ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଉପକଣ୍ଠରେ ଲୁଟେରାଙ୍କ ଆତଙ୍କରାଜ , ଏକମାସ ଭିତରେ ୨୪ ଟି ମାମଲା

ଖଣ୍ଡଗିରି : ରାଜଧାନୀ ଉପକଣ୍ଠରେ ଲୁଟେରାଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଦିନ ହେଉ କି ରାତି ସବୁ ସମୟରେ କମିସନରେଟ୍‍ ପୁଲିସକୁ ଖୋଲା ଚାଲେଞ୍ଜ ଦେଇ ଲୁଟ୍‍ପାଟ କରୁଛନ୍ତି ଦୁର୍ବୃତ୍ତ। କେତେବେଳେ ମୋବାଇଲ ଛଡ଼ାଇ ନେଉଛନ୍ତି ତ କେତେବେଳେ ଆକ୍ରମଣ କରି ସୁନାଚେନ୍‍ ଓ ଟଙ୍କା ଲୁଟୁଛନ୍ତି। ଲୁଟ୍‍ କରିବା ପାଇଁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ଗୁଳି ଫୁଟାଇବାକୁ ମଧ୍ୟ ପଛାଉ ନାହାନ୍ତି। ଗତ କିଛି ଦିନ ହେବ ରାଜଧାନୀ ଅପେକ୍ଷା ରାଜଧାନୀ ଉପକଣ୍ଠରେ ଲୁଟେରାମାନଙ୍କ ଆତଙ୍କ ଦେଖିବାକୁ ମିଳୁଛି। ଏହାଦ୍ୱାରା ସାଧାରଣ ଲୋକମାନେ ଭୟଭୀତ ଅବସ୍ଥାରେ ଯିବା ଆସିବା କରୁଛନ୍ତି। ବିଶେଷ କରି ଖଣ୍ଡଗିରି, ଭରତପୁର, ଚନ୍ଦକା, ଇନ୍‍ଫୋଭ୍ୟାଲି ଓ ତମାଣ୍ଡୋ ଥାନା ଅଞ୍ଚଳରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇ ଉଠିଛନ୍ତି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଉପରୋକ୍ତ ୫ଟି ଥାନାରେ ଗତ ମାସକ ମଧ୍ୟରେ ୨୪ଟି ଲୁଟ୍‍ (ଛିନତାଇ) ମାମଲା ରୁଜୁ ହୋଇଛି। ଭରତପୁର ଥାନାରେ ସର୍ବାଧିକ ୯ଟି ମାମଲା ରୁଜୁ ହୋଇଥିବାବେଳେ ଚନ୍ଦକା ଓ ତମାଣ୍ଡୋ ଥାନାରେ ସର୍ବନିମ୍ନ ଗୋଟିଏ ଲେଖାଏଁ ମାମଲା ରୁଜୁ ହୋଇଛି। ଖଣ୍ଡଗିରି ଥାନାରେ ୫ଟି ମାମଲା ରୁଜୁ ହୋଇଥିବା ବେଳେ ଇନ୍‍ଫୋଭ୍ୟାଲି ଥାନାରେ ୮ଟି ମାମଲା ରୁଜୁ କରାଯାଇଛି। ଗତ ୨ ତାରିଖ ଦିନ ରାତି ୧୦ଟା ସମୟରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଗ୍ରାମର ବିବେକ କୁମାର ସାହୁ ଇନ୍‍ଫୋଭ୍ୟାଲି ଥାନା ଅନ୍ତର୍ଗତ ପିତାପଲ୍ଲୀ ବ୍ରିଜ ପୂର୍ବରୁ ରାସ୍ତାକଡ଼ରେ ଛିଡ଼ା ହୋଇ ଫୋନ୍‍ରେ କଥା ହେଉଥିବା ବେଳେ ୪ ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‍ରେ ଆସି ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ମୋବାଇଲ୍‍ ଓ ୬ ହଜାର ୫ ଶହ ଟଙ୍କା ଲୁଟି ନେଇଥିଲେ।

ଏହି ଆକ୍ରମଣରେ ବିବେକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ପ୍ରଥମେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଏମ୍‍ସରେ ଭର୍ତ୍ତି କରାଯାଇଥିଲା। ସେହିଭଳି ଗତ ୩ ତାରିଖ ବିଳମ୍ୱିତ ରାତିରେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ସୁଜନପୁର ଗ୍ରାମର ଗିରିଜା ଭୂଷଣ ରାୟ ଭରତପୁର ଅଞ୍ଚଳକୁ ଯାଉଥିବା ବେଳେ କଳିଙ୍ଗ ଷ୍ଟୁଡିଓ ଛକ ନିକଟରେ ୬ ଜଣ ଦୁର୍ବୃତ୍ତ ତାଙ୍କୁ ଭୁଜାଲିରେ ଆକ୍ରମଣ କରି ୫୦ ହଜାର ଟଙ୍କା ଓ ମୋବାଇଲ ଲୁଟ୍‍ କରି ନେଇଥିଲେ। ସେହିପରି ଗତ ୩୦ ତାରିଖ ଦିନ ପାଇକରାପୁର ବିଡିଏ ହାଉସିଂ କମ୍ପେ୍ଲକ୍ସରେ ରହୁଥିବା ଅମରେନ୍ଦ୍ର ନନ୍ଦ ଓ ତାଙ୍କ ପତ୍ନୀ ପ୍ରାତଃ ଭ୍ରମଣ ସାରି ଘରକୁ ଫେରୁଥିବା ବେଳେ ୩ ଜଣ ଲୁଟେରା ବନ୍ଧୁକ ଦେଖାଇ ତାଙ୍କ ପତ୍ନୀଙ୍କ ବେକରୁ ସୁନାଚେନ୍‍ ଛଡ଼ାଇ ନେଇଥିଲେ ଓ ଲୋକମାନେ ତାଙ୍କୁ ଗୋଡ଼ାଇବାରୁ ଫାଙ୍କା ଗୁଳି ଚାଳନା କରି ଫେରାର ହୋଇଯାଇଥିଲେ। ଏହିଭଳି ଭାବରେ ଲୁଟେରାମାନେ କମିସନରେଟ ପୁଲିସକୁ ଖୋଲା ଚାଲେଞ୍ଜ ଦେଇ ଲୁଟ୍‍ପାଟ କରୁଛନ୍ତି। ତେବେ ଢିଲା ପୁଲିସ ପାଟ୍ରୋଲିଂ ଯୋଗୁଁ ଅପରାଧୀମାନେ ବାରମ୍ୱାର ଅପରାଧ ଘଟାଉଥିବା ଅଭିଯୋଗ ହେଉଛି।

Leave A Reply

Your email address will not be published.