ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଗଷ୍ଟ ୬ରୁ ରାଜ୍ୟରେ ପୁଣିଥରେ ଆରମ୍ଭ ହେବ ବର୍ଷା, ଅଗଷ୍ଟ ୫ ଯାଏ ଶୁଖିଲା ରହିବ ପାଗ

ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ମୌସୁମୀ ଦୁର୍ବଳ ରହିଛି। ଏହି ସ୍ଥିତି ଆହୁରି ୫-୬ ଦିନ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ରହିଛି। ମୌସୁମୀ ଦୁର୍ବଳ ହେତୁ ଗଲା ୪ ଦିନ ହେବ ସ୍ୱାଭାବିକଠାରୁ କମ୍‍ ବର୍ଷା ହେଉଥିବା ବେଳେ ତାପମାତ୍ରା ମଧ୍ୟ ବୃଦ୍ଧି ହୋଇଛି। ଯାହାଦ୍ୱାରା ରାଜ୍ୟରେ ଅନେକ ସ୍ଥାନରେ ସ୍ୱାଭାବିକଠାରୁ ୩-୪ ଡିଗ୍ରୀ ଉପରେ ତାପମାତ୍ରା ରହିବା ସହ ଗରମ ଗୁଳୁଗୁଳି ଆରମ୍ଭ ହୋଇଛି। ତେବେ ଆସନ୍ତା ୫ ତାରିଖ ପରେ ସ୍ଥିତିରେ ପରିବର୍ତ୍ତନ ଆସିବା ସହ ରାଜ୍ୟରେ ପୁଣି ମୌସୁମୀ ସକ୍ରିୟ ହେବାର ସମ୍ଭାବନା ସୃଷ୍ଟି ହୋଇଛି। କାରଣ ଆସନ୍ତା ୬ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବା ସହ ରାଜ୍ୟକୁ ପୁଣି ବର୍ଷା ଫେରିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି।

ବିଭିନ୍ନ ମଡେଲ୍‍କୁ ବିଶ୍ଳେଷଣ କରି ପ୍ରଫେସର ପଶୁୁପାଳକ କହିଛନ୍ତି ଯେ ଅଗଷ୍ଟ ୬ ତାରିଖରେ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ୬-୯ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ। ମାତ୍ର ସେ ପର୍ଯ୍ୟନ୍ତ ରାଜ୍ୟରେ ବିକ୍ଷିପ୍ତ ବର୍ଷା ହେବ। ଜୁଲାଇ ମାସରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୬ ପରେ ହେବାକୁ ଥିବା ବର୍ଷା ଦ୍ୱାରା ଧାନ ରୁଆ ବେଉଷା ପାଇଁ ପାଣିର ଅସୁବିଧା ଦୂର ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଅନ୍ୟପଟେ ବର୍ତ୍ତମାନ ଦୁର୍ବଳ ମୌସୁମୀ ଯୋଗୁଁ ରାଜ୍ୟରେ ବର୍ଷା କମିଛି। ଏହାସହିତ ରାଜ୍ୟକୁ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ପ୍ରବେଶ ଦ୍ୱାରା ବିଜୁଳି ଘଡ଼ଘଡ଼ି ଜାରି ରହିଛି। ଏହି ସ୍ଥିତି ଆହୁରି ୩ ଦିନ ପର୍ଯ୍ୟନ୍ତ ଜାରି ରହିବାକୁ ଥିବା ବେଳେ ଶନିବାର ମାଲାକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୂୟରଭଞ୍ଜ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ିର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ସ୍ୱାଭାବିକଠାରୁ ତାପମାତ୍ରା ୩-୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ତାପମାତ୍ରା ବୃଦ୍ଧି ସାଙ୍ଗକୁ ଆର୍ଦ୍ରତା ପରିମାଣ ଅଧିକ ରହିବାକୁ ଥିବାରୁ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଜାରି ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.