ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦିଲ୍ଲୀରୁ ଲୁଟିଲେ; ରାଜମହଲରେ ଲୁଚିଲେ

ଭୁବନେଶ୍ୱର,୨୭।୭ (ସମିସ): ଭୁବନେଶ୍ୱର ସାଲିଆସାହିର ଜଣେ ମହିଳା ଦିଲ୍ଲୀରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଘରେ ଚାକରାଣୀ ଭାବେ ରହି ତାଙ୍କ ଘରେ କଳାକାନା ବୁଲାଇଦେଇଛନ୍ତି। ମହିଳା ଜଣଙ୍କ ମାଲିକଙ୍କ ଘରୁ କୋଟିଏ ଟଙ୍କାର ହୀରା ଓ ସୁନା ଅଳଙ୍କାର ନେଇ ଭୁବନେଶ୍ୱର ପଳାଇ ଆସିଥିଲେ। ତେବେ ଦିଲ୍ଲୀ ପୁଲିସ ଭୁବନେଶ୍ୱର କମିସନରେଟ ପୁଲିସକୁ ଏବିଷୟରେ ଅବଗତ କରିଥିଲା। ମଙ୍ଗଳବାର ଦିଲ୍ଲୀ ପୁଲିସର ଏକ ଟିମ୍‍ କ୍ୟାପିଟାଲ ଥାନା ସହ ଯୋଗାଯୋଗ କରିଥିଲା। କ୍ୟାପିଟାଲ ଥାନା ପୁଲିସ ସହାୟତାରେ ରାଜମହଲ ଛକରେ ଥିବା ଏକ ହୋଟେଲରେ ଚଢ଼ଉ କରି ମହିଳାକୁ ଗିରଫ କରିଛି। ଗିରଫ ମହିଳା ହେଲେ ସାଲିଆସାହିର ସୁଜାତା ମହାପାତ୍ର। ତାଙ୍କୁ ଭୁବନେଶ୍ୱର ଏସ୍‍ଡିଜେଏମ୍‍ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ଦିଲ୍ଲୀ ପୁଲିସ ସୁଜାତାଙ୍କୁ ଟ୍ରାଞ୍ଜିଟ୍‍ ରିମାଣ୍ଡରେ ନେଇଛି।

ଏଥିସହିତ ଚୋରି ହୋଇଥିବା ସବୁ ହୀରାକୁ ଜବତ କରିଛି ଦିଲ୍ଲୀ ପୁଲିସ। ମିଳିଥିବା ସୂଚନା ଅନୁଯାୟୀ ସୁଜାତା ତାଙ୍କର ଜଣେ ପୁରୁଷ ବନ୍ଧୁ ସହ ଦିଲ୍ଲୀର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଘରେ ରହୁଥିଲେ। ମହିଳା ସେଠାରେ ଚାକରାଣୀ ଭାବେ କାର୍ଯ୍ୟ କରୁଥିଲେ। କିଛିଦିନ ତଳେ ଘର ମାଲିକ ପରିବାର ସହ ଏକ ବିବାହ ଭୋଜିରେ ଯୋଗ ଦେବାକୁ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ମହିଳା ଓ ତାଙ୍କର ପୁରୁଷ ବନ୍ଧୁ ଘର ଭିତରୁ ଅଳଙ୍କାର ଲୁଟି ନେଇ ଏକ ଭୁବନେଶ୍ୱର ପଳାଇ ଆସିଥିଲେ। ଘର ମାଲିକ ବିବାହ ଭୋଜିରୁ ଫେରି ଦେଖିବା ବେଳକୁ ଘରୁ ହୀରାର ଡବା ଓ ସୁନା ଅଳଙ୍କାର ଚୋରି ହୋଇଛି। ଏନେଇ ମାଲିକ ଦିଲ୍ଲୀର ଏକ ଥାନାରେ ଅଭିଯୋଗ କରିଥିଲା। ଆଜି ଦିଲ୍ଲୀ ପୁଲିସର ଜଣେ ମହିଳା ଅଧିକାରୀଙ୍କ ସମେତ ୩ଜଣିଆ ଟିମ୍‍ କ୍ୟାପିଟାଲ ଥାନାରେ ପହଞ୍ଚିଥିଲେ।

ଉକ୍ତ ମହିଳା କ୍ୟାପିଟାଲ ଥାନା ଅଧୀନ ରାଜମହଲ ଛକରେ ଥିବା ଏକ ହୋଟେଲରେ ଆତ୍ମଗୋପନ କରିଥିବା ପୁଲିସ ଜାଣିବାକୁ ପାଇଥିଲା। କ୍ୟାପିଟାଲ ଥାନା ପୁଲିସ ସହାୟତାରେ ଉକ୍ତ ହୋଟେଲରେ ଚଢ଼ଉ କରି ମହିଳାଙ୍କୁ ଗିରଫ କରିବା ସହ ହୀରା ଜବତ କରିଥିଲା। ତେବେ ଏହି ଘଟଣାରେ ସମ୍ପୃକ୍ତି ରହିଥିବା ପୁରୁଷ ଜଣକ ଫେରାର ହୋଇଯାଇଛନ୍ତି।

Leave A Reply

Your email address will not be published.