ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଧ୍ବଜାବତରଣ ବାଦ୍ୟଗାନରୁ ହଟିଲା ଗାନ୍ଧୀଙ୍କ ପ୍ରିୟ ଗାନ; ଏଥର ବାଜିବ ‘ୟେ ମେରେ ୱତନ୍‌ କେ ଲୋଗୋଁ’

ନୂଆଦିଲ୍ଲୀ: ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଉତ୍ସବର ଶେଷ ଦିନରେ ଅନୁଷ୍ଠିତ ହେବାକୁ ଥିବା ଧ୍ବଜାବତରଣ କାର୍ଯ୍ୟକ୍ରମରେ ମାହାତ୍ମା ଗାନ୍ଧୀଙ୍କ ପ୍ରିୟ ଗାନ ‘ ଏବାଇଡ୍‌ ୱିଥ ମି’ ଗାନର ଧୂନ୍‌ଳ ଆଉ ବାଜିବ ନାହିଁ। ଏହା ବଦଳରେ ବାଜିବ ‘ ୟେ ମେରେ ୱତନ କି ଲୋଗୋଁ’ ଧୂନ। ୨୦୨୦ରେ ‘ ଏବାଇଡ ୱିଥ ମି ଗାନ’କୁ ଧ୍ବଜାବତରଣ କାର୍ଯ୍ୟକ୍ରମରୁ ବାଦ୍‌ ଦିଆଯାଇଥିଲା ବେଳେ ଏହାକୁ ନେଇ ବିଭିନ୍ନ ମହଲରେ ବାଦ ବିବାଦ ଦେଖାଯାଇଥିଲା। ପରେ ଗତବର୍ଷ ପୁଣି ଏହାକୁ ସାମିଲ କରାଯାଇଥିଲା। ହେଲେ ଚଳିତବର୍ଷ ଏହି ଗାନକୁ ବାଦ୍‌ ଦିଆଯାଇଛି। ଭାରତୀୟ ସମ୍ବିଧାନ ପ୍ରଣୀତ ହେବା ପରେ ୧୯୫୦ ମସିହାରୁ ୨୦୨୦ ବର୍ଷ ପର୍ଯ୍ୟନ୍ତ ପ୍ରତିବର୍ଷ ଧ୍ବଜାବତରଣ ଉତ୍ସବରେ ଏହି ଗାନ ବାଜି ଆସୁଥିଲା। ଏହି ଗାନ ସ୍କଟଲ୍ୟାଣ୍ଡ ଗୀତିକାର ହେନରି ଫ୍ରାନ୍ସିସ ଲାଇଟଙ୍କ ଦ୍ବାରା ରଚନା କରାଯାଇଥିଲା ବେଳେ ଏହାର ସ୍ବର ସଂଯୋଜନା କରିଥିଲେ ୱିଲିୟମ ହେନରି ମଙ୍କ।

ପ୍ରତିବର୍ଷ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପ୍ରାୟ ସପ୍ତାହ ବ୍ୟାପି ପାଳିତ ହେବା ସହିତ ଜାନୁଆରୀ ୨୯ ତାରିଖରେ ରାଷ୍ଟ୍ରପତି ଭବନ ରାଇସିନା ହିଲ୍ସରେ ଧ୍ବଜାବତରଣ ଉତ୍ସବ ପାଳିତ ହୋଇଥାଏ। ସ୍ଥଳସେନା ,ନୌସେନା ଏବଂ ବାୟୁସେନାର ବ୍ୟାଣ୍ଡ ଦ୍ବାରା ବିଭିନ୍ନ ଗାନର ଧୂନ ସହିତ ଏହି ଗାନ ମଧ୍ୟ ବାଦନ କରାଯାଇଥାଏ। ପ୍ରତିବର୍ଷ ମାହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଜାନୁଆରୀ ୩୦ ତାରିଖରେ ପଡ଼ିଥିବାରୁ ଏହାର ପୂର୍ବ ଦିନ ଅର୍ଥାତ ୨୯ ତାରିଖରେ ଧ୍ବଜାବତରଣ ଉତ୍ସବରେ ତାଙ୍କର ଏହି ପ୍ରିୟ ଗାନ ଏବାଇଡ୍‌ ୱିଥ୍‌ ମିର ଧୂନ ବାଜିଥାଏ। ହେଲେ ଚଳିତବର୍ଷ ଏହି ଗାନ ବାଜିବ ନାହିଁ। ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଉତ୍ସବ ସପ୍ତାହ ଜାନୁଆରୀ ୨୩ ତାରିଖରୁ ଆରମ୍ଭ ହେବ। ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀରୁ ଏହି ଉତ୍ସବ ଆରମ୍ଭ କରିବାକୁ ନିଷ୍ବତ୍ତି ନିଆଯାଇଥିଲା ବେଳେ ଧ୍ବଜାବତରଣ ଉତ୍ସବରେ ୪୪ଟି ବ୍ୟାଣ୍ଡ ଟିମ୍‌,୧୬ ବିଗୁଲ ଟିମ ଏବଂ ୭୫ଟି ଡ୍ରମ୍‌ ବାଦକ ଟିମ ଏଥିରେ ଭାଗ ନେବେ । ଉତ୍ସବର ଶେଷ ଗାନ ଭାବେ ‘ ସାରେ ଯହାଁ ସେ ଅଛା ’ ଗାନ ବାଦନ କରାଯିବ।

Leave A Reply

Your email address will not be published.