ସଙ୍କଟରେ ମହାରାଷ୍ଟ୍ରର ମହାମେଣ୍ଟ ସରକାର : ଏକନାଥ ସିନ୍ଧେଙ୍କୁ ମନାଇବାରେ ବିଫଳ ଶିବସେନା

ମୁମ୍ବାଇ : ସଙ୍କଟରେ ମହାରାଷ୍ଟ୍ରର ମହାମେଣ୍ଟ ସରକାର। ସୋମବାର ବିଧାନ ପରିଷଦ ନିର୍ବାଚନ ପରେ ପରେ ଶିବସେନାର ବରିଷ୍ଠ ନେତା ତଥା ମହାରାଷ୍ଟ୍ର ନଗର ଉନ୍ନୟନ ମନ୍ତ୍ରୀ ଏକନାଥ ସିନ୍ଦେ ଦଳର ଅନ୍ୟ କିଛି ଜଣ ବିଧାୟକଙ୍କ ସହ ମିଶି ରାଜ୍ୟ ବାହାରକୁ ଚାଲି ଯାଇଛନ୍ତି ବୋଲି କୁହାଯାଉଛି। ଗୁଜରାଟର ସୁରଟ ସ୍ଥିତ ଏକ ହୋଟେଲ ଏମନେ ସମସ୍ତେ ରହିଛନ୍ତି। ଆଉ ଏହି ବିଧାୟକ ସରକାର ଭାଙ୍ଗିବାରେ ଗୋଟିଏ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି । ଶିବସେନା, କଂଗ୍ରେସ ଏବଂ ଏନସିପି ଦଳ ମେଣ୍ଟରେ ମହାରାଷ୍ଟ୍ରର ମହା ବିକାଶ ଅଘାଡି ସରକାର ଉପରେ ସଙ୍କଟ ଜାରି ରହିଥିବା ବେଳେ ବିଦ୍ରୋହୀ ମନ୍ତ୍ରୀ ତଥା ବିଧାୟକ ଏକନାଥ ସିନ୍ଧେଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଉଦ୍ଧବ ଠାକରେ । ବିଧାନସଭାରେ ମୁଖ୍ୟ ସଚେତକ ପଦରୁ ସିନ୍ଦେଙ୍କୁ ବହିସ୍କାର କରାଯାଇଛି ।

ଅନ୍ୟପଟେ ଉଦ୍ଧବ ଠାକରେ ଏହି ମାମଲାରେ ଆଲୋଚନା ପାଇଁ ମଙ୍ଗଳବାର ଅପରାହ୍ନରେ ବୈଠକ ଡକାଇଥିଲେ । ଏଥିରେ ମାତ୍ର ୨୦ ବିଧାୟକ ଯୋଗ ଦେଇଛନ୍ତି । ଏହା ଉଦ୍ଧବ ଠାକରେ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଶିବସେନାର ମୋଟ୍ ବିଧାୟକ ସଂଖ୍ୟା ହେଉଛି ୫୫ । ଯଦି ପାର୍ଟିରୁ ୨୭ ବିଧାୟକ ଅଲଗା ହୋଇଯିବେ ତେବେ ଦଳ ଅଦଳ ବଦଳ ଆଇନ ଲାଗୁ ହେବ ନାହିଁ । ଏମିତିରେ ଉଦ୍ଧବ ଠାକରେଙ୍କ ବୈଠକରୁ ୩୫ ବିଧାୟକ ଦୂରେଇ ରହିବା ମହାରାଷ୍ଟ୍ର ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଶିବସେନା ବର୍ତ୍ତମାନ ଡ୍ୟାମେଜ କଂଟ୍ରୋଲରେ ଜୁଟି ଯାଇଛି । ଗୋଟିଏ ପଟେ ଏକନାଥ ସିନ୍ଧେଙ୍କୁ ବିଧାୟକ ଦଳର ନେତା ପଦରୁ ହଟାଇ ଅଜୟ ଚୌଧୁରୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଅନ୍ୟପଟେ ବିଜେପିର ଦୃଢୋକ୍ତି ଶିବସେନା ଏବଂ ଅଘାଡି ସରକାରଙ୍କ ଚିନ୍ତାକୁ ବଢାଇ ଦେଇଛି । ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି, ଆମ ପାଖରେ ଯେଉଁ ଖବର ରହିଛି, ତାହା ଅନୁଯାୟୀ ଏକନାଥ ସିନ୍ଧେ ୩୫ ଜଣ ବିଧାୟକଙ୍କ ସହିତ ସୁରଟ ଯାଇଛନ୍ତି ।

ଏହାର ଅର୍ଥ ଉଦ୍ଧବ ଠାକରେଙ୍କ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଛି । ହେଲେ ବ୍ୟବହାରିକ ଭାବେ ସରକାର ସଂଖ୍ୟା ଲଘୁ ହେବାରେ ଏବେ ଆଉ କିଛି ସମୟ ଲାଗିବ । ଚନ୍ଦ୍ରକାନ୍ତ ପାଟିଲ୍ କହିଛନ୍ତି, ବିଜେପି ଏଥର ଅତିତ୍ତଉତ୍ସାହିତ ହେବାକୁ ଚାହୁଁନାହିଁ । ସଂପ୍ରତି ଅନାସ୍ଥା ପ୍ରସ୍ତାବ ପାଇଁ ସ୍ୱତନ୍ତ୍ର ଅଧିବେଶନ ଡକାଇବରା ସ୍ଥିତି ଉତ୍ପନ ହୋଇ ନାହିଁ । ଜୁଲାଇ ୧୮ରୁ ଗୃହର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ସରକାର ଗଠନ ଦାବି ଉପରେ ଏବେଠୁ କିଛି କହିବା ତରବରିଆ ହେବ ବୋଲି ପାଟିଲ୍ କହିଛନ୍ତି । ସଂପ୍ରତି ଆମେ ସ୍ଥିତି ଉପରେ ନଜର ରଖିଛୁ ।ନା ଏକନାଥ ସିନ୍ଧେ ଆମ ନିକଟକୁ କୌଣସି ପ୍ରସ୍ତାବ ଦେଇଛନ୍ତି ଏବଂ ନା ବିଜେପି ପକ୍ଷରୁ ତାଙ୍କୁ କିଛି ଅଫର ଦିଆଯାଇଛି । ସେ କହିଛନ୍ତି, ରାଜନୀତିରେ କୌଣସି ମୂହୁର୍ତ୍ତରେ କିଛି ବି ଘଟିପାରେ ।

ମହାରାଷ୍ଟ୍ର ବିଧାନସଭାରେ ବିଜେପିର ବିଧାୟକ ସଂଖ୍ୟା ୧୦୬ । ଦଳକୁ ୧୩ ସ୍ୱାଧୀନ ବିଧାୟକ ସମର୍ଥନ ମିଳିଛି । ଯଦି ବିଜେପିକୁ ୨୬ ଶିବସେନା ବିଧାୟକଙ୍କ ସମର୍ଥନ ମିଳିଯାଏ ତେବେ ଦଳ ସରକାର ଗଠନ କରିବାର ମ୍ୟାଜିକ ନମ୍ବରରେ ପହଞ୍ଚିପାରେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

ମହାରାଷ୍ଟ୍ରରେ ବିଧାନ ପରିଷଦ ନିର୍ବାଚନରେ ବିଜେପି ଏକାକୀ ୫ଟି ଆସନରେ ବିଜୟୀ ହେବା ପରେ ଏପରି ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି । ପୂର୍ବରୁ ରାଜ୍ୟସଭା ନିର୍ବାଚନରେ ମଧ୍ୟ ଫଡନାଭିସଙ୍କ ଗୋଟି ଆଗରେ ଫେଲ୍ ମାରିଥିଲା ମେଣ୍ଟ ସରକାର ।ଶିବସେନା ବିଧାୟକ ବିଜେପି ଶାସିତ ରାଜ୍ୟ ଗୁଜରାଟର ହୋଟେଲରେ ଅଟକିବା ଏହି ହଟଚମଟ ପଛରେ ବିଜେପିର ଅପରେସନ ଲୋଟସ ବୋଲି କୁହାଯାଉଛି । ଅନ୍ୟପଟେ ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଦିଲ୍ଲୀରେ ଡେରା ପକାଇଥିବା ବେଳେ ବିଜେପି ସଭାପତି ଜେପି ନଡ୍ଡା ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ବୈଠକ ବସିଥିବା ଜଣାପଡିିଛି ।

ମହାରାଷ୍ଟ୍ରରେ ସରକାର ଗଢିବାକୁ କଣ ରହିଛି ସଂଖ୍ୟାର ଖେଳ

ମହାରାଷ୍ଟ୍ରର ବିଧାନସଭା ଆସନ ସଂଖ୍ୟା ୨୮୮। ଜଣେ ବିଧାୟକ ପ୍ରାଣ ହରାଇଥିବାରୁ ଏବେ ଏହା ୨୮୭ ହୋଇ ଯାଇଛି। ଏହାର ଅର୍ଥ ଆସ୍ଥା ଭୋଟରେ ଜିତିବା ପାଇଁ ହେଲେ ୧୪୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଶିବସେନା, କଂଗ୍ରେସ ଓ ଏନସିପି ମିଳିତ ଭାବେ ଗଠନ କରିଥିବା ମହା ବିକାଶ ଅଘାଡ଼ି(ଏମଭିଏ) ସରକାର ପାଖରେ ଏବେ ୧୫୨ ଜଣ ବିଧାୟକଙ୍କ ସମର୍ଥନ ରହିଛି। ଶିବସେନାର ମୋଟ ବିଧାୟକଙ୍କ ସଂଖ୍ୟା ୫୫। ଏମାନଙ୍କ ମଧ୍ୟରୁ ୨୧ ଜଣ ସଦସ୍ୟ ଓ ଜଣେ ସ୍ୱାଧୀନ ବିଧାୟକ ସୁରତର ହୋଟେଲରେ ଥିବା କୁହାଯାଉଛି। ଯଦି ଏକନାଥ ସିନ୍ଧେଙ୍କ କଥାରେ ଏହି ବିଧାୟକମାନେ ଇସ୍ତଫା ଦିଅନ୍ତି, ତା’ହେଲେ ଶବିସେନାର ସଂଖ୍ୟା ୩୪କୁ ଖସି ଆସିବ। ଏଥିଯୋଗୁ ମହା ବିକାଶ ଅଘାଡ଼ି ସରକାରଙ୍କ ସପକ୍ଷରେ ଥିବା ବିଧାୟକଙ୍କ ସଂଖ୍ୟା ମଧ୍ୟ ୧୩୧କୁ ଖସିବ। ଯଦି ଏକନାଥଙ୍କ ଟିମ୍‌ର ୨୨ ଜଣ ବିଧାୟକ ଇସ୍ତଫା ଦେଇଦେବେ, ତା’ହେଲେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ମଧ୍ୟ ୧୩୩କୁ ଖସି ଆସିବ।

ବିଜେପି ପାଖରେ ୧୦୬ ବିଧାୟକ ରହିଛନ୍ତି। ହେଲେ ବିଜେପି କହିଛି ଯେ ତା’ ପାଖରେ ୧୩୫ ବିଧାୟକଙ୍କ ସମର୍ଥନ ରହିଛି। ଏହି ସଂଖ୍ୟା ବିଜେପି କେଉଁଠୁ ପାଇଲା, ସେକଥା ଜଣାପଡ଼ିନି।ଯଦି ଶିବସେନାର ୨୧ ଜଣ ବିଧାୟକ ଦଳ ବଦଳ କରନ୍ତି, ତା’ହେଲେ ଦଳ ବଦଳ ନିରୋଧ ଆଇନ ଲାଗୁ ହେବ। ଏପରି ସ୍ଥିତିରେ ସମସ୍ତଙ୍କୁ ଇସ୍ତଫା ଦେଇ ଉପ ନିର୍ବାଚନର ସମ୍ମୁଖୀନ ହେବାକୁ ପଡ଼ିବ।ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶିବସେନା ୫୫, ଏନସିପି ୫୩, କଂଗ୍ରେସ ୪୪, ସ୍ୱାଧୀନ ୧୩ ଓ ଅନ୍ୟାନ୍ୟ ଦଳ ୧୬ ଟି ଆସନରେ ଜିତିଥିଲେ।

ଏକନାଥ ସିନ୍ଧେଙ୍କୁ ମନାଇବାରେ ବିଫଳ ଶିବସେନା

ବିଦ୍ରୋହୀ ନେତା ଏକନାଥ ସିନ୍ଧେଙ୍କୁ ମନାଇବାରେ ବିଫଳ ଶିବସେନା । ଗୁଜରାଟର ସୁରଟ ସ୍ଥିତ ଏକ ହୋଟେଲରେ ଭେଟିବାକୁ ପହଞ୍ଚିଥିବା ଉଦ୍ଧବ ଠାକରେଙ୍କ ପ୍ରତିନିଧିଙ୍କୁ ସିନ୍ଧେ ସ୍ପଷ୍ଟ ଜବାବ ଦେଇଛନ୍ତି । ସେ କହିଛନ୍ତି, ହିନ୍ଦୁତ୍ୱ ଛାଡିଥିବା ଶିବସେନାକୁ ତାଙ୍କର ଫେରିବା ଏବେ ସମ୍ଭବ ନୁହେଁ । ଏକନାଥ ସିନ୍ଧେଙ୍କ ଏହି ଆଭିମୁଖ୍ୟ ମହାବିକାଶ ଅଘାଡି ସରକାରକୁ ଆହୁରି ସଙ୍କଟରେ ପକାଇପାରେ।

ମହାରାଷ୍ଟ୍ରରେ ସୃଷ୍ଟି ରାଜନୈତିକ ଝଡକୁ ପ୍ରଶମିତ କରିବା ପାଇଁ ଜୁଟିଥିବା ଶିବସେନାର ଉଦ୍ୟମ ଫିକା ପଡୁଥିବା ଦେଖିବାକୁ ମିଳିଛି । ପ୍ରାୟ ୩୦ ବିଧାୟକଙ୍କୁ ନେଇ ସୁରଟର ଏକ ହୋଟେଲରେ ଡେରା ପକାଇଥିବା ସିନ୍ଧେ ନରମ ପଡିବା ପରି ଲାଗୁନାହାନ୍ତି। ତାଙ୍କୁ ମନାଇବା ପାଇଁ ଉଦ୍ଧବ ଠାକରେ ଶିବସେନା ବିଧାୟକ ମିଲିନ୍ଦ ନାର୍ଭେକରଙ୍କୁ ସୁରଟ ପଠାଇଥିଲେ । ମାତ୍ର ସିନ୍ଧେ ସିଧା ସିଧା କହି ଦେଇଛନ୍ତି ଯେ, ମୁଁ ହିନ୍ଦୁତ୍ୱ ସହିତ ରହିଛି ଏବଂ ଶିବସେନା ହିନ୍ଦୁତ୍ୱ ଛାଡି ସାରିଛି । ଏବେ ମୁଁ ଶିବସେନାକୁ ଫେରିବି ନାହିଁ । ସିନ୍ଧେ ନିଜର ଟୁଇଟର ବାୟୋରୁ ଶିବସେନାର ଫଟୋ ମଧ୍ୟ ହଟାଇ ଦେଇଛନ୍ତି ।

ଅନ୍ୟପଟେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ବିଦ୍ରୋହୀ ଏକନାଥଙ୍କ ସହିତ ହୋଟେଲରେ ୨୫ରୁ ୩୦ ବିଧାୟକ ରହିଥିବା ସୂଚନା ରହିଛି । କଂଗ୍ରେସର ୧୦ ବିଧାୟକଙ୍କ ସହ ମଧ୍ୟ ଯୋଗାଯୋଗ ହୋଇପାରୁନଥିବା ଜଣାପଡିଛି । ଏପରି ସ୍ଥିତିରେ ବିଦ୍ରୋହୀଙ୍କ ଉପରେ ନଜର ରଖିଛି ବିଜେପି । ହେଲେ ଏପରି ପ୍ରସଙ୍ଗରେ କିଛି ଖୋଲାଖୋଲି ମତ ରଖିନି ବିଜେପି । ମହାରାଷ୍ଟ୍ର ବିଜେପି ସଭାପତି ଅତି ଚତୁରତାର ସହିତ ଅପରେସନ ଲୋଟସ ଅଭିଯୋଗକୁ ଖାରଜ କରିଛନ୍ତି । ସେପଟେ କଂଗ୍ରେସ ମଧ୍ୟ ପର୍ୟ୍ୟବେକ୍ଷକ ଭାବେ କମଲନାଥଙ୍କୁ ଦାୟିତ୍ୱ ଦେଇଛି ।

ପୂର୍ବରୁ ମଧ୍ୟପ୍ରଦେଶ, କର୍ଣ୍ଣାଟକରେ ମଧ୍ୟ ବିଜେପି ପାଖରେ ସଂଖ୍ୟା ଗରିଷ୍ଠତା ଥିଲା । କିନ୍ତୁ ଏଠାରେ ବିରୋଧୀ ଏକ ହୋଇ ସରକାର ଗଢିଥିଲେ । ପରେ କିନ୍ତୁ ଅପରେସନ ଲୋଟସ ଜରିଆରେ ମଧ୍ୟପ୍ରଦେଶ, କର୍ଣ୍ଣାଟକରେ ସରକାର ପଲଟିଥିଲା । ଆଉ ଏବେ ମହାରାଷ୍ଟ୍ରରେ ମଧ୍ୟ ସମାନ ଅବସ୍ଥା ରହିଛି । ତେଣୁ ଏଠାରେ ମଧ୍ୟ ସରକାର ବଦଳିପାରେ ବୋଲି ଚର୍ଚ୍ଚା ହେଉଛି ।

Leave a comment