ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେନ୍ଦ୍ରର ରାଜସ୍ୱ ପାଇଁ ହନ୍ତସନ୍ତ ଖାଉଟି : ଭାରତରେ ଏଲ୍‌ପିଜି ଦାମ୍‌ ବିଶ୍ବର ସବୁଠୁ ମହଙ୍ଗା

ନୂଆଦିଲ୍ଲୀ : ଡିଜେଲ ଏବଂ ପେଟ୍ରୋଲ ଭଳି ପେଟ୍ରୋଲିୟମ ସାମଗ୍ରୀ ଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସର ବର୍ଦ୍ଧିତ ମୂଲ୍ୟ ଦେଶବାସୀଙ୍କୁ ଆକ୍ତାମାକ୍ତା କରିଛି। ଦିନକୁ ଦିନ ଏହିସବୁ ସମାଗ୍ରୀର ମୂଲ୍ୟ ବଢି ଚାଲିଛି ସିନା; କମିବାର ନାଁ ଧରୁନାହିଁ। ଏହିକ୍ରମରେ ଏବେ ଭାରତରେ ଏଲ୍‌ପିଜି ମୂଲ୍ୟ ସାରା ବିଶ୍ବରେ ସବୁଠୁ ମହଙ୍ଗା ରହିଛି। ୟୁକ୍ରେନ ଯୁଦ୍ଧ ସ୍ଥିତି ସହିତ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟ୍ରୋଲିୟମର ମୂଲ୍ୟ ବୃଦ୍ଧି ଘରୋଇ ବଜାରରେ ପେଟ୍ରୋଲଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧିର କାରଣ ହୋଇଥିବା କୁହାଯାଉଥିଲେ ହେଁ ଭାରତୀୟ ମୁଦ୍ରା ବିନିମୟ ଆଧାରିତ କ୍ରୟ ଶକ୍ତି(ପିପିପି) ଅନୁସାରେ ଭାରତରେ ଏଲପିଜି ମୂଲ୍ୟ ବିଶ୍ବରେ ସବୁଠୁ ଅଧିକ ରହିଥିବା ଏକ ବୈଶ୍ବିକ ଆକଳନରୁ ଜଣାପଡ଼ିଛି। ଅର୍ଥାତ୍‌ ସାରା ବିଶ୍ବରେ ଜଣେ ଭାରତୀୟଙ୍କୁ ଏକ ଲିଟର ଏଲପିଜି କ୍ରୟ କରିବାକୁ ସର୍ବାଧିକ ବ୍ୟୟ କରିବାକୁ ପଡ଼ୁଛି। ସେହିପରି ଭାରତରେ ପେଟ୍ରୋଲ ମୂଲ୍ୟ ବିଶ୍ବସ୍ତରରେ ସର୍ବାଧିକ ତୃତୀୟ ସ୍ଥାନରେ ରହିଥିବା ବେଳେ ଡିଜେଲ ମୂଲ୍ୟ ଅଷ୍ଟମ ସ୍ଥାନରେ ରହିଛି।

ପ୍ରତ୍ୟେକ ରାଷ୍ଟ୍ରର ଆୟ କ୍ଷମତା ଭିନ୍ନ ରହିଥିବା ବେଳେ ବ୍ୟକ୍ତିଗତ ଆୟ କ୍ଷମତା ମଧ୍ୟ ପୃଥକ ରହିଛି। ସେହି ଅନୁସାରେ ଗୋଟିଏ ରାଷ୍ଟ୍ରର ମୁଦ୍ରା ବିନିମୟ ମୂଲ୍ୟ ମଧ୍ୟ ଭିନ୍ନ ରହିବା ସହିତ ବିଭିନ୍ନ ଦେଶର ମୁଦ୍ରାର କ୍ରୟ ଶକ୍ତି ମଧ୍ୟ ଭିନ୍ନ ରହିଛି। ତାହାକୁ କ୍ରୟ ଶକ୍ତି ସମତା (ପିପିପି) ଡଲାର ବା ଆନ୍ତର୍ଜାତିକ ଡଲାର କୁହାଯାଉଛି। ଆଇଏମ୍ଏଫ ତଥ୍ୟ ଅନୁସାରେ, ଆନ୍ତର୍ଜାତିକ ଡଲାର ମୂଲ୍ୟ ୨୦୨୨‌ରେ ହାରାହାରି ୨୨ ଟଙ୍କା ୬୦ ପଇସା ରହିଛି। ଯଦି ସେହି ମୂଲ୍ୟ ବିଚାରକୁ ନିଆ‌ଯିବ, ତେବେ ଭାରତରେ ଏକ ଲିଟର ପେଟ୍ରୋଲ ମୂଲ୍ୟ ହେଉଛି ୫.୨ ଆନ୍ତର୍ଜାତିକ ଡଲାର। ଯାହାକି ସୁଦାନରେ ୮ ଆନ୍ତର୍ଜାତିକ ଡଲାର ଏବଂ ଲାଓସରେ ୫.୬ ଆନ୍ତର୍ଜାତିକ ଡଲାର ରହିଛି। ଏହି ଦୁଇ ରାଷ୍ଟ୍ରଙ୍କୁ ବାଦ୍‌ ଦେଲେ ଭାରତରେ ପେଟ୍ରୋଲ ମୂଲ୍ୟ ତୃତୀୟ ସ୍ଥାନ ଭାବେ ସବୁଠୁ ଅଧିକ ରହିଛି।

ଆମେରିକାରେ ପେଟ୍ରୋଲ ମୂଲ୍ୟ ୧.୨ ଆନ୍ତର୍ଜାତିକ ଡଲାର ରହିଥିବା ବେଳେ ଜାପାନରେ ୧.୫ ଡଲାର, ଜର୍ମାନୀରେ ୨.୫ ଡଲାର ଓ ସ୍ପେନ୍‌ରେ ୨.୭ ଡଲାର ରହିଛି। ଏହି ହିସାବ ଅନୁସାରେ ଭାରତରେ ବିକ୍ରି ହେଉଥିବା ପ୍ରତି ଲିଟର ଏଲ୍‌ପିଜି ମୂଲ୍ୟ ହେଉଛି ୩.୫ ଆନ୍ତର୍ଜାତିକ ଡଲାର, ଯାହା କି ସାରା ବିଶ୍ବରେ ସର୍ବାଧିକ। ଏହିକ୍ରମରେ ଭାରତ ପଛକୁ ରହିଛନ୍ତି ତୁର୍କୀ, ଫିଜି, ମାଲ୍‌ଡୋଭା ଏବଂ ୟୁ‌କ୍ରେନ। ଏହା ତୁଳନାରେ ସ୍ବିଜରଲ୍ୟାଣ୍ଡ୍‌, ଫ୍ରାନ୍ସ, କାନାଡା ଓ ବ୍ରିଟେନ୍‌ରେ ଏହି ମୂଲ୍ୟ ୧ ଆନ୍ତର୍ଜାତିକ ଡଲାର ରହିଛି। ଭାରତରେ ଏବେ ‌ ଡିଜେଲ ମୂଲ୍ୟ ଭାରତୀୟ ମୁଦ୍ରାରେ ଯେତିକି ରହିଛି, ତାହାର ପିପିପି ମୂଲ୍ୟ ହେଉଛି ୪.୬ ଆନ୍ତର୍ଜାତିକ ଡଲାର, ଯାହାକି ସାରା ବିଶ୍ବରେ ଡିଜେଲର ଅଷ୍ଟମ ସର୍ବାଧିକ ମୂଲ୍ୟ।ଯଦି ଭାରତରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୧୨୦ ଟଙ୍କା ଓ ଡଲାର-ଟଙ୍କା ବିନିମୟ ମୂଲ୍ୟ ୭୫ ଟଙ୍କା ୮୪ ପଇସା ବୋଲି ଧରି ନିଆଯିବ ତେବେ ଆନ୍ତର୍ଜାତିକ ବଜାରରେ ସେହି ପେଟ୍ରୋଲ ମୂଲ୍ୟ ୧.୫୮ ଡଲାର ରହିବ। ଭାରତରେ ଜଣେ ବ୍ୟକ୍ତି ୭୫ ଟଙ୍କା ୮୪ ରେ ବହୁତ କିଛି କିଣିପାରିବେ। କିନ୍ତୁ ଆମେରିକାରେ ଏକ ଡଲାରରେ ସେତିକି ଜିନିଷ କିଣିହେବ ନାହିଁ।

Leave A Reply

Your email address will not be published.