ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦଶମୂଳ ଔଷଧ ଲାଗି ପରେ ଜ୍ୱରରୁ ସୁସ୍ଥ ହେଲେ ମହାପ୍ରଭୁ

ଅନବସରର ଆଜି ଦ୍ୱାଦଶୀ ତିଥି । ଅଣସର ଉପଚାର ପରେ ଏବେ ସୁସ୍ଥ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ଅଣସର ଦ୍ୱାଦଶୀ ତିଥିରେ ରାଜନଅରକୁ ରାଜପ୍ରସାଦ ବିଜେ ହେବା ସହିତ ମହାପ୍ରଭୁ ସୁସ୍ଥ ହେବାର ସନ୍ଦେଶ ଦଇତାପତି ଦେଇଛନ୍ତି । ବିଧି ମୁତାବକ ଆଜି ପୁରୀରେ ଏହି ସନ୍ଦେଶକୁ ଦଇତାପତି ରାଜନଅରକୁ ଦେଇଛନ୍ତି । ମହାପ୍ରଭୁ ସୁସ୍ଥ ହେବା ପରେ ରଥଯାତ୍ରାରେ ଯିବାର ପରମ୍ପରା ରହିଛି । ସେପଟେ ପୁରୀ ବଡ଼ଦାଣ୍ଡରେ ଦଣ୍ଡାୟମାନ ସମ୍ପୂର୍ଣ୍ଣପ୍ରାୟ ତିନିରଥ । ଉତ୍କଳୀୟ ପରମ୍ପରା, କଳା ଓ ଭାସ୍କର୍ଯ୍ୟର ନମୁନା ବହନ କରୁଥିବା ତିନି ରଥ ବେଶ୍‌ ଆକର୍ଷଣୀୟ । ତିନି ରଥରେ ପାର୍ଶ୍ୱ ଦେବଦେବୀ ଓ କଳସ ଖଞ୍ଜା ସରିଛି । ନିର୍ମାଣ ଚାଲିଛି ବେଦି ଓ ସିଂହାସନ । ୧୨ ତାରିଖରେ ରଥରେ ଚଢ଼ି ପତିତ ଉଦ୍ଧାର ପାଇଁ ଘୋଷଯାତ୍ରାରେ ଯିବେ ଚତୁର୍ଦ୍ଧାମୂର୍ତ୍ତି ।

ଅନ୍ୟପଟେ ପୁରୀ ଛଡ଼ା ଆଉ କେଉଁଠି ରଥଯାତ୍ରା ହୋଇପାରିବନି । ଏପରି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମଣାଙ୍କ ଖଣ୍ଡପୀଠ ଏହି ସୁପ୍ରିମ ରାୟ ଶୁଣାଇଛନ୍ତି । କେନ୍ଦ୍ରାପଡ଼ା, ନୀଳଗିରି, ଭଟଲି ସହ ଅନ୍ୟସ୍ଥାନରେ ରଥଯାତ୍ରା ହେବାପାଇଁ ଏକାଧିକ ଆବେଦନ ହୋଇଥିଲା । ଯାହାକୁ ଖାରଜ କରିଦେଇଛନ୍ତି ଖଣ୍ଡପୀଠ ।

ଏ ନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ପ୍ରଧାନ ବିଚାରପତି । କହିଛନ୍ତି, ଏପରି ନିଷ୍ପତ୍ତିରେ ଖଣ୍ଡପୀଠ ଖୁସି ନୁହେଁ । କିନ୍ତୁ କୋଭିଡ ସମୟରେ ଖଣ୍ଡପୀଠ ଏପରି ରାୟ ଶୁଣାଇବାକୁ ନାଚାର । ଆସନ୍ତାବର୍ଷ ପ୍ରଭୁ ସବୁଠି ରଥଯାତ୍ରା ଆୟୋଜନ ନେଇ ଅନୁମତି ଦେବେ ବୋଲି ଖଣ୍ଡପୀଠ ଆଶା କରିଛନ୍ତି । ପୂର୍ବରୁ ଏ ନେଇ ହାଇକୋର୍ଟ ମଧ୍ୟ ସବୁ ଆବେଦନ ଖାରଜ କରି କେବଳ ପୁରୀରେ ରଥଯାତ୍ରା କରିବାକୁ ଅନୁମତି ଦେଇଥିଲେ । ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ବିଭିନ୍ନ ସଂଗଠନ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଯାହାକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି । କୋଭିଡ ସ୍ଥିତିକୁ ନଜରରେ ରଖି ଆସିଛି ଏହି ରାୟ ।

Leave A Reply

Your email address will not be published.