ମହାଦେବଙ୍କ ମହାରାଧନାର ପର୍ବ ମହାଶିବରାତ୍ରି : ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ

ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରି । ମହାଶିବରାତ୍ରି ଅବସରରେ ଚଳଚଞ୍ଚଳ ହୋଇପଡ଼ିଛି ରାଜ୍ୟର ସମସ୍ତ ଶୈବପୀଠ । ଜାଗର ଉପଲକ୍ଷେ ବିଭିନ୍ନ ଶୈବପୀଠ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି । ଭୁବନେଶ୍ବରର ଶ୍ରୀଲିଙ୍ଗରାଜଙ୍କ ପୀଠରେ ଶନିବାର ରାତି ୧୦ଟାରେ ମହାଦୀପ ଉଠିବାକୁ ସ୍ଥିର ହୋଇଥିବା ବେଳେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ୩୨ ପ୍ଲାଟୁନ୍‌‌ ଫୋର୍ସ ମୁତୟନ କରାଯାଇଛି। ଏହା ସହିତ ପାର୍କିଂ ପାଇଁ ୧୩ଟି ସ୍ଥାନ ଚିହ୍ନଟ କରାଯାଇଛି।

ସେହିପରି ପୁରୀରେ ଶ୍ରୀଲୋକନାଥଙ୍କ ପୀଠ ମଧ୍ୟ ଚଳଚଞ୍ଚଳ ରହିଛି। ଏଠାରେ ରାତି ୩ଟାରୁ ଭୋର୍‌ ୪ ଟା ମଧ୍ୟରେ ମହାଦୀପ ଉଠିବାକୁ ଥିବା ବେଳେ କଟକ ଆଠଗଡ଼ର ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମହାନଦୀ ଭିତରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଛି। ଏଠାରେ ରାତି ପ୍ରାୟ ୧ଟାରେ ମହାଦୀପ ଉଠିବ। ସେହିପରି ନୟାଗଡ଼ ଜିଲ୍ଲା ଶରଣକୂଳ ସ୍ଥିତ ପ୍ରସିଦ୍ଧ ଲଡ଼ୁବାବାଙ୍କ ପୀଠରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଠାରେ ରାତି ସାଢ଼େ ୧୦ଟା ପରେ ମହାଦୀପ ଉଠିବାକୁ ଥିବା ବେଳେ ଭଦ୍ରକର ଆରଡ଼ି ପୀଠରେ ରାତି ୪ଟାରେ ମହାଦୀପ ଉଠିବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ମହାଶିବରାତ୍ରିକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାତି ୨ ଟାରୁ ସେବାୟତ ପରିବାର ଉତ୍ତର ଦ୍ବାର ଦେଇ ପ୍ରବେଶ କରି ଦର୍ଶନ କରିଥିବା ବେଳେ ୩ ଟାରୁ ସିଂହ ଦ୍ବାର ଦେଇ ଶ୍ରଦ୍ଧାଳୁ ପ୍ରବେଶ କରୁଛନ୍ତି। ରୋଷ ହୋମ ୬ଟା ୩୦, ଛାମୁ ପରିଷ୍କାର ଦିନ ୧୧ଟାରୁ ୧୨ଟା, ସାହାଣମେଳା ଦର୍ଶନ ଅପରାହ୍‌ଣ ୩ଟା ୪୫ରୁ ୪ଟା ୪୫, ମହାଦୀପ ଦର୍ଶନ ରାତି ୧୦ଟା, ସାହାଣ ମେଳା ଦର୍ଶନ ରାତି ୧୦ଟାରୁ ୧୧ଟା, ଭୁବନେଶ୍ବରୀଙ୍କ ସନ୍ଧ୍ୟାଧୂପ ଓ ପୂଜା ରାତି ୧୧ଟାରୁ ୧୧ଟା ୩୦ ହେବ। ସେହିପରି ବଡ଼ସିଂହର ଓ ପହୁଡ ଭୋର ୪ଟା ୩୦ରୁ ୫ଟା ପର୍ଯ୍ୟନ୍ତ ଜାରି ରହିବ।

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ୩୨ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଥିବା ବେଳେ ଗଙ୍ଗା ଜମୁନା ଛକରୁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ଗୋଟିଏ କଣ୍ଟ୍ରୋଲ ରୁମ କରାଯାଇଛି। ପକେଟମାର, ଛିନତାଇ ଉପରେ ସିସିଟିଭି ନଜର ରଖିବ।୨ /୩ଟି ଗ୍ୟାଙ୍ଗ ସକ୍ରିୟ ଅଛନ୍ତି। ଗ୍ୟାଙ୍ଗରେ ନାବାଳକ ଏବଂ ମହିଳା ଅଛନ୍ତି। ସେମାନେ ପର୍ସ ପକେଟମାର ସହ ସୁନା ଗହଣା ଛିନତାଇ କରିବାର ସମ୍ଭାବନା ରହିଛି। ସେମାନଙ୍କ ପାଇଁ ସାଧାପୋଷାକରେ ପୁଲିସ ମୁତୟନ କରାଯାଇଛି। ମନ୍ଦିର ସମ୍ମୁଖ ରାସ୍ତାରେ ଓ୍ବାନ ଓ୍ବେ କରାଯାଇଛି। ୧୦୦ ମିଟର ପରିଧି ମଧ୍ୟରେ ଗାଡି ଚଳାଚଳ ନିଷିଦ୍ଧ କରାଯାଇଛି।

ସେହିପରି ରାଜ୍ୟର ପ୍ରମୁଖ ଶୈବପୀଠ ପୁରୀର ଶ୍ରୀଲୋକନାଥ ପୀଠ, ରାଉରକେଲାର ବେଦବ୍ୟାସ, ଆଠଗଡର ଧବଳେଶ୍ବର, ଢେଙ୍କାନାଳର କପିଳାସ, ଆରଡିର ଆଖଣ୍ଡଳମଣି, ବାଲେଶ୍ବରର ପଞ୍ଚଲିଙ୍ଗେଶ୍ବର, ଜଳେଶ୍ବରର ଚନ୍ଦନେଶ୍ବର, ଭୋଗରାଇର ଭୁଷଣ୍ଡେଶ୍ବର, ନୟାଗଡ଼ର ଲଢୁବାବା, କୋରାପୁଟର ଗୁପ୍ତେଶ୍ବର ଭଳି ଶୈବ ପୀଠରେ ମହାଶିବରାତ୍ରୀ ଆଡ଼ମ୍ବରର ସହ ପାଳନ କରାଯାଉଛି । ସମସ୍ତ ଶୈବପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳୁଛି । ପୁରୀ ଲୋକନାଥଙ୍କ ପୀଠରେ ରାତି ୨ ଟାରୁ ୩ ଟା ମଧ୍ୟରେ ହରିହର ଭେଟ ହେବା ପରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି । ଭକ୍ତମାନେ ଯେପରି ଶୃଙ୍ଖଳିତ ଦର୍ଶନ କରିପାରିବେ ସେଥିପାଇଁ ବ୍ୟାରିକେଡ୍, ସ୍ବତନ୍ତ୍ର ପୁଲିସ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି ।

Leave a comment