତ୍ୟୁବରଣ କରୁଛନ୍ତି । ସହରରୁ ଗାଁକୁ ବ୍ୟାପିଥିବା କରୋନା ଏବେ ଲାଲବାହିନୀରେ ଆତଙ୍କ ସୃଷ୍ଟି କରିଛି । ଆଜି ଛତିଶଗଡ଼ ବସ୍ତର ଆଇଜି ପି ସୁନ୍ଦର ରାଜଙ୍କ ନିକଟରେ ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ ଅର୍ଜୁନ୍ ତାତି ଓ ଲକ୍ଷ୍ମୀ ପଦା ଆତ୍ମସମର୍ପଣ କରିଛନ୍ତି । ଛତିଶଗଡ କାଙ୍କେର ଜିଲ୍ଲାର ପ୍ରତାପପୁର ଏରିଆ କମିଟିରେ ସକ୍ରିୟ ଥିବା ଏହି ମାଓ ଦମ୍ପତ୍ତି କିଛି ଦିନ ହେବ କରୋନାରେ ସଂକ୍ରମିତ ହୋଇଥିଲେ । ପରେ ଚିକିତ୍ସା ପାଇଁ ସବୁଆଡେ ବୁଲିବା ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବାଧ୍ୟ ହୋଇ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।

ତେବେ ସେମାନଙ୍କ କରୋନା ପରୀକ୍ଷା କରାଯାଇଥିବା ବେଳେ ସେମାନେ କୋଭିଡ ପଜିଟିଭ ଥିବା ଜଣାପଡିଛି । ଗତ କିଛି ଦିନ ଧରି ମାଓବାଦୀଙ୍କୁ କରୋନା ନେଇ ଚର୍ଚ୍ଚା ହେଉଥିଲା । ଅନେକ ମାଓବାଦୀ କରୋନା ଓ ଫୁଡ ପଏଜନ ଯୋଗୁଁ ପ୍ରାଣ ହରାଇବା ସହ ଅନେକ ଆକ୍ରାନ୍ତ ଥିବା ଜଣାପଡିବା ପରେ ଆତ୍ମସମର୍ପଣ କରି ଚିକିତ୍ସା ସୁବିଧା ପାଇବା ପାଇଁ ପୁଲିସ ଆହ୍ୱାନ ଦେଇଥିଲା । ଏହି କ୍ରମରେ ମାଓ ଦମ୍ପତି ଆତ୍ମସମର୍ପଣ କରିଥିଲେ । ଏମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଛି । ସୁସ୍ଥ ହେବା ପରେ ଏମାନଙ୍କ ଆତ୍ମସମର୍ପଣ ପ୍ରକ୍ରିୟା କରାଯିବ ବୋଲି ବସ୍ତର ଆଇଜି ସୁନ୍ଦରରାଜ ପି. ସୁଚନା ଦେଇଛନ୍ତି ।

Leave a comment