ଶ୍ରୀମନ୍ଦିରକୁ ଆସିଲା ମୂଷା ଘଉଡ଼ାଇବା ଯନ୍ତ୍ର, ଶବ୍ଦ ବାହାରୁଥିବାରୁ ଗର୍ଭଗୃହରେ ସ୍ଥାପନ ନେଇ ବାଧା

ପୁରୀ : ଶ୍ରୀମନ୍ଦିର ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛନ୍ତି ମୂଷା। ଗର୍ଭଗୃହରେ ମୂଷାଙ୍କ ଉତ୍ପାତ ବଢ଼ୁଛି। ଏହାକୁ ନେଇ ବିବ୍ରତ ସେବକ ଓ ପ୍ରଶାସନ। ହେଲେ ମୂଷାଙ୍କୁ ନିପାତ କରିବାରେ ବାଧକ ସାଜୁଛି ପରମ୍ପରା। ଏଭଳି ସ୍ଥିତିରେ ଜଣେ ଶ୍ରଦ୍ଧାଳୁ ମୂଷା ଘଉଡ଼ାଇବା ଯନ୍ତ୍ର ମନ୍ଦିର ପ୍ରଶାସନକୁ ଦେଇଛନ୍ତି। ଏହାକୁ ପରୀକ୍ଷାମୂଳକ ଭାବେ ମନ୍ଦିର ଶାଖା କାର୍ଯ୍ୟାଳୟରେ ଲଗାଯାଇଛି। ଯେ ହେତୁ ଏଥିରୁ ଏକ ଶବ୍ଦ ବାହାରୁଛି ତେଣୁ ଗର୍ଭଗୃହରେ ଲଗାଯିବା ନେଇ ସନ୍ଦେହ ଦେଖାଦେଇଛି। ତେବେ ସେବାୟତଙ୍କ ସହ ଆଲୋଚନା ପରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ନୀତି ପ୍ରଶାସକ।

ବିଶେଷକରି କଳାହାଟ ଦ୍ୱାର, ଗର୍ଭଗୃହରୁ ପାଣି ନିଷ୍କାସନ ପାଇଁ ଥିବା ଜଳା ଏବଂ ରତ୍ନସିଂହାସନ ଉପରୁ ମୂଷା ଗର୍ଭଗୃହକୁ ଆସୁଥିବା ଅନୁମାନ କରି ୨୦୧୮ରେ ଏହି ୩ ବାଟକୁ ଅବରୋଧ ଲାଗି ଚେଷ୍ଟା କରିଥିଲା ଶ୍ରୀମନ୍ଦିର ପ୍ରଶାସନ। ଇଞ୍ଜିନିୟରଙ୍କ ସହ ଆଲୋଚନା କରାଯାଇ ରତ୍ନସିଂହାସନ ଉପରେ ଜାଲି ଦିଆଯାଇଥିଲା। ସେହିପରି ପାଣି ନିଷ୍କାସନ ପାଇଁ ଥିବା ଜଳାକୁ ରାତିରେ କରିଦେବାକୁ ଦାୟିତ୍ୱରେ ଥିବା କର୍ମଚାରୀ ଏବଂ ସେବକଙ୍କୁ ଅନୁରୋଧ କରିଥିଲା ମନ୍ଦିର ପ୍ରଶାସନ। ଏହାସତ୍ତ୍ବେ ମୂଷାଙ୍କ ପ୍ରାଦୁର୍ଭାବ ନ କମିବାରୁ ବ୍ରହ୍ମପୁରରୁ ଏକ ବଡ଼ ଯନ୍ତା ଆସି ବସାଯାଉଛି। ହେଲେ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ହୋଇପାରୁନି।

ଦାରୁଦିଅଁଙ୍କ ଶ୍ରୀମସ୍ତକ ଉପରେ ଲାଗିଥିବା କନକମୁଣ୍ଡି ଚାନ୍ଦୁଆରେ ବହୁ ସଂଖ୍ୟାରେ ମୂଷା ରହୁଥିବାରୁ ପାରମ୍ପରିକ ପଦ୍ଧତିରେ ନିରାକରଣ ପାଇଁ ଉଦ୍ୟମ ଜାରି ରହିଛି। ତେବେ ମାସେରୁ ଊର୍ଦ୍ଧ୍ବ ହେବ ଜଣେ ଶ୍ରଦ୍ଧାଳୁ ମନ୍ଦିର ପ୍ରଶାସନକୁ ଏକ ଅତ୍ୟାଧୁନିକ ମୂଷା ଘଉଡ଼ାଇବା ଯନ୍ତ୍ର (ଆର୍ଥ ଇନୋଭେସନ) ଦାନ କରିଛନ୍ତି। ପରୀକ୍ଷାମୂଳକ ଭାବେ ଶ୍ରୀମନ୍ଦିର ପ୍ରଶାସନିକ ଶାଖା କାର୍ଯ୍ୟଳୟରେ ଲଗାଯାଇଥିବା କହିଛନ୍ତି ନୀତି ପ୍ରଶାସକ। ଏଥିରୁ ଏକ ପ୍ରକାର ଶବ୍ଦ ବାହାରୁଥିବାରୁ ଏହା ଗର୍ଭଗୃହରେ ଲଗାଯିବ କି ନାହିଁ ସେ ନେଇ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି।

ତେବେ ଏହି ମେଶିନରେ ଏକ ବିପ୍‌‌ ଶବ୍ଦ ବାହାରୁଥିବାରୁ ଠାକୁରଙ୍କ ଶୟନରେ ବାଧା ସୃଷ୍ଟି ହେବ। ଅନ୍ୟପକ୍ଷରେ ମହାପ୍ରଭୁଙ୍କ ଶୟନ ସମୟରେ ଜୟ ବିଜୟ ଦ୍ୱାରଠାରୁ ଗର୍ଭଗୃହ ସମ୍ପୂର୍ଣ୍ଣ ଭାବେ ଅନ୍ଧାର ସହ ପରିବେଶ ନିସ୍ତବ୍ଦ ରହିବାର ବିଧି ରହିଛି। ତେଣୁ ମେଶିନରୁ ଶବ୍ଦ ବାହରୁଥିବାରୁ କିଛି ସେବାୟତ ଏହାକୁ ବିରୋଧ କରିଛନ୍ତି।

Leave a comment