ଚର୍ମବିଣ୍ଡି ରୋଗ ପାଇଁ ପଡ଼ୋଶୀ ରାଜ୍ୟରେ ପଶୁ ମଡ଼କ : ୧୪ ଜିଲ୍ଲାକୁ ଆଲର୍ଟ କରିବା ସହ ମାର୍ଗଦର୍ଶିକା ଜାରି କଲା ପ୍ରାଣୀସମ୍ପଦ ବିଭାଗ

ଭୁବନେଶ୍ୱର : ଉତ୍ତରଭାରତ ସମେତ ରାଜସ୍ଥାନ, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶରେ ଗାଇ ମହିଷି ଚର୍ମବିଣ୍ଡି (ଲମ୍ପି ଡିଜିଜ୍‍)ରେ ଆକ୍ରାନ୍ତ ହେବା ଏବଂ ବହୁ ସଂଖ୍ୟକ ପଶୁ ପ୍ରାଣ ହରାଇବା ପରିପ୍ରେକ୍ଷୀରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ। ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଏହି ସତର୍କ ସୂଚନା ଜାରି କରାଯିବା ସହିତ ମାର୍ଗଦର୍ଶୀକାର ଅନୁପାଳନ ପାଇଁ କୁହାଯାଇଛି। ଚର୍ମବିଣ୍ଡି ରୋଗ ସମ୍ପର୍କରେ ଭାରତ ସରକାର ରାଜ୍ୟ ମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିବା ପରିପ୍ରେକ୍ଷୀରେ ଏହି ପଦକ୍ଷେପ ନିଆଯାଇଛି। ଉପରୋକ୍ତ ରାଜ୍ୟରେ ଲକ୍ଷାଧିକ ଗାଈ ମହିଷି ଚର୍ମବିଣ୍ଡି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ୫୦ ହଜାରରୁ ଅଧିକ ପ୍ରାଣୀ ମୃତ୍ୟୁବରଣ କରିଥିବା ଜଣା ପଡ଼ିଛି।

ଚର୍ମବିଣ୍ଡି ରୋଗ ନିୟନ୍ତ୍ରଣ ଏବଂ ପ୍ରତିକାର ନିମନ୍ତେ ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲାର ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀମାନଙ୍କୁ ବିଭାଗୀୟ ପ୍ରମୁଖ ସଚିବ ଡ଼ ଅରବିନ୍ଦ ପାଢ଼ୀ ପତ୍ର ଲେଖି ନିର୍ଦ୍ଦେଶ ଦେଇଛନ୍ତି। ବାଲେଶ୍ୱର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, ଗଜପତି, ନୂଆପଡ଼ା, ସୁନ୍ଦରଗଡ଼, ବରଗଡ଼, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଚର୍ମବିଣ୍ଡି ରୋଗର ଲକ୍ଷଣ ଓ ପ୍ରତିଶେଧକ ବ୍ୟବସ୍ଥା ସମ୍ପର୍କରେ ବ୍ୟାପକ ପ୍ରଚାର ଓ ଜନସଚେତନତା ସୃଷ୍ଟି କରିବାକୁ ସିଡିଭିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସବୁ ଜିଲ୍ଲାର ରାଜ୍ୟ ସୀମାର ୫ କିମି ପରିଧି ମଧ୍ୟରେ ଥିବା ସୀମାବର୍ତ୍ତୀ ବ୍ଲକ ଓ ଗ୍ରାମ ଗୁଡିକୁ ଚିହ୍ନଟ କରି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବା ପାଇଁ କୁହାଯାଇଛି। ରୋଗ ସଂକ୍ରମଣକୁ ରୋକିବା ପାଇଁ ଆବଶ୍ୟକ ଔଷଧ ପ୍ରୟୋଗର ବ୍ୟବସ୍ଥା କରିବା ପାଇଁ କୁହାଯାିଛି। ଏଥିସହ ଆନ୍ତଃରାଜ୍ୟ ଗୋରୁ ମହିଷି ପରିବହନ ଉପରେ କଟକଣା ଲାଗୁ କରିବା ପାଇଁ ପରାମର୍ଶ ଦିଆଯାଇଛି। ଗୋମହିଷାଦିର ବ୍ୟବସାୟ ଓ ପ୍ରାଣୀମେଳା, ପ୍ରଦର୍ଶନୀ ଆଦିକୁ ସାମୟିକ ଭାବେ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରୋଗ ପ୍ରତିଶେଧକ ଟିକା ସଂଗ୍ରହ କରାଯାଇଛି ଏବଂ ଆବଶ୍ୟକ ହେଲେ ସୀମାବର୍ତ୍ତୀ ବ୍ଲକରେ ଏହା ବଣ୍ଟନ କରାଯିବ।

ବିଭାଗ ପକ୍ଷରୁ କୁହାଯାଇଛି ଯେ ପ୍ରାଣୀ ଚିକିତ୍ସାରେ ସମ୍ପୃକ୍ତ ଭେଟ୍‍, ପାରାଭେଟ୍‍, ଗୋମିତ୍ର, ପ୍ରାଣୀମିତ୍ର ଓ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କୁ ଚର୍ମବିଣ୍ଡି ରୋଗ ଏବଂ ଏହାର ପ୍ରତିଶେଧକ ତଥା ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ସଚେତନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗୁହାଳ ଏବଂ ଗୋରୁମହିଷାଦି ରହୁଥିବା ସ୍ଥାନକୁ ନିୟମିତ ବିଶୋଧନ କରିବା ପାଇଁ କୁହାଯାଇଛି। ଯଦି କୌଣସି ସ୍ଥାନରେ ଗୋମହିଷାଦିଙ୍କ ମଧ୍ୟରେ ଚର୍ମବିଣ୍ଡି ରୋଗ ଦେଖାଯାଏ ତା ହେଲେ ସେମାନଙ୍କୁ ଅନ୍ୟମାନଙ୍କ ଠାରୁ ଅଲଗା ରଖାଯିବ। ସବୁ ପ୍ରଭାବିତ ପଶୁ ସୁସ୍ଥ ହେବା ପର୍ଯ୍ୟନ୍ତ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ନିୟମିତ ପ୍ରଭାବିତ ଫାର୍ମ ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇ ଥିବା ମାର୍ଗଦର୍ଶିକା ଅନୁଯାୟୀ ସନ୍ଦେହ ହେଉଥିବା ପ୍ରାଣୀର ନମୁନା ସଂଗ୍ରହ କରି ଜିଲ୍ଲା ନିଦାନ ପରୀକ୍ଷାଗାର (ଡିଡିଏଲ୍‍) କିମ୍ବା ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନର ପରୀକ୍ଷାଗାରକୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଚର୍ମବିଣ୍ଡି ଏକ ଭୂତାଣୁ ଜନିତ ସଂକ୍ରାମକ ରୋଗ, ଯାହା ମଶା, ଡାଆଁଶ ଓ ଟିଙ୍କମାନଙ୍କ ଦ୍ୱାରା ବ୍ୟାପିଥାଏ। ପ୍ରଭାବିତ ପଶୁର ଘା, ରକ୍ତ, ଲାଳ, ସିଂଘାଣି, ଶୁକ୍ର ଆଦି ଦ୍ୱାରା ଗୋଟିଏ ପଶୁରୁ ଅନ୍ୟ ପଶୁକୁ ବ୍ୟାପିଥାଏ। ଆକ୍ରାନ୍ତ ଗୋଈ ଗୋରୁଙ୍କ ଶରୀରରେ ତାପମାତ୍ରା ବୃଦ୍ଧି ହୋଇ ଜ୍ୱର ହୋଇଥାଏ ଏବଂ ସେମାନେ ଚାଲିବାରେ କଷ୍ଟ ଅନୁଭବ କରିଥାନ୍ତି। ମୁଣ୍ଡ, ବେକ ଓ ପହ୍ନା ଆଦିରେ ଆବୁ ବାହାରିବା ପରି ଫୁଲା ଦେଖାଯାଏ। ଆଶୁ ଚିକିତ୍ସା ଦ୍ୱାରା ରୋଗରୁ ସମ୍ପୂର୍ଣ୍ଣ ମୁକ୍ତି ମିଳିଥାଏ। ତେଣୁ କୌଣସି ଅଞ୍ଚଳରେ ଏହି ରୋଗ ଦେଖା ଦେଲେ ତୁରନ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ପ୍ରାଣୀଧନ ନିରୀକ୍ଷକ, ପ୍ରାଣୀ ଚିକିତ୍ସକଙ୍କୁ ସୂଚନା ଦେବା ଲାଗି ଜନସାଧାରଣଙ୍କୁ ନିବେଦନ କରାଯାଇଛି।

Leave a comment