ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୨ : ଜାଣନ୍ତୁ କେଉଁ କ୍ଷେତ୍ରରୁ ଆସିଛି କେତେ ନିବେଶ ପ୍ରସ୍ତାବ….

ଭୁବନେଶ୍ୱର: ଶେଷ ହୋଇଛି ଶିଳ୍ପ ମହାକୁମ୍ଭ ‘ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌-୨୦୨୨’। ସଫଳ ହୋଇଛି ଏହି ବୃହତ୍‌ ନିବେଶକ ସମ୍ମିଳନୀ। କନକ୍ଲେଭ୍‌କୁ ନିବେଶଙ୍କ ଆଡୁ ମିଳିଛି ଆଶାତୀତ ପ୍ରତିକ୍ରିୟା। ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌ର ଏହି ତୃତୀୟ ସଂସ୍କରଣରେ ରାଜ୍ୟ ସରକାରଙ୍କୁ ସର୍ବମୋଟ ସାଢ଼େ ଦଶ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଛି। ଏହାଫଳରେ ରାଜ୍ୟରେ ୧୦.୫ ଲକ୍ଷ ପ୍ରତ୍ୟେକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଗତକାଲି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ୍‌ ପଟ୍ଟନାୟକ କହିଛନ୍ତି। କନକ୍ଲେଭ୍‌ର ସଫଳତାରେ ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ ନିବେଶକମାନଙ୍କୁ ରାଜ୍ୟ ସରକାରଙ୍କ ଆଡୁ ପୂର୍ବାପେକ୍ଷା ଅଧିକ ସହଯୋଗର ଆଶ୍ବାସନା ଦେଇଛନ୍ତି।

‘ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌-୨୦୨୨’ର ପ୍ରଥମ ସଂସ୍କରଣରେ ରାଜ୍ୟ ସରକାରଙ୍କୁ ୨ ଲକ୍ଷ କୋଟି ଏବଂ ଦ୍ବିତୀୟ ସଂସ୍କରଣରେ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ମିଳିଥିଲା। ଚଳିତଥରର ତୃତୀୟ ସଂସ୍କରଣରେ ନିବେଶର ଏହି ସମସ୍ତ ରେକର୍ଡ ଭାଙ୍ଗିଛି। ୭୪୧ କମ୍ପାନୀ ଦେଖାଇଛନ୍ତି ଓଡ଼ିଶାରେ ନିବେଶ ଆଗ୍ରହ। କୋଭିଡ୍‌ ମହାମାରୀ ପରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ନିବେଶକଙ୍କ ଆଡୁ ଦେଖାଯାଇଥିବା ଏଭଳି ଆଗ୍ରହ ବହୁତ ଖୁସିର ବିଷୟ। ଏହି ନିବେଶ କିଭଳି ଭାବେ ସକାରାତ୍ମକ ରୂପ ନେଇ କାର୍ଯ୍ୟକ୍ଷମ ହେବ ସେ ନେଇ ଆମକୁ ମିଳିତ ଭାବେ କଠିନ ପରିଶ୍ରମ କରିବାକୁ ପଡିବ, ଯାହା ଓଡ଼ିଶାର ଅଭିବୃଦ୍ଧିକୁ ଏକ ନୂଆ ଯୁଗକୁ ନେଇଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ସଫଳତାରେ ନିବେଶକମାନଙ୍କୁ ଆଶ୍ବାସନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଗାମୀ ଦିନରେ ରାଜ୍ୟ ସରକାର ନିବେଶକମାନଙ୍କୁ ଯୋଗାଇଦେଉଥିବା ସହାୟତାକୁ ଆହୁରି ତ୍ବରିତ କରିବେ। ଏ ନେଇ ଆହୁରି ଆଲୋଚନା କରାଯିବ। ଏହା ଉଭୟ ପକ୍ଷଙ୍କ ଲାଗି ଲାଭଦାୟକ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌-୨୦୨୨’ ଆୟୋଜନରେ ସହାୟତା କରିଥିବା ନେଇ ଫିକିର ସମ୍ପୂର୍ଣ୍ଣ ଟିମ୍‌କୁ ଧନ୍ୟବାଦ ଦେଇଥିଲେ। କନ୍‌କ୍ଲେଭ୍‌ ନିମନ୍ତେ ସହଯୋଗୀ ରାଷ୍ଟ୍ର ଜାପାନ, ନରୱେ ଏବଂ ଜର୍ମାନୀକୁ ସ୍ବତନ୍ତ୍ର ଧନ୍ୟବାଦ ଦେବା ସହ ଏହି ସହଯୋଗ ଆଗାମୀ ଦିନରେ ଓଡ଼ିଶା ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ଏବଂ ପାରସ୍ପରିକ ବ୍ୟବସାୟ , ବାଣିଜ୍ୟ ଓ ଲୋକଙ୍କ ମଧ୍ୟରେ ସମ୍ପର୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବ। ଆସନ୍ତୁ ଆମେ ସମସ୍ତେ ଜଗରନଟ୍‌କୁ ଆଗକୁ ବଢ଼ାଇନେବା ବୋଲି ମୁଖ୍ୟମନ୍ତ୍ରୀ ନିବେଶକ ସମୂଦାୟକୁ ଆହ୍ବାନ ଦେଇଥିଲେ।

ସମ୍ପୂର୍ଣ୍ଣ କନକ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍‌ରେ ୧୦ ପ୍ରକଳ୍ପର ଉଦ୍‌ଘାଟନ ଏବଂ ୫ ପ୍ରକଳ୍ପର ଭୂମି ପୂଜନ କରିଛନ୍ତି। ଚଳିତଥର ଏଥର ଖଣିଜ, ଧାତବ ଓ ଆନୁଷଙ୍ଗିକ କ୍ଷେତ୍ରରୁ ସର୍ବାଧିକ ୧୪୫ଟି ପ୍ରସ୍ତାବ ଜରିଆରେ ୫,୪୯,୭୬୪ କୋଟି ଟଙ୍କାର ପୁଞ୍ଜିନିବେଶ ଆସିଥିବା ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା କହିଛନ୍ତି। କନକ୍ଲେଭ୍‌ ଶେଷ ସୁଦ୍ଧା ରାଜ୍ୟ ସରକାରଙ୍କୁ ୧୦ ଲକ୍ଷ ୪୮ ହଜାର ୮୦୭ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ମିଳିଛି। ଏଥିରେ ୧୦ ଲକ୍ଷ ୩୭ ହଜାର ୭୦୧ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ।  ଏହାପଛକୁ ଶକ୍ତି, ଅକ୍ଷୟ ଓ ସବୁଜ ଶକ୍ତି କ୍ଷେତ୍ରକୁ ୨,୩୮,୪୫୫ କୋଟି ଟଙ୍କାର ଦ୍ବିତୀୟ ସର୍ବାଧିକ ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି।

Leave A Reply

Your email address will not be published.