ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନୂଆ ବର୍ଷ କ‘ଣ ବାବୁ; କର୍ମ ହିଁ ଭଗବାନ ଓ ଗ୍ରାହକ ଇଶ୍ୱର, ତାଙ୍କୁ ମୁଢି ଯୋଗାଇବା ମୋ ପାଇଁ ନୂଆବର୍ଷଠୁ କିଛି କମ୍‌ ନୁହେଁ

ବାରିପଦା (ମନୋଜ ପଣ୍ଡା): ନୂଆବର୍ଷରେ କାହାର କେତେ ଯୋଜନା। କିଏ ସକାଳୁ ଦିଅଁ ଦର୍ଶନ ପାଇଁ ମନ୍ଦିର ଯିବ। କିଏ ଯିବ ବଣଭୋଜି ତ କିଏ ବନ୍ଧୁମିଳନ। କାହାର ପୁଣି ପର୍ଯ୍ୟଟନ ସ୍ଥଳୀ ଭ୍ରମଣ। ସରକାରୀ କର୍ମଚାରୀ ଉପରିସ୍ଥ ଅଧିକାରୀଙ୍କୁ ଏବଂ ରାଜନୈତକ ଦଳ ନେତା ଉପରିସ୍ଥ ନେତୃବୃନ୍ଦଙ୍କୁ ଭେଟି ପୁଷ୍ପଗୁଚ୍ଛ ଓ ମିଠା ପେକେଟ/ଉପହାର କେତେ କ’ଣ ଯୋଜନାରେ ରହିଛନ୍ତି। କିନ୍ତୁ ୨୦୨୧ ଶେଷ ସକାଳ(ଶୁକ୍ରବାର) ସମୟରେ ବାରିପଦା ସହରର ଜଣେ ନିତ୍ୟ ପରିଚିତ ବ୍ୟକ୍ତିଙ୍କୁ ଭେଟି ନୂଆବର୍ଷର ଯୋଜନା କଥା ପଚାରିଥିଲେ ଆମ ପ୍ରତିନିଧି ମନୋଜ ପଣ୍ଡା।

ସେତେବେଳକୁ ସମୟ ସାଢ଼େ ଆଠଟା। ୫୦କିଗ୍ରା ଚାଉଳରେ ଘର ଚୁଲିରେ ଭଜା ହୋଇଥିବା ମୁଢ଼ି ବସ୍ତା ୨ଟି ଭାରରେ ବୋହି ଏହି ବ୍ୟକ୍ତି ଚାଲିଥିଲେ ବେଲଗଡ଼ିଆ ରାଜପ୍ରସାଦ-ଅମ୍ବିକା ମନ୍ଦିର ରାସ୍ତାରେ। ବୟସ ୬୮। ନାମ ମହେନ୍ଦ୍ର ନାଥ ମହଲା। ଘର ଗୋପବନ୍ଧୁନଗର ବ୍ଲକର ପଶୁଦା ନିକଟ ସାନବେଲାକୁଟି ଗ୍ରାମରେ। ବାରିପଦା ସହରରୁ ତାଙ୍କ ଘର ସଡ଼କ ପଥରେ ୪୮କିମି। ତେବେ ଖରା, ବର୍ଷା ହେଉ ଅବା ଶୀତ ଦିନ, ବର୍ଷର ୩୫୦/୬୦ଦିନ ମହେନ୍ଦ୍ର ସକାଳ ଗାଁ ବସ(କାଳିଆରାଜା)ରେ ବାହାରି ପଡ଼ନ୍ତି ବାରିପଦା ଅଭିମୁଖେ। ସାଙ୍ଗରେ ଏକ ଥଳି, ଚୁଲି ଭଜା ଗରମ ମୁଢ଼ି ବସ୍ତା ଦୁଇଟି ଓ ଗୋଟିଏ ବାଉଁଶ ଭାର। ଦୁଇଘଣ୍ଟା ପରେ ବସ ବାରିପଦାରେ ପହଞ୍ଚିବା ମାତ୍ରେ ମହେନ୍ଦ୍ର ଭାରରେ କାନେ୍ଧଇ ଚାଲିଚାଲି ସହରର ପ୍ରତି ୱାର୍ଡ଼କୁ ୱାର୍ଡ଼କୁ ବୁଲି ତାଙ୍କର ଖଞ୍ଜା ଗ୍ରାହକଙ୍କ ଘରେ ଘରେ ମୁଢ଼ି ବିକ୍ରି କରୁଛନ୍ତି। ମେସିନ ମୁଢ଼ି ପରିବର୍ତ୍ତେ ଘର କାଠଚୁଲିରେ ପରିସ୍କାର ଭାବେ ଭଜା ଗରମ ସୁଆଦିଆ ମୁଢ଼ି ପାଇଁ ମହେନ୍ଦ୍ର ବାରିପଦାରେ ପ୍ରିୟ। ୪୦ବର୍ଷ ଧରି ତାଙ୍କର ନିର୍ଦ୍ଧିଷ୍ଟ ଗ୍ରାହକ ରହିଛନ୍ତି। ୨୮ବର୍ଷ ବୟସରେ ସେ ପ୍ରଥମେ ସାଇକେଲରେ ଆସି ମୁଢ଼ି ବିକ୍ରି କରୁଥିଲେ।

ସେତେବେଳ ମା’ ଉସି(ସ୍ୱର୍ଗତ) ରାତିରେ ମୁଢ଼ି ଭାଜି ଯୋଗାଉଥିବା ବେଳେ ବର୍ତ୍ତମାନ ମହେନ୍ଦ୍ରଙ୍କ ପତ୍ନୀ ଶ୍ରଦ୍ଧାମଣୀ ମୁଢ଼ି ଭାଜୁଛନ୍ତି। ତେବେ ଗ୍ରାହକଙ୍କ ଚାହିଦାକୁ ଲକ୍ଷ୍ୟ ରଖି ମହେନ୍ଦ୍ର ଗାଁର କିଛି ମହିଳାଙ୍କ ଠାରୁ ମୁଢ଼ି କିଣି ଆଣି ବ୍ୟବସାୟକୁ ବଜାୟ ରଖିଛନ୍ତି। ବ୍ୟବସାୟ ଆରମ୍ଭରେ ମୁଢ଼ି ଟିଣ(ବିସ୍କୁଟ) ପ୍ରତି ୬ଟଙ୍କା ଥିବା ବେଳେ ୪୦ବର୍ଷ ପରେ ତାହା ୧୦୦ଟଙ୍କାରେ ପହଞ୍ଚିଛି ବୋଲି ମହେନ୍ଦ୍ର କହନ୍ତି। ଦିନକୁ ୩୫୦୦ଟଙ୍କାର ମୁଢ଼ି ବିକ୍ରି କରି ବସ ଭଡ଼ା ୧୦୦ଟଙ୍କା ଓ ଖାଇବା ଅନ୍ୟାନ୍ୟ ଖର୍ଚ୍ଚ୬୦/୭୦ଟଙ୍କାକୁ ମିଶାଇ ୧୬୦/୭୦ଟଙ୍କା ବାଦ ଦେଇ ସନ୍ଧ୍ୟାରେ ଗାଁକୁ ଯାଉଥିବା ବିଶ୍ୱକର୍ମା ବସରେ ଫେରି ଘରେ ପହଞ୍ଚିବା ବେଳକୁ ସେ ୭୦୦ଟଙ୍କା ଦୈନିକ ରୋଜଗାର କରୁଛନ୍ତି ବୋଲି କହିଛନ୍ତି। ତାଙ୍କର ଏହି ବ୍ୟବସାୟକୁ ନିଜର ପୁଅ ହୋଲସେଲ ବ୍ୟବସାୟ ଭାବେ ଚଳାଇ ଏବେ ପ୍ରତିଦିନ ନିଜର ୨ଟି ଟାଟାଏସସି ଭ୍ୟାନରେ ବାରିପଦାର ବିଭିନ୍ନ ଦୋକାନକୁ ଦେଶୀମୁଢ଼ି ଯୋଗାଉଛନ୍ତି।

ସମ୍ପ୍ରତି ଆଧୁନିକ ଉପାୟରେ ମେସିନ ମୁଢ଼ି ମହେନ୍ଦ୍ରଙ୍କ ପରି ବ୍ୟବସାୟୀଙ୍କୁ ଚ୍ୟାଲେଞ୍ଚ ହୋଇଥିଲେ ହେଁ ନିଷ୍ଠାପର ଉଦ୍ୟମ ପାଇଁ ତାଙ୍କ ମୁଢ଼ି ବାରିପଦା ସହରବାସୀଙ୍କ ପ୍ରଥମ ପସନ୍ଦ। ଜିଲ୍ଲାର ବିଜାତଳା, ଲୁହାକାନି ଓ ଆନିଆପାଳ ଅଞ୍ଚଳରୁ ଦେଶୀମୁଢ଼ି ସହରକୁ ଆସୁଥିଲେ ହେଁ ମହେନ୍ଦ୍ରଙ୍କୁ ସଭିଏଁ ପ୍ରଥମେ ଖୋଜିଥାନ୍ତି। ଅନଲାଇନ ଯୁଗରେ ମହେନ୍ଦ୍ରଙ୍କ ଫୋନ ନଥିଲେ ବି କଉ ଗ୍ରାହକଙ୍କର କେବେ ମୁଢ଼ି ଦରକାର ତାଙ୍କୁ ବେଶ ଜଣା। ସରକାର ଆତ୍ମନର୍ଭରଶୀଳ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ମହେନ୍ଦ୍ର ମୁଢ଼ିବାଲା ଏହି ଚରିତ୍ରର ଜଣେ ସଫଳ ନାୟକ ଭାବେ ଅନ୍ୟଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ନୂତନବର୍ଷର ପ୍ରଥମ ଦିନରେ ସ୍ୱତନ୍ତ୍ର ଯୋଜନା କ’ଣ ଅଛି ବୋଲି ପ୍ରଶ୍ନ କରିବାରୁ, ସେ ୪୦ବର୍ଷ ଧରି ନୂଆବର୍ଷ ପାଇଁ କିଛି ସ୍ୱତନ୍ତ୍ର କେବେ ଭାବି ନାହାନ୍ତି। କର୍ମ ହିଁ ଭଗବାନ ଓ ଗ୍ରାହକ ଇଶ୍ୱର। ତାଙ୍କୁ ମୁଢ଼ି ଯୋଗାଇବା ମୋର ପ୍ରଥମ କାର୍ଯ୍ୟ। ଏଣୁ ପର୍ବପର୍ବାଣି ଓ ନୂଆବର୍ଷ, ଏହା ଠାରୁ କିଛି ବଡ଼ନୁହେଁ କହିଛନ୍ତି। ‘ସକାଳ’ ପରିବାର ପକ୍ଷରୁ ଏପରି ଜଣେ ସଫଳ ପ୍ରେରଣାଦାୟୀ ବ୍ୟକ୍ତିଙ୍କୁ ନବବର୍ଷର ଅଭିନନ୍ଦନ।

Leave A Reply

Your email address will not be published.