ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହେନ୍ତାଳ ଜଙ୍ଗଲ ପୁନରୁଦ୍ଧାର ପାଇଁ ମାଷ୍ଟର ପ୍ଲାନ୍‍ : ଭିତରକନିକାରେ ଫିଶ୍‌ ବୋନ୍‍ ଚ୍ୟାନେଲ୍‍

ଭୁବନେଶ୍ୱର : ହେନ୍ତାଳ ଜଙ୍ଗଲର ପୁନରୁଦ୍ଧାର ପାଇଁ ବନ ବିଭାଗ ଚଳିତ ବର୍ଷ ନୂଆ ରଣନୀତି ପ୍ରସ୍ତୁତ କରିଛି। ବଦଳୁଥିବା ଜଳବାୟୁକୁ ସାମ୍ନା କରିବା ସହ ସହ ବିପର୍ଯ୍ୟୟ ମୁକାବିଲା ଏହି ଯୋଜନାର ମୂଳ ଆଭିମୁଖ୍ୟ। ନୂଆ ହେନ୍ତାଳ ଜଙ୍ଗଲ ସୃଷ୍ଟି କରିବା ସହ ପୁରୁଣା ଜଙ୍ଗଲର ପୁନରୁଦ୍ଧାର, ସ୍ଥାନୀୟ ଲୋକଙ୍କୁ କର୍ମନିଯୁକ୍ତି ମିଳିବା ପାଇଁ ବିଭାଗ ଏଭଳି ପରିକଳ୍ପନାକୁ ବାସ୍ତବ ରୂପ ଦେବାକୁ ପ୍ରୟାସ ଆରମ୍ଭ କରିଛି। କେନ୍ଦ୍ରାପଡ଼ାର ଭିତରକନିକା ସମେତ ପୁରୀ, ବାଲେଶ୍ୱର, ଯାହାର ପ୍ରାଥମିକ କାମ ଭିତରକନିକାରୁ ଆରମ୍ଭ କରାଯାଉଛି।

ଏକ୍ରିକ୍‌ ପ୍ରକଳ୍ପ ଅଧୀନରେ ହେନ୍ତାଳ ଜଙ୍ଗଲ ପୁନରୁଦ୍ଧାର ପାଇଁ ଏସବୁ ଯୋଜନା କରାଯାଉଛି। ଏଥିପାଇଁ ସ୍ୱତନ୍ତ୍ର ମେଗା ନର୍ସରୀ ନିର୍ମାଣ କରାଯାଉଛି। କନିକା ବନ୍ୟଜନ୍ତୁ ବନାଞ୍ଚଳରେ ୦.୧ ହେକ୍ଟର ପରିମିତ ଜାଗା ଚିହ୍ନଟ କରାଯାଇଛି। ଯେଉଁଠି ରାଜନଗର ବନଖଣ୍ଡ ପକ୍ଷରୁ ୬୪ ପ୍ରଜାତିର ହେନ୍ତାଳ ଗଛ ଲଗାଯିବ। ମେଗା ମଡେଲ ନର୍ସରୀର ନିର୍ମାଣ ଓ ଏହାର ପାରିପାର୍ଶ୍ବିକ ବିକାଶ ସମ୍ପର୍କରେ ସୂଚନା ଦେଇ କନିକା ବନ୍ୟଜନ୍ତୁ ବନାଞ୍ଚଳ ଅଧିକାରୀ ମାନସ କୁମାର ଦାସ କହିଛନ୍ତି; ଦେଶରେ ଯେତିକି ପରିମାଣରେ ହେନ୍ତାଳ ଜଙ୍ଗଲ ଦେଖାଯାଏ ତା’ର ୫.୧୭% କେବଳ ଓଡ଼ିଶାରେ। ଯଦିଓ ସୁନ୍ଦରବନରେ ହେନ୍ତାଳ ଜଙ୍ଗଲର ପରିସୀମା ସର୍ବାଧିକ ହେଲେ ଭିତରକନିକାରେ ଦ୍ୱିତୀୟ ସର୍ବାଧିକ ପ୍ରଜାତିର ହେନ୍ତାଳ ଗଛ ଦେଖାଯାଇଥାନ୍ତି। ସାରା ବିଶ୍ୱକୁ ଏ ବାବଦରେ ଅବଗତ କରାଇବା ସହ ଭିତରକନିକାକୁ ହେନ୍ତାଳ ଜଙ୍ଗଲ ପାଇଁ ନୂଆ ପରିଚୟ ଦେବା ଏଭଳି ମେଗା ନର୍ସରୀର ମୂଳ ଆଭିମୁଖ୍ୟ। ଅନେକ ହେନ୍ତାଳ ଗଛର ମଞ୍ଜିଥିବା ବେଳେ କିଛ ବିରଳ ପ୍ରଜାତିର ହେନ୍ତାଳ ଗଛର ମଞ୍ଜି ଧାରଣ କ୍ଷମତା ନାହିଁ। ଏଭଳି ସ୍ଥିତିରେ ଏମାନଙ୍କର ସଂରକ୍ଷଣ ଜରୁରୀ। ବର୍ତ୍ତମାନ ସୁଦ୍ଧା ୩୨ ପ୍ରଜାତିର ହେନ୍ତାଳ ଗଛ ନର୍ସରୀରେ ସ୍ଥାନ ପାଇଥିବା ବେଳେ ବଳକା ପ୍ରଜାତିକୁ ଆମେ ଭିତରକନିକା, ମହାନଦୀ ଅବବାହିକାର କିଛି ସ୍ଥାନ, ଦେବୀ ମୁହାଣ, ଧାମରା ମୁହାଣ ଓ କାଳିଭଞ୍ଜଡିଆ ଅଞ୍ଚଳରୁ ସଂଗ୍ରହ କରୁଛୁ। ଆସନ୍ତା ୬ ମାସ ଭିତରେ ପ୍ରାୟତଃ ସମସ୍ତ ୬୪ ପ୍ରଜାତିର ହେନ୍ତାଳ ଗଛର ମଞ୍ଜିକୁ ଆମେ ସଂଗ୍ରହ କରିପାରିବୁ ବୋଲି ଆଶା।

ଏହାବାଦ୍‍ ଭିତରକନିକା ଭିତରେ ଚାରୋଟି ସ୍ଥାନରେ ପୁରୁଣା ହେନ୍ତାଳ ଜଙ୍ଗଲର ପୁନରୁଦ୍ଧାର ଚାଲିଛି। ପୁରୁଣା ବଗବନ, ମଠ ଆଡିଆ, ଭଣ୍ଡିତୁଠ ପାଟିଆ, ରଣଭଞ୍ଜଡିଆ ଆଦି ଅଞ୍ଚଳରେ ୫ ହେକ୍ଟର ଲେଖାଏଁ ସମୁଦାୟ ୨୦ ହେକ୍ଟର ଜାଗାରେ ଜୁଆରକୁ ଭିତରକୁ ପଶିବାର ବ୍ୟବସ୍ଥା କରାଯାଇଛି। ଫଳରେ ଏହା ହେନ୍ତାଳ ଜଙ୍ଗଲକୁ ପାଣଇ ଯୋଗାଇବା ସହ ଏହାର ଲବଣାକ୍ତ ଅଂଶକୁ ସନ୍ତୁଳିତ କରି ରଖିବା ଦିଗରେ ସାହାଯ୍ୟ କରୁଛି। ଏଥିପାଇଁ ମୁଖ୍ୟ ଚ୍ୟାନେଲରୁ କ୍ରିକ୍‍ ଯୋଗେ ପାଣି ପହଞ୍ଚାଇବାର ବ୍ୟବସ୍ଥା କରାଯିବା ସହ ଚାରିପାଖରେ ଚ୍ୟାନେଲ୍‍ ଖୋଳାଯାଇଛି। ଯେଉଁଠି ପାଖାପାଖି ୧୫ରୁ ୨୦ ପ୍ରଜାତିର ହେନ୍ତାଳ ଗଛ ରହିଛି।

ଭିତରକନିକା ଭିତରକୁ ପାଣି ପଶିବା ପାଇଁ ପୂର୍ବରୁ ଯେଉଁ ମୁଖ୍ୟ ନାଳ ଥିଲା ସେଗୁଡିକ ପଟୁଯୋଗୁଁ ପୋତି ହୋଇ ଯାଉଥିବାରୁ ତାକୁ ଖୋଳାଯିବା କାମ ଆରମ୍ଭ କରାଯାଇଛି। ଏହାସହ ଭିତରକନିକା ବାହାରେ ଜବତ୍‍ ହୋଇ ରହିଥିବା ପାଖାପାଖି ୨୦୦ ହେକ୍ଟର ଜମିରୁ ବେଆଇନ ଘେରି ଉଚ୍ଛେଦ କରାଯାଇଛି। ସେଥିମଧ୍ୟରୁ ପାଖାପାଖି ୬୫ ହେକ୍ଟର ଘେରି ସରକାରୀ ଜମିରେ ଗଢ଼ି ଉଠିଥିବା ବେଳେ ଏବେ ସେହି ଜମିରେ ନୂଆ କରି ହେନ୍ତାଳ ଜଙ୍ଗଲ କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। କାନ୍‍ସିରା ଫରେଷ୍ଟ ବ୍ଲକ, କଟିଆଖାଇ ଫରେଷ୍ଟ ବ୍ଲକ, ଜିଆନାଳି, ବିରାଡିପାଳ ଅଞ୍ଚଳର ପାଖାପାଖ୬୦ ହେକ୍ଟର ଜାଗାରେ ଫିସ୍‍ବୋନ୍‍ ଚ୍ୟାନେଲ (ମାଛ କଣ୍ଟା ନାଳ) ପ୍ରସ୍ତୁତ କରାଯାଇଛି। ଯେଉଁଠି ଜୁଆର ଓ ଭଟ୍ଟାକୁ ସନ୍ତୁଳିତ କରି ରଖିବା ପାଇଁ ମୁଖ୍ୟ କ୍ରିକ୍‍ରୁ ମୁଖ୍ୟନାଳ ଦେଇ ଅନ୍ୟ ନାଳକୁ ପାଣି ଠିକ୍‍ ଭାବେ ପ୍ରବେଶ ଓ ପ୍ରସ୍ଥାନ କରିପାରିବ।

ହେନ୍ତାଳ ପୁନରୁଦ୍ଧାର ସହ ସ୍ଥାନୀୟ ଲୋକ କିପରି ଜୀବନ ଜୀବିକାକୁ ବ୍ୟବସ୍ଥିତ କରିପାରିବେ ଏଥିପାଇଁ ଏକ୍‍ରିକ୍‍ ପ୍ରକଳ୍ପ ଅଧୀନରେ କାମ ଆରମ୍ଭ କରାଯାଇଛି। ଜିଲ୍ଲା ପ୍ରଶାସନ ସହାୟତାରେ ବନ ବିଭାଗ ଏହି କାମ କରୁଥିବା ବେଳେ ଏଥିପାଇଁ ନୂଆକରି ଇଡିସି (ଇକୋ ଡେଭେଲପ୍‍ମେଣ୍ଟ କମିଟି) ଗଠନ କରାଯାଇଛି। ଏହାଛଡା ଯେଉଁ ସ୍ଥାନରେ ହେନ୍ତାଳ ଜଙ୍ଗଲ ପୁନରୁଦ୍ଧା ଓ ନୂଆ ହେନ୍ତାଳ ବଣ ସୃଷ୍ଟି କରାଯିବ ସେଠାରେ ମାମାନଙ୍କୁ କଙ୍କଡା ଚାଷ, ମଧୁର ମାଛ ଚାଷ, ବତକ ଓ ଛେଳିପାଳନ, ଧାନ ଚାଷ ଭଳି ବିଭିନ୍ନ ଯୋଜନାରେ ସାମିଲ କରାଯିବାକୁ ଚିନ୍ତା କରାଯାଇଛି।

Leave A Reply

Your email address will not be published.