ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ନେବା ପରେ ଆକ୍ସନ ମୋଡରେ ମଲ୍ଲିକାର୍ଜୁନ ଖଡଗେ,ସିଡବ୍ଲୁସି ସ୍ଥାନରେ ଗଢିଲେ ୪୭ ଜଣିଆ କମିଟି

ନୂଆଦିଲ୍ଲୀ : ଆଜି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଆଜି ‘ଏଆଇସିସି’ ମୁଖ୍ୟାଳୟରେ ସୋନିଆ ଗାନ୍ଧୀ ୮୦ ବର୍ଷିୟ ଖଡ଼ଗେଙ୍କୁ ‘ସାର୍ଟିଫିକେଟ୍‌’ ପ୍ରଦାନ କରିଛନ୍ତି। ପ୍ରାୟ ୨୪ ବର୍ଷ ପରେ ଏହି ପଦବୀ ଅଳଙ୍କୃତ କରିବାରେ ଖଡ଼ଗେ ହେଉଛନ୍ତି ପ୍ରଥମ ଅଣ-ଗାନ୍ଧୀ। କଂଗ୍ରେସ ମୁଖ୍ୟରୂପେ ତାଙ୍କର ପ୍ରଥମ ଅଭିଭାଷଣରେ ଖଡ଼ଗେ ଦଳର ନିର୍ବାଚନରେ ତାଙ୍କୁ ଭୋଟ୍‌ ଦେଇଥିବା ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦ ଜଣାଇଥିଲେ। ତେବେ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ନେବା ପରେ ଆକ୍ସନ ମୋଡକୁ ଆସିଛନ୍ତି ମଲ୍ଲିକାର୍ଜୁନ ଖଡଗେ । ସିଡବ୍ଲୁସି ସ୍ଥାନରେ ସେ ନୂଆ ଷ୍ଟିଅରିଂ କମିଟି ଗଠନ କରାଯାଇଛି । ଏଥିରେ କଂଗ୍ରେସ ୱାର୍କିଂ କମିଟିର ପ୍ରାୟ ସମସ୍ତ ସଦସ୍ୟଙ୍କୁ ସାମିଲ କରାଯାଇଛି ।

ଗଠନ କରାଯାଇଥିବା ନୂଆ କମିଟିରେ ୪୭ ଜଣ ସଦସ୍ୟଙ୍କୁ ସ୍ଥାନ ମିଳିଛି। ମାତ୍ର ଶଶି ଥରୁରଙ୍କ ନାମ ଏଥିରେ ସାମିଲ୍ ନାହିଁ। ଜି-୨୩ ଗୋଷ୍ଠୀର ଅନେକ ନେତାଙ୍କୁ ତାଲିକାରେ ସ୍ଥାନ ମିଳିନାହିଁ। ତାଲିକାରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ମନମୋହନ ସିଂହ, ଏକେ ଆଣ୍ଟୋନୀଙ୍କ ପରି ନେତା ସାମିଲ୍। ଯେ ପର୍ଯ୍ୟନ୍ତ ନୂତନ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଗଠନ ନହୋଇଛି ସେ ପର୍ଯ୍ୟନ୍ତ ପରିଚାଳନା କମିଟି ଜରିଆରେ ପାର୍ଟି ସଞ୍ଚାଳନ ହେବ।

ସୂଚନା ଅନୁଯାୟୀ, ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସ ସମ୍ବିଧାନକୁ ଦୃଷ୍ଟିରେ ରଖି ନୂତନ କମିଟି ଗଠନ କରିଛନ୍ତି। ତାଲିକାରେ ଅଭିଷେକ ମନୁ ସିଙ୍ଘଭି, ଆନନ୍ଦ ଶର୍ମା, ରଣଦୀପ ସୁରଜେଓ୍ଵାଲା, ଅଜୟ ମାକନ, ଦିଗବିଜୟ ସିଂହ, ଅମ୍ବିକା ସୋନି, ହରିଶ ରାଓ୍ଵତ, ଜୟରାମ ରମେଶ, କେସି ବେଣୁଗୋପାଳ, ମୀରା କୁମାର, ପିଏଲ ପୁନିଆ, ପ୍ରମୋଦ ତିଓ୍ଵାରୀ, ସଲମାନ ଖୁର୍ସିଦ, ରାଜୀବ ଶୁକ୍ଳାଙ୍କୁ ବି ସାମିଲ୍ କରାଯାଇଛି। କିନ୍ତୁ ପ୍ରଶ୍ନ ଉଠିଛି ଯେ କମିଟିରେ ଶଶି ଥରୁରଙ୍କୁ କାହିଁକି ସ୍ଥାନ ଦିଆଗଲାନି। ମଲ୍ଲିକାର୍ଜୁନ ଖଡଗେଙ୍କ ବିରୋଧରେ ଶଶି ଥରୁର କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିଥିଲେ। ସେ ମତଗଣନା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଗଣମାଧ୍ୟମ ସମ୍ମୁଖରେ ଏ ସମ୍ପର୍କରେ ବି ବୟାନ ଦେଇଥିଲେ। ତାଙ୍କର ଏହି ବ୍ୟବହାରରେ ପାର୍ଟି ଅସନ୍ତୋଷ ପ୍ରକାଶ କରିଥିଲା। ଏପରିକି ଥରୁର ଗଣମାଧ୍ୟମ ସମ୍ମୁଖରେ ପାର୍ଟିର ଏକ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥିଲେ। ଥରୁରଙ୍କ ବ୍ୟତୀତ ଜି-୨୩ ଗ୍ରୁପର ସଦସ୍ୟ ଆନନ୍ଦ ଶର୍ମା, ମୁକୁଲ ଓ୍ଵାସନିକ, ମନୀଷ ତିଓ୍ଵାରୀ, ପିଜେ କୁରିୟନ, ପୃଥ୍ଵୀରାଜ ଚହ୍ଵାନ, ଭୂପେନ୍ଦ୍ର ହୁଡ୍ଡାଙ୍କୁ ମଧ୍ୟ ନୂତନ ସଞ୍ଚାଳନ କମିଟିରେ ସ୍ଥାନ ଦିଆଯାଇ ନାହିଁ।

ଉଲ୍ଲେଖଯୋଗ୍ୟ ମଲ୍ଲିକାର୍ଜୁନ ଖାଡଗେ ଅଧ୍ୟକ୍ଷ ହେବା ପରେ ମୁଁ ବେଶ୍ ଆରାମ ଅନୁଭବ କରୁଛି ବୋଲି ସୋନିଆ କହିଛନ୍ତି। ଏଥିସହ ସହଯୋଗ ଓ ସମର୍ଥନ ପାଇଁ ସେ କଂଗ୍ରେସ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। କଂଗ୍ରେସର ଏହି କାର୍ଯ୍ୟ କ୍ରମରେ ସୋନିଆ ଗାନ୍ଧିଙ୍କ ସମେତ ରାହୁଲ ଗାନ୍ଧି ଓ ଅନେକ ବରିଷ୍ଠ ନେତା ସାମିଲ ଥିଲେ।କଂଗ୍ରେସ ଅଧ୍ୟକ୍ଷ ପଦ ଦାୟିତ୍ୱ ଗ୍ରହଣ କରିବା ପରେ ଖଡଗେଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ। ଗୋଟିଏ ପଟେ ରାଜସ୍ଥାନରେ ରାଜନୈତିକ ସଂକଟ ବଡ଼ ଆହ୍ୱାନ ସୃଷ୍ଟି କରିଥିବା ବେଳେ ସେପଟେ ଆଗାମୀ କିଛି ସପ୍ତାହ ପରେ ଗୁଜରାଟ ଓ ହିମାଚଳ ପ୍ରଦେଶରେ ହେବାକୁଥିବା ବିଧାନସଭା ନିର୍ବାଚନ ମଧ୍ୟ ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।

Leave A Reply

Your email address will not be published.