ମହାଶିବରାତ୍ରି ପାଇଁ ପ୍ରଭୁ ଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ, ଜାଣନ୍ତୁ କେତେ ବେଳେ ହେବ ମହାପ୍ରଭୁଙ୍କ କେଉଁ ନୀତିକାନ୍ତି

ଭୁବନେଶ୍ୱର : ମହାଶିବରାତ୍ରି ଅବସରରେ ଚଳିତବର୍ଷ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଆଡ଼ମ୍ବରରେ ଜାଗର ଉତ୍ସବ ପାଳନ କରାଯିବ। ଏହାକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ, ବିଭିନ୍ନ ନିଯୋଗ ଓ ଜନପ୍ରତିନିଧିଙ୍କୁ ନେଇ ଗତକାଲି ପ୍ରସ୍ତୁତି ବୈଠକ ବସିଥିବା ବେଳେ ଆଜି ପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରାର ନୀତି ନିର୍ଘଣ୍ଟ ହୋଇଛି । ସୂଚନା ମୁତାବକ ରାତି ୧୦ଟାରେ ମହାଦୀପ ଉଠିବ । ଏହାପରେ ଭକ୍ତିମାନେ ରାତି ୧୦ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ କରିପାରିବେ।
ନିର୍ଘଣ୍ଟ ହୋଇଥିବା ନୀତି ମୁତାବକ ପ୍ରଭୁ ଲିଙ୍ଗରାଜଙ୍କର ରାତି ପ୍ରାତଃ ୩ଟାରୁ ୩ଟା ୩୦: ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପାଦନ ହେବ । ଭୋର ୩ଟା ୩୦ରୁ ଦିବା ୧୧ଟା ଯାଏ ସାହାଣମେଲା ଦର୍ଶନ କରିବେ ଭକ୍ତ । ସକାଳ ୬ଟା ୩୦ରେ ରୋଷ ହୋମ । ଦିନ ୧୧ଟାରୁ ୧୨ଟା ଛାମୁ ପରିଷ୍କାର, ଦିନ ୧୨ଟାରୁ ମଧ୍ୟାହ୍ନ ୧୨ଟା ୪୫ ଯାଏ ମହାସ୍ନାନ ଓ ବେଶ ଅନୁଷ୍ଠିତ ହେବ । ଏହାପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଶ୍ରୀଜିଉଙ୍କ ଓ ଠାକୁରାଣୀ ବଲ୍ଲଭ ଏବଂ ଶ୍ରୀଜିଉଙ୍କ ସକାଳ ଧୂପ ନୀତି ମଧ୍ୟାହ୍ନ ୧୨ଟା ୪୫ ରୁ ୨ଟା ୩୦ ଯାଏ ଅନୁଷ୍ଠିତ ହେବ। ଏହାପରେ ଶ୍ରୀଭୁବନେଶ୍ୱରୀଙ୍କ ସକାଳ ଧୂପ ମଧ୍ୟାହ୍ନ ୨ଟା ୩୦ରୁ ୨ଟା ୪୫ ମଧ୍ୟରେ ସମ୍ପନ୍ନ ହେବ । ଭୋଗମଣ୍ଡପ ନୀତି ୨ଟା ୪୫ରୁ ୩ଟା ୪୫ ମଧ୍ୟରେ, ସାହାଣ ମେଲା ଦର୍ଶନ ଅପରାହ୍ଣ ୩ଟା ୪୫ରୁ ୪ଟା ୪୫ ଯାଏ କରି ହେବ ।
ଏହାପରେ ଛାମୁ ପରିଷ୍କାର ଅପରାହ୍ଣ ୪ ଟା ୪୫ରୁ ୫ ଟା ୧୫ ଯାଏ, ଶ୍ରୀଜିଉଙ୍କ ପହୁଡ଼ ସନ୍ଧ୍ୟା ୭ ଟାରୁ ୭ଟା ୧୦ ଯାଏ, ଶ୍ରୀଜିଉଙ୍କ ସନ୍ଧ୍ୟା ଆଳତି ଓ ଟେରାଫିଟା ନୀତି ସନ୍ଧ୍ୟା ୭ଟା ୧୦ରୁ ୭ଟା ୩୦ ଯାଏ, ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା ୮ଟା ୧୦ରୁ ୮ ଟା ୫୫ ଯାଏ ହେବ । ମହାଦୀପ ଦର୍ଶନ ରାତି ୧୦ଟାରେ ହେବ । ତା’ପରେ ସାହାଣମେଲା ଦର୍ଶନ ରାତ୍ର ୧୦ଟାରୁ ୧୧ ଟା ଯାଏ, ଚାରି ପ୍ରହର ପୂଜା ରାତ୍ର ୧୧ଟା ୩୦ରୁ ୩ଟା ୩୦ ଯାଏ, ହରିହର ଭେଟ ଭୋର ୩ଟା ୩୦ରୁ ୪ଟା ୩୦ ଯାଏ ଚାଲିବ । ଭୋର୍ ୪ଟା ୩୦ରୁ ସକାଳ ୫ଟା ୧୫ ଯାଏ ବଡ଼ ସିଂହାର ଓ ପହୁଡ଼ ନୀତିକାନ୍ତି ହେବ ।
ଅନ୍ୟପଟେ ଚଳିତ ବର୍ଷ ହାପ୍ରଭୁଙ୍କ ଜାଗର ଯାତ୍ରାର ନୀତିକାନ୍ତିକୁ ସୁରୁଖରରେ ସମ୍ପାଦନ କରିବା ଦିଗରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମନ୍ଦିରକୁ ପୂରା ସିସିଟିଭିରେ ଛାଉଣୀ କରିବା ସହ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯିବ।ପାର୍କିଂ ଲାଗି ୧୩ଟି ସ୍ଥାନ ଚିହ୍ନଟ କରାଯାଇଛି। ଏଥିସହିତ ୪ଟି ଛକରେ ନାକବନ୍ଦୀ କରାଯିବ। ସେହିପରି ରାଜ୍ୟ ତଥା ରାଜ୍ୟ ବାହାରୁ ଆସିବାକୁ ଥିବା ବିପୁଳ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଆସିବେ। ଏଥିରେ କିଭଳି ଶାନ୍ତି ଶୃଙ୍ଖଳା ରକ୍ଷାକରି ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିବେ, ସେନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏଥି ସହିତ ଶ୍ରଦ୍ଧାଳୁ ଓ ଅନ୍ୟାନ୍ୟ ଲୋକଙ୍କର ଯାତାୟତରେ କିପରି ସମସ୍ୟା ନ ଉପୁଜିବ ସେଥିପ୍ରତି ମଧ୍ୟ ଟ୍ରାଫିକ ବ୍ୟବସ୍ଥା ଉପରେ ପ୍ରାଧାନ୍ୟ ଦିଆଯିବା ବୋଲି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।