ମହାଦେବଙ୍କ ମହାରାଧନାର ପର୍ବ ମହାଶିବରାତ୍ରୀ : ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ

ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରୀ । ମହାଶିବରାତ୍ରୀ ଅବସରରେ ଚଳଚଞ୍ଚଳ ହୋଇପଡ଼ିଛି ରାଜ୍ୟର ସମସ୍ତ ଶୈବପୀଠ । ଜାଗର ଉପଲକ୍ଷେ ବିଭିନ୍ନ ଶୈବପୀଠ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି । ତେବେ ରାଜ୍ୟରେ ଏପର୍ଯ୍ୟନ୍ତ କୋଭିଡର ଭୟ କମିନଥିବାରୁ ବିଭିନ୍ନ ଶୈବପୀଠରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ଭକ୍ତମାନେ କରୋନା କଟକଣା ମାନି ଦର୍ଶନ କରୁଛନ୍ତି । ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ନାହିଁ ନଥିବା ଭିଡ଼ ପରିଲିକ୍ଷିତ ହୋଇଛି । ଭୋର ୩.୩୦ରେ ମଙ୍ଗଳା ଆଳତି ପରେ ଆରମ୍ଭ ହୋଇଛି ଅବକାଶ ନୀତି । ୫ଟାରୁ ସାହଣ ମେଳା ଦର୍ଶନ ବା ସାଧାରଣ ଦର୍ଶନ ହେଉଛି ।

ଚଳିତବର୍ଷ ଗର୍ଭଗୃହ ଦର୍ଶନ ମନା ହୋଇଥିବାବେଳେ ଆଡ଼କାଠରୁ ଦର୍ଶନ କରୁଛନ୍ତି ଭକ୍ତ । ବ୍ୟାରିକେଡ୍ ଭିତରେ ଧାଡ଼ି ବାନ୍ଧି ମନ୍ଦିର ମଧ୍ୟକୁ ପ୍ରବେଶ କରୁଛନ୍ତି । ଉତ୍ତର ଦ୍ୱାର ଦେଇ ପ୍ରବେଶ କରୁଛନ୍ତି ସେବାୟତ ଓ ତାଙ୍କ ପରିବାର ବର୍ଗ । ରାତି ୧୦ଟାରେ ମହାଦୀପ ଉଠିବା ନେଇ ପ୍ରସ୍ତୁତି ହୋଇଛି । ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ଅନୁରାଧା ପଡୁଆଲ୍ ଓ କବିତା କ୍ରିଷ୍ଣାମୂର୍ତ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟପକ୍ଷରେ ମହାଶିବରାତ୍ରିକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୁବନେଶ୍ୱର ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬ ଜଣ ଅତିରିକ୍ତ ଡିସିପି, ୧୨ ଜଣ ଏସିପି, ୧୯ ଜଣ ଇନ୍ସପେକ୍ଟର, ୮୫ ଅଫିସରଙ୍କ ସହ ପ୍ରାୟ ୨୭ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

ସେହିପରି ରାଜ୍ୟର ପ୍ରମୁଖ ଶୈବପୀଠ ପୁରୀର ଶ୍ରୀଲୋକନାଥ ପୀଠ, ରାଉରକେଲାର ବେଦବ୍ୟାସ, ଆଠଗଡର ଧବଳେଶ୍ବର, ଢେଙ୍କାନାଳର କପିଳାସ, ଆରଡିର ଆଖଣ୍ଡଳମଣି, ବାଲେଶ୍ବରର ପଞ୍ଚଲିଙ୍ଗେଶ୍ବର, ଜଳେଶ୍ବରର ଚନ୍ଦନେଶ୍ବର, ଭୋଗରାଇର ଭୁଷଣ୍ଡେଶ୍ବର, ନୟାଗଡ଼ର ଲଢୁବାବା, କୋରାପୁଟର ଗୁପ୍ତେଶ୍ବର ଭଳି ଶୈବ ପୀଠରେ ମହାଶିବରାତ୍ରୀ ଆଡ଼ମ୍ବରର ସହ ପାଳନ କରାଯାଉଛି । ସମସ୍ତ ଶୈବପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳୁଛି । ପୁରୀ ଲୋକନାଥଙ୍କ ପୀଠରେ ରାତି ୨ ଟାରୁ ୩ ଟା ମଧ୍ୟରେ ହରିହର ଭେଟ ହେବା ପରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି । ଭକ୍ତମାନେ ଯେପରି ଶୃଙ୍ଖଳିତ ଦର୍ଶନ କରିପାରିବେ ସେଥିପାଇଁ ବ୍ୟାରିକେଡ୍, ସ୍ବତନ୍ତ୍ର ପୁଲିସ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି ।

Leave a comment