ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କ୍ରିକେଟ ଖେଳରୁ ମହାଭାରତ, ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ

ଖୋର୍ଦ୍ଧା/ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ଗ୍ରାମର ୨ ଗୋଷ୍ଠୀ ମଧ୍ୟରେ କ୍ରିକେଟ ଖେଳକୁ କେନ୍ଦ୍ରକରି ୨ବର୍ଷ ଧରି ଲାଗିରହିଥିବା ଶତ୍ରୁତା ମଙ୍ଗଳବାର ରାତିରେ ଉଗ୍ରରୂପ ନେଇଛି। ଏଥିରେ ସଂଘବଦ୍ଧ ଆକ୍ରମଣରେ ପ୍ରଦୀପ ବଳିଆରସିଂହ ଓରଫ ପଦିଆ(୨୩)ଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକ ଅନ୍ୟଗୋଷ୍ଠୀର ଗୋଟିଏ କାର୍‌‌, ଟାଟା ଏସି ଏବଂ ପାଳଗଦା ପୋଡିଦେବା ସହିତ ଅନେକ ଦୋକାନ ଭଙ୍ଗାରୁଜା କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି। ଏସ୍‌‌ଡିପିଓ ଦିଲିପ କୁମାର ଦାସଙ୍କ ନେତୃତ୍ୱରେ ୭ରୁ ଊର୍ଦ୍ଧ୍ବ ଅଫିସରଙ୍କ ସମେତ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ଅଛନ୍ତି। ଏହି ଘଟଣାରେ ପୁଲିସ ୨ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ଏସ୍‌‌ଡିପିଓ ଶ୍ରୀ ଦାସ କହିଛନ୍ତି। ରାତି ପ୍ରାୟ ସାଢେ ୧୦ଟାରେ ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି।

ଦେଉଳି ଗ୍ରାମର ହରିହର ବଳିଆରସିଂହ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁଅ ପ୍ରଦୀପ ମଙ୍ଗଳବାର ସନ୍ଧ୍ୟା ୭ଟାରେ ଶୌଚ ହେବାକୁ ବାହାରକୁ ଯାଉଥିବାବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଗାଁର ଅପର ଗୋଷ୍ଠୀର ୩୩ରୁ ଊର୍ଦ୍ଧ୍ବ ଲୋକ ତାକୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ପ୍ରଦୀପକୁ ବାଡିପଟ ବାଉଁଶବୁଦା ନିକଟକୁ ଟେକିନେଇ ତଳେ ପକାଇ ମରଣାନ୍ତକ ଆକ୍ରମଣ କରି ସେଠାରେ ଫିଙ୍ଗି ଚାଲିଆସିଥିଲେ। ଖବରପାଇ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ଏମ୍‌‌ସ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିବାବେଳେ ପ୍ରଦୀପଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ଖବର ବୁଧବାର ଗାଁରେ ପହଞ୍ଚିବା ପରେ ଉତ୍ତେଜନା ଦେଖାଯାଇଥିଲା। ଦେଉଳି ଅପରାହ୍ନରେ ମାନସ ମାଣିଆଙ୍କ ଗ୍ୟାରେଜରେ ଥୁଆ ହୋଇଥିବା ଏକ କାର ଏବଂ ଗାଁ ଭିତରେ ଥିବା ନିବାସ ବେହେରାଙ୍କ ପୁଅ ମୁନାର ଏକ ଟାଟାଏସିଇରେ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇ ଦେଇଥିଲେ।

ଏକ ପାଳଗଦାରେ ମଧ୍ୟ ନିଆଁ ଲଗାଇ ଦେଇଥିବାବେଳେ ସୁରଥ ମାଣିକଙ୍କ ଦୋକାନ ଭଙ୍ଗାରୁଜା କରିଥିଲେ। ଅନ୍ୟଦୋକାନ ଭାଙ୍ଗିବାକୁ ଯିବାବେଳେ ପୁଲିସ ପହଞ୍ଚି ଅଟକାଇବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିବାବେଳେ ଉତ୍ତେଜନା ଲାଗି ରହିଛି। ପୁଲିସ ଭୟରେ ଗ୍ରାମ ପୁରୁଷ ଶୂନ୍ୟ ହୋଇଥିବାବେଳେ ସାଢେ ୮ବେଲେ ଶବ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଲୋକମାନେ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ବେଗୁନିଆ ଥାନା ଆଗରେ ମୃତଦେହ ରଖି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଧାରଣାରେ ବସିଛନ୍ତି। ଘଟଣାସ୍ଥଳରେ ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ, ଆଡିସିନାଲ ଏସ୍‌‌ପି ସୁରେନ୍ଦ୍ର ନାଥ ମୁର୍ମୁ,ବିଡିଓ ଲକ୍ଷ୍ମୀଧର ସୁବୁଦ୍ଧି ପ୍ରମୁଖ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ହେଁ, ସେମାନେ ଧାରଣା ଜାରି ରଖିଛନ୍ତି।

Leave A Reply

Your email address will not be published.