ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଣସେବକ ବିକି ପାରିବେନି ମହାପ୍ରସାଦ

ପୁରୀ : ବିଭିନ୍ନ ସମୟରେ ଆନନ୍ଦ ବଜାରରେ ବିଶୃଙ୍ଖଳା ହେଉଛି। କେତେବେଳେ ମହାପ୍ରସାଦ ବିକ୍ରିକୁ ନେଇ ତ ପୁଣି କେତେବେଳେ ଭୋଗ ବିକ୍ରିକୁ ନେଇ ଗଣ୍ଡଗୋଳ ଘଟୁଛି। ତେଣୁ ଆନନ୍ଦ ବାଜରରେ କିପରି ଶୃଙ୍ଖଳା ଆସିପାରିବ ସେ ନେଇ ଗତ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୁଆର ମହାସୁଆର ନିଯୋଗ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଏସ୍‍ପି ଡ. କନୱର ବିଶାଲ ସିଂ, ଅତିରିକ୍ତ ଏସ୍‍ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସିଂହଦ୍ୱାର ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ, ମନ୍ଦିର ସୁବେଦାର ଯୋଗେଶ ଚନ୍ଦ୍ର ସ୍ୱାଇଁ ଏବଂ ନିଯୋଗର କର୍ମକର୍ତ୍ତା ଯୋଗଦେଇଥିଲେ। ଅନେକ ସମୟରେ ଅଣସେବକ ଅବଢ଼ା ବିକ୍ରି କରୁଥିବା ନଜିର ରହିଛି। ଅର୍ଥାତ୍‍ କିଛି ସେବକ ମହାପ୍ରସାଦ ବିକ୍ରି ପାଇଁ ଅଣସେବକଙ୍କୁ ନିୟୋଜିତ କରୁଛନ୍ତି। ଏଣିକି ଏହା ବନ୍ଦ ରହିବ। କୌଣସି ଅଣସେବକ ଅବଢ଼ା ବିକ୍ରି କରିପାରିବେ ନାହିଁ।

ସେହିପରି ଆନନ୍ଦବାଜରରେ ରାବିଡ଼ି ମଧ୍ୟ ବିକ୍ରି ହୋଇପାରିବ ନାହିଁ। ଶୁଖିଲା ଭୋଗ ବ୍ୟବସାୟୀମାନେ ନିଜ ଦୋକାନ ଭିତରେ ବସି ଭୋଗ ବିକ୍ରି କରିବେ। ସେମାନେ ବାହାରେ ବସି ବିକ୍ରି କରିପାରିବେ ନାହିଁ। ସେହିପରି ପ୍ରାୟ ପ୍ରତ୍ୟେକ ଦିନ କୋଇଲି ବୈକୁଣ୍ଠ ଏବଂ ବେଢ଼ା ଭିତର ବିଭିନ୍ନ ଜାଗାରେ ବସି ଅନେକ ମହାପ୍ରସାଦ ବିକ୍ରି କରୁଛନ୍ତି। ଏହାଦ୍ୱାରା ଗହଳି ଏବଂ ବିଶୃଙ୍ଖଳା ହେଉଛି। ତେଣୁ ଏହା ଉପରେ ରୋକ୍‍ ଲଗାଇବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେମାନେ ଆନନ୍ଦ ବଜାରରେ ହିଁ ଅବଢ଼ା ବିକିବେ ବୋଲି କୁହାଯାଉଛି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଉତ୍ତର ଦ୍ୱାରରେ ଅବଢ଼ା ବିକ୍ରିକୁ ନେଇ ଅଯଥା ଗହଳି ହେଉଛି। କିଛି ବ୍ୟକ୍ତି ଉତ୍ତର ଦ୍ୱାର ପ୍ରବେଶ ପଥରେ ଠିଆ ହୋଇରହୁଛନ୍ତି। କୌଣସି ଶ୍ରଦ୍ଧାଳୁ ଅବଢ଼ା ପାଇଁ ଚାହିଁଲେ ସେମାନେ ତାଙ୍କଠାରୁ ଟଙ୍କା ନେଇ ଭିତରକୁ ଯାଇ ମହାପ୍ରସାଦ ଆଣି ଦେଉଛନ୍ତି। ଏହାଦ୍ୱାରା ଭକ୍ତଙ୍କୁ ଏକପ୍ରକାର ଶୋଷଣ କରାଯାଉଛି। ଯଦି କେହି ୫୦୦ ଟଙ୍କା ଦେଇ ଅବଢ଼ା ନେବାକୁ କହୁଛନ୍ତି ସମ୍ପୃକ୍ତ ବ୍ୟକ୍ତି ଭିତରକୁ ଯାଇ ୩୦୦ ଟଙ୍କାର ଅବଢ଼ା ଆଣି ଦେଉଛି। ଶ୍ରଦ୍ଧାଳୁ ଜଣଙ୍କ ଅବଢ଼ା ପାଇବା ପରେ କିଛି କହିପାରୁ ନାହାନ୍ତି। ଏମିତି ପ୍ରତ୍ୟେକ ଦିନ ମାଳ ମାଳ ଅଭିଯୋଗ ଆସୁଛି।

ତେଣୁ ଏହା ଉପରେ ରୋକ୍‍ ଲଗାଯିବ। ଆଉ କୌଣସି ବ୍ୟକ୍ତି ଉତ୍ତର ଦ୍ୱାରରେ ଏମିତି ଠିଆ ହୋଇ ଭକ୍ତଙ୍କୁ ଅବଢ଼ା ଦେଇପାରିବେ ନାହିଁ। କୋଭିଡ଼ ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିଲା। ମାତ୍ର ଏବେ ଶ୍ରଦ୍ଧାଳୁମାନେ ନିଜେ ଆନନ୍ଦବଜାରକୁ ଯାଇ ମହାପ୍ରସାଦ କିଣିବେ।ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କିଛି ମୁଷ୍ଟିମେୟ ଲୋକ ବାହାର ଲୋକଙ୍କୁ ଆଣି ଉତ୍ତର ଦ୍ୱାରରେ ଠିଆ କରାଇ ଏଭଳି ଶୋଷଣ କରୁଛନ୍ତି। ପ୍ରଥମେ ସେମାନଙ୍କୁ ନୋଟିସ୍‍ ଦିଆଯିବ। ଯଦି ନ ମାନନ୍ତି ପୁଲିସ ଏବଂ ନିଯୋଗ ମାଧ୍ୟମରେ ତାଙ୍କୁ ବିଦା କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

Leave A Reply

Your email address will not be published.