ସିସିଟିଭିକୁ ଚକ୍ମା ଦେଉଛନ୍ତି ଲୁଟେରା; ୫ ମାସରେ ରାଜଧାନୀରୁ ଲୁଟିଲେଣି ୧.୩ କୋଟିର ଅଳଙ୍କାର

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଲୁଟେରା। ସ୍ପଷ୍ଟ ଦିବାଲୋକରେ ପୁଲିସକୁ ଚାଲେଞ୍ଜ ଦେଇ ଲୁଟ୍ପାଟ କରି ଚାଲିଛନ୍ତି। ବିଶେଷକରି ଜୁଏଲାରୀ ଦୋକାନ ଓ ଦୋକାନୀଙ୍କୁ ଟାର୍ଗେଟ୍ କରି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଉଛନ୍ତି। ଗୋଟିଏ ପରେ ଗୋଟିଏ ଗହଣା ଦୋକାନରେ କଳାକନା ବୁଲାଉଛନ୍ତି ଦୁର୍ବୃତ୍ତ। ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ତନାଘନା ଚଳାଇଥିଲେ ବି ସେମାନଙ୍କ ଟେର୍ ପାଉନାହିଁ। ସବୁଠାରୁ ବଡ଼କଥା ହେଉଛି ପ୍ରମୁଖ ଲୁଟ୍ପାଟ ଘଟଣାରେ ପୁଲିସ ସିସିଟିଭି ଫୁଟେଜ୍କୁ ଆଧାର କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୀର୍ଘଦିନ ପର୍ଯ୍ୟନ୍ତ ଏହିସବୁ ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରିପାରି ନାହିଁ।
ସୂଚନା ଅନୁସାରେ, ଗତବର୍ଷ ଡିସେମ୍ୱର ୪ ତାରିଖ ରାତିରେ ଡେଲଟା ଛକରେ ଥିବା ଓମ୍ ପ୍ରକାଶ ସାହୁଙ୍କ ଲକ୍ଷ୍ମୀ ନାରାୟଣ ଜୁଏଲାରୀରେ କଳାକନା ବୁଲାଇଥିଲେ ଦୁର୍ବୃତ୍ତ। କଟର୍ ସାହାଯ୍ୟରେ ଦୋକାନ ସଟର୍ କାଟି ଦୋକାନରେ ଥିବା ଏକ କିଲୋ ସୁନା, ୧୦ କିଲୋ ରୁପା ଓ ନଗଦ ୧.୫ ଲକ୍ଷ ଟଙ୍କା ଚୋରି କରି ନେଇଥିଲେ। ଏନେଇ ଶ୍ରୀ ସାହୁ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଅପରପକ୍ଷେ ଗତମାସ ୧୬ ତାରିଖ ଦିନ ଇନ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ଯାଁଳା ବଜାରରେ ଗୁଳି ଫୁଟାଇ କବିରାଜ ସୁବୁଦ୍ଧିଙ୍କ ସାଗରିକା ଜୁଏଲର୍ସରୁ ସୁନା ଗହଣା ଲୁଟି ନେଇଥିଲେ। ଦିନ ଗୋଟାଏ ସମୟରେ କବିରାଜ ଦୋକାନରେ ବସିଥିବା ବେଳେ ଦୁଇ ଜଣ ବନ୍ଧୁକ ଧାରୀ ଲୁଟେରା ଆସି କେମିକାଲ ସ୍ପ୍ରେ ମାରିବା ସହ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ। କେମିକାଲ ସ୍ପ୍ରେ ଦ୍ୱାରା କବିରାଜଙ୍କୁ କିଛି ଦେଖା ଯାଇ ନ ଥିଲା। ଫଳରେ ଲୁଟେରାମାନେ ତାଙ୍କ ଦୋକାନରୁ ୪ଟି ସୁନାହାର ଓ ୬ଟି ସୁନାଚେନ୍ ନେଇ ଯାଇଥିଲେ। ତେବେ କବିରାଜ ଓ ତାଙ୍କ ପତ୍ନୀ ଲୁଟେରାଙ୍କୁ ଧରିବାକୁ ଚେଷ୍ଟା କରିବାରୁ ସେମାନେ କବିରାଜଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସୌଭାଗ୍ୟବଶତଃ ଗୁଳି ଦୁଇଟି ତାଙ୍କ ଦେହରେ ବାଜି ନ ଥିଲା। ଯାଁଳା ସାଗରିକା ଜୁଏଲର୍ସରୁ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର ଲୁଟ୍ ଘଟଣାରୁ ପରଦା ଉଠାଇବା ପାଇଁ ପୁଲିସ ସିସିଟିଭି ଫୁଟେଜ୍କୁ ଯାଞ୍ଚ କରିଥିଲା। ଲୁଟେରା ଦ୍ୱୟ ହେଲମେଟ୍ ପିନ୍ଧିଥିବାରୁ ସେମାନଙ୍କୁ ଚିହ୍ନଟ କରିବା ପ୍ରଥମେ କଷ୍ଟକର ହୋଇଥିଲେ ମଧ୍ୟ ଘଟଣାରେ ଆସ୍କା ଓ ନୟାଗଡ଼ ଅଞ୍ଚଳର ଅପରାଧୀଙ୍କ ହାତ ଥିବା ପରବର୍ତ୍ତୀ ସମୟରେ ପୁଲିସ ଜାଣିବାକୁ ପାଇଥିଲା। ସେମାନଙ୍କୁ ଧରିବା ପାଇଁ ପୁଲିସ ଏକାଧିକ ଥର ଗଞ୍ଜାମ ଓ ନୟାଗଡ଼ରେ ଚଢ଼ଉ କରିଥିଲେ ମଧ୍ୟ ବିଫଳ ହୋଇଛି। ତେବେ ଗହଣା ଦୋକାନରୁ ଲୁଟ୍ ହୋଇଥିବା ଅଭିଯୋଗ ପାଇବା ପରେ ଘଟଣାସ୍ଥଳକୁ ଯାଇ ପୁଲିସ ଦୋକାନ ଓ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍କୁ ଯାଞ୍ଚ କରି ଦୁର୍ବୃତ୍ତଙ୍କୁ ଚିହ୍ନଟ କରୁଥିଲେ ମଧ୍ୟ ସେମାନଙ୍କୁ ଠାବ କରି ପାରୁନାହିଁ।
ସେହିଭଳି ଓମ୍ ପ୍ରକାଶ ସାହୁଙ୍କ ଡେଲ୍ଟା ଅଞ୍ଚଳରେ ଥିବା ଲକ୍ଷ୍ମୀ ନାରାୟଣ ଜୁଏଲର୍ସରୁ ହୋଇଥିବା କୋଟିଏ ଟଙ୍କାର ଗହଣା ଲୁଟ୍ ଘଟଣାର ଅଭିଯୁକ୍ତମାନେ ଧରା ପଡ଼ି ନ ଥିବା ବେଳେ ଗତ ଗୁରୁବାର ରାତିରେ ସେ ପୁଣି ଲୁଟର ଶିକାର ହୋଇଛନ୍ତି। ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ୩ ଜଣ ଦୁର୍ବୃତ୍ତ ଶତାବ୍ଦୀ ନଗର ନିକଟରେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗକୁ ଲୁଟି ନେଇଛନ୍ତି। ଲୁଟେରା ମାନେ ଗୋଟିଏ ପରେ ଗୋଟିଏ ଗହଣା ଦୋକାନୀଙ୍କୁ ଟାର୍ଗେଟ କରି ଲୁଟି ଚାଲିଛନ୍ତି। ଡେଲଟା ଛକ ଲକ୍ଷ୍ମୀ ନାରାୟଣ ଜୁଏଲର୍ସରୁ ହୋଇଥିବା ଲୁଟ୍ ଘଟଣାର ସମ୍ପୃକ୍ତ ଅପରାଧୀଙ୍କୁ ଧରିବା ପାଇଁ ଦୋକାନର ସିସିଟିଭି ଫୁଟେଜ୍କୁ ଜବତ କରିବା ସହ ପୁଲିସ ବିଭିନ୍ନ ଅତ୍ୟାଧୁନିକ ଜ୍ଞାନ କୌଶଳ ଆପଣାଇଥିଲା। ଟାୱାର ଡମ୍ଫ କରି ଡିସେମ୍ୱର ୪ ତାରିଖ ରାତିରେ ସେହି ଅଞ୍ଚଳରେ ଆକ୍ଟିଭ ଥିବା ମୋବାଇଲ ଫୋନ ଗୁଡିକୁ ଚିହ୍ନଟ କରିଥିଲା। ଏଥିସହିତ ଲୁଟେରା ମାନେ ବରମୁଣ୍ଡା ଅଞ୍ଚଳରେ ଥିବା ଏକ ହୋଟେଲରେ ପରିଚୟପତ୍ର ନଦେଇ ରହିଥିଲେ ବୋଲି ପୁଲିସ ଜାଣିବାକୁ ପାଇଥିଲା। ହୋଟେଲର ସିସିଟିଭି ଯାଞ୍ଚ କରି ସେମାନଙ୍କୁ ଚିହ୍ନଟ କରିଥିଲା। ସେମାନଙ୍କ ମଧ୍ୟରେ ଅଣଓଡ଼ିଆ ଅପରାଧୀଙ୍କ ସମ୍ପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କ ଟେର ପାଇ ପାରିନାହିଁ।