ମୌନବ୍ରତ ସପ୍ତାହ ପାଳନ କରୁଛି ବିଜେପିର ମହିଳା ବ୍ରିଗେଡ୍ : ମହୁଆ ମଇତ୍ର

ନୂଆଦିଲ୍ଲୀ : ଯୌନ ନିର୍ଯ୍ୟାତନା ପରି ସାଂଘାତିକ ଅଭିଯୋଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ଓ ଭାରତୀୟ ଷ୍ଟାର କୁସ୍ତି ଯୋଦ୍ଧା। କେହି ନିଜ ଜିଦ୍ରୁ ପଛକୁ ହଟିବାକୁ ପ୍ରସ୍ତୁତ ନୁହନ୍ତି। ଗୋଟିଏ ପଟେ କୁସ୍ତି ସଂଘ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ଇସ୍ତଫା ଦାବିରେ ପ୍ରାୟ ୨ଶହ କୁସ୍ତି ଯୋଦ୍ଧା ଦୁଇଦିନ ହେଲା ଧାରଣାରେ ବସିଛନ୍ତି। ଅନ୍ୟପଟେ ଇସ୍ତଫା ଦେବାକୁ ସିଧା ସିଧା ମନା କରି ଯେକୌଣସି ଯାଞ୍ଚ ଲାଗି ପ୍ରସ୍ତୁତ ଥିବା କହିଛନ୍ତି ବ୍ରିଜଭୂଷଣ ଶରଣ ସିଂ । ସେପଟେ ବହୁ ରାଜନୈତିକ ଦଳର ନେତାମାନେ ମଧ୍ୟ ରେସଲରଙ୍କ ସମର୍ଥନରେ ଆଗେଇ ଆସିଛନ୍ତି।
ଏହି ପ୍ରସଙ୍ଗରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମଇତ୍ର ଟ୍ୱିଟ୍ କରି ବିଜେପିକୁ ଟାର୍ଗେଟ କରିଛନ୍ତି। ବିଜେପିର ମହିଳା ନେତ୍ରୀଙ୍କ ନୀରବତା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି । ମହୁଆ କହିଛନ୍ତି, “ବିଜେପିର ମହିଳା ବ୍ରିଗେଡ୍ ମଧ୍ୟ କ’ଣ ମୌନବ୍ରତ ସପ୍ତାହ ପାଳନ କରୁଛନ୍ତି କି? ବିଜେପି ସାଂସଦ ଡବ୍ଲୁଏଫ୍ଆଇ ସଭାପତିଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଉପରେ ବିଜେପିର କୌଣସି ବି ମହିଳା ନେତା ମୁହଁ ଖୋଲି ନାହାଁନ୍ତି। ମୁଁ ମାନନୀୟା ମହିଳା ମନ୍ତ୍ରୀ ଏବଂ ଡ୍ରାମାବାଜଙ୍କଠାରୁ ପଦଟିଏ ବି ଶୁଣିନାହିଁ ।”
Also is BJP Mahila Brigade on a Maun Vrat week?
Haven’t heard a peep out of Hon’ble Lady Ministers & Dramatists on women wrestlers’ horrific stories about BJP MP WFI Chief.— Mahua Moitra (@MahuaMoitra) January 19, 2023
ମହୁଆ ମଇତ୍ରଙ୍କ ପୂର୍ବରୁ କଂଗ୍ରେସର ମହିଳା ନେତା ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ପ୍ରସଙ୍ଗରେ ଟୁଇଟ୍ କରି ରେସଲରମାନଙ୍କୁ ସମର୍ଥନ ଜଣାଇଥିଲେ । ଡବ୍ଲୁଏଫ୍ଆଇ ସଭାପତିଙ୍କ ବିରୋଧରେ ଅଭିଯୋଗର ତଦନ୍ତ କରାଯିବା ଉଚିତ ଏବଂ ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ଡବ୍ଲୁଏଫ୍ଆଇ ସଭାପତି ବ୍ରଜ ଭୂଷଣ ଶରଣ ସିଂହ କହିଛନ୍ତି ଯେ ସେ ଇସ୍ତଫା ଦେବାର ପ୍ରଶ୍ନ ଉଠୁନାହିଁ । ସେ କହା ଦୟାରେ ଏହି ପଦରେ ବସି ନାହାଁନ୍ତି ବୋଲି ଏହି ବିଜେପି ସାଂସଦ କହିଛନ୍ତି । ନିଜ ପକ୍ଷ ରଖିବାକୁ ଆଜି ଅପରାହ୍ନ ୪ଟାରେ ବ୍ରିଜଭୂଷଣ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି । ସେଥିରେ ସବୁ ସଫା ସଫା କହିବେ ଓ ସବୁ ଗୁମର ଉପରୁ ପରଦା ହଟାଇବେ ବୋଲି କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ମୁଁ ପାଟି ଫିଟାଇଲେ ସୁନାମୀ ଆସିବ । କାହା ଦୟାରେ ନୁହେଁ, ନିଜ ସାମର୍ଥ୍ୟରେ ଅଧ୍ୟକ୍ଷ ହୋଇଛି। ମହିଳା କୁସ୍ତି ଯୋଦ୍ଧାଙ୍କ ସମ୍ମାନ ସହ ଖେଳିବାକୁ ରାଜନୈତିକ ଷଡଯନ୍ତ୍ର ହେଉଛି।
ଏଥିସହ ସେ କହିଛନ୍ତି, ଖେଳ ସମୟରେ ଟିମ୍ର ରହଣୀ ବ୍ୟବସ୍ଥା ଆମେ କରି ନ ଥାଉ । ତାହା ଆୟୋଜକଙ୍କ ଦାୟିତ୍ୱ । ପ୍ରତ୍ୟେକ ଦେଶର ଟିମ୍ ଭିନ୍ନ ଭିନ୍ନ ସ୍ଥାନରେ ରହିଥାନ୍ତି। ଯେଉଁ ଖେଳାଳି ମୋ’ ଉପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସେ ଉକ୍ତ ଟୁର୍ଣ୍ଣାମେଣ୍ଟରେ ଉପସ୍ଥିତ ନ ଥିଲେ।
ଅପରପକ୍ଷେ ଆଜି ବି ଜନ୍ତର ମନ୍ତରରେ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ କ୍ରୀଡ଼ା ମନ୍ତ୍ରୀଙ୍କ ସହ ବସିଥିବା ପ୍ରାୟ ୪ ଘଣ୍ଟିଆ ବୈଠକ ସଫଳ ହୋଇ ନ ଥିବା ବେଳେ ଆଜି ପୁଣି ଧାରଣାରେ ବସିଛନ୍ତି କୁସ୍ତି ଯୋଦ୍ଧା। ରେସଲର ବବିତା, ଭିନେଶ, ସାକ୍ଷୀ ମଲିକ ଏବଂ ବଜରଙ୍ଗ ପୁନିଆ ପ୍ରମୁଖ ଗତକାଲି କ୍ରୀଡାମନ୍ତ୍ରୀଙ୍କୁ ଭେଟି କୁସ୍ତି ମହାସଂଘ ଅଧ୍ୟକ୍ଷଙ୍କ ବିରୋଧରେ ଯୌନ ନିର୍ୟାତନା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ। ଯିଏ ବି ଦୋଷୀ ହେଉନା କାହିଁକି, କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ କ୍ରୀଡ଼ା ମନ୍ତ୍ରୀ। ଏଥିସହ ଧାରଣା ପ୍ରତ୍ୟାହାର କରି କ୍ୟାମ୍ପକୁ ଚାଲିଯିବାକୁ ବି କହିଥିଲେ। ମାତ୍ର କୁସ୍ତି ଯୋଦ୍ଧାମାନେ ନିଜ ଜିଦ୍ରେ ଅଟଳ । ଏହି ବିବାଦର କୌଣସି ସମାଧାନ ହୋଇ ନ ଥିବାରୁ ଆଜି ଦ୍ୱିତୀୟ ଦିନରେ ବି ସେମାନେ ନିଜ ଧାରଣା ଜାରି ରଖିଛନ୍ତି। କ୍ରୀଡ଼ା ମନ୍ତ୍ରାଳୟ ଯାଞ୍ଚ ସମିତି ଗଠନ କରିବାକୁ ପ୍ରସ୍ତୁତି ଚଳାଇଥିବା ବେଳେ ବ୍ରିଜଭୂଷଣ ଆସନ୍ତା ୨୨ ତାରିଖରେ କୁସ୍ତି ସଂଘ ବୈଠକ ଡାକିଛନ୍ତି।