ପୁଲିସ ହଜାଇ ଦେଲା ଅଭିଯୋଗ କପି : ସିପିଙ୍କ ଦ୍ୱାରସ୍ଥ ହେଲେ ଅଭିଯୋଗକାରୀ

ଭୁବନେଶ୍ୱର : ଅଭିଯୋଗ ହେବାର ୨୪ ଘଣ୍ଟା ମଧ୍ୟରେ ମାମଲା ରୁଜୁ କରି ଏତଲା କପି ଦେବାର ନିୟମ ରହିଛି। ହେଲେ ପୁଲିସ ଅଭିଯୋଗ କପି ରଖୁଛି ସତ, କିନ୍ତୁ ମାମଲା ରୁଜୁ କରି ନ୍ୟାୟ ଦେବା ବଦଳରେ ଅଭିଯୋଗ କପିକୁ ହଜାଇ ଦେଉଛି। ଏଭଳି ସଙ୍ଗିନ ଅଭିଯୋଗ ଆସିଛି ମଞ୍ଚେଶ୍ୱର ଥାନା ପୁଲିସ ବିରୋଧରେ। ପୁଲିସର ଏଭଳି କାର୍ଯ୍ୟ ପାଇଁ ଭଙ୍ଗାଗୋଡ଼ରେ ଅଭିଯୋଗକାରୀ ସବ୍ୟସାଚ୍ଚୀ ସାହୁ ପୁଲିସ କମିସନ୍ରଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସବୁ ଘଟଣା ବିଷୟରେ ସିପିଙ୍କୁ ଜଣାଇବା ସହ ନ୍ୟାୟ ମାଗିଛନ୍ତି। ଖୁବ୍ଶୀଘ୍ର ତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିପି ପ୍ରତିଶ୍ରୁତି ଦେଇଥିବା ସବ୍ୟସାଚ୍ଚୀ କହିଛନ୍ତି।
ସୂଚନାଯୋଗ୍ୟ, ରସୁଲଗଡ଼ ପଳାଶୁଣି ଅଞ୍ଚଳର ସବ୍ୟସାଚ୍ଚୀ ସାହୁ ଗତ ୯ ତାରିଖରେ ପଳାଶୁଣି ବସ୍ଷ୍ଟାଣ୍ଡ ନିକଟରେ ଛିଡ଼ା ହୋଇଥିବା ସମୟରେ ଜଣେ ଯୁବତୀ ସ୍କୁଟିରେ ଆସି ତାଙ୍କୁ ଧକ୍କା ଦେଇଥିଲେ। ଦୁର୍ଘଟଣାରେ ଏହି ଯୁବକଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିଲା। ଏନେଇ ଯୁବକଙ୍କ ବାପା ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ଏନେଇ ଥାନା ଅଧିକାରୀଙ୍କୁ ଅଭିଯୋଗକାରୀ ପଚାରିବାରୁ ଅଭିଯୋଗ କପି ହଜାଇ ଦେଇଥିବା କହିଥିଲେ। ମାମଲାକୁ ଚାପି ଦେବାକୁ ପୁଲିସ ଜାଣିଶୁଣି ଏଭଳି ହଜିଯିବାର ନାଟକ କରିଥିବା ସବ୍ୟସାଚ୍ଚୀ କହିଛନ୍ତି। ଗତ ଗୁରୁବାର ମଧ୍ୟ ଜଣେ ମହିଳା ମଞ୍ଚେଶ୍ୱର ପୁଲିସ ବିରୋଧରେ ଏଭଳି ଅଭିଯୋଗ ଆଣିଥିଲେ।