ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାଙ୍ଗାଳ ପାକିସ୍ତାନକୁ ମିଳୁନି ଋଣ : ପ୍ରଧାନମନ୍ତ୍ରୀ ଶେହବାଜଙ୍କ ଗୁହାରି ସତ୍ତ୍ବେ ଋଣ ଦେବାକୁ ମନାକଲେ ବିଶ୍ବ ବ୍ୟାଙ୍କ ଓ ପାଶ୍ଚାତ୍ୟ ରାଷ୍ଟ୍ର

ଇସଲାମାବାଦ : ଆର୍ଥିକ ଦୂରାବସ୍ଥାକୁ ନେଇ ଏବେ ପାକିସ୍ତାନର ପ୍ରତ୍ୟେକ ଦିନ କଣ୍ଟକିତ ହେବାରେ ଲାଗିଛି। ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଶେଷ ହେବାକୁ ବସିଥିଲା ବେଳେ ଆର୍ଥିକ ଦୁର୍ଗତି ଜଟିଳ ହେବା ସହିତ ସାଧାରଣ ଲୋକଙ୍କ ଅବସ୍ଥା ଦିନକୁ ଦିନ ସଙ୍କଟାପନ୍ନ ହେବାରେ ଲାଗିଛି। ଖାଦ୍ୟ ପାନୀୟ ଠାରୁ ଆରମ୍ଭ କରି ଔଷଧ ଏବଂ ଅନ୍ୟାନ୍ୟ ଅତ୍ୟାବାଶ୍ୟକ ସାମଗ୍ରୀର ଉତ୍କଟ ଅଭାବ ଏବେ ଦେଶବାସୀଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ରାଜସ୍ବ ବୃଦ୍ଧି ପାଇଁ ସରକାର ପେଟ୍ରୋଲ, ଡିଜେଲ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ଉପରେ ଉଚ୍ଚ ହାରରେ ଟିକସ ଲାଗୁ କରିଥିବାରୁ ଏହା ଲୋକଙ୍କ ଉପରେ ବେଡି ଉପରେ କୋରଡ଼ ସାଜିଛି।

ଏଭଳି ସ୍ଥିତିରେ ପାକିସ୍ତାନ ସରକାରଙ୍କ ପାଇଁ ଅନ୍ୟ ଦେଶରୁ ଋଣ ମାଗିବା ବ୍ୟତୀତ ଅନ୍ୟ କିଛି ପନ୍ଥା ନାହିଁ। କିନ୍ତୁ ଏଥିପାଇଁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଶତ ଉଦ୍ୟମ କରି ମଧ୍ୟ ସଫଳ ହୋଇପାରିନାହାନ୍ତି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି(ଆଇଏମଏଫ) ଠାରୁ ଆରମ୍ଭ କରି ବିଶ୍ବ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତିକ ସଂସ୍ଥା ସମେତ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କୁ ସେ ଋଣ ପାଇଁ ଗୁହାରୀ କରିସାରିଛନ୍ତି। ଏହାବ୍ୟତୀତ ମିଳିତ ଆରବ ଆମିରାତ୍‌ ଏବଂ ପାକିସ୍ତାନର ବଡ଼ ଭାଇ କୁହାଯାଉଥିବା ସାଉଦି ଆରବ ନିକଟରେ ମଧ୍ୟ ଶେହବାଜ୍‌ ବିନତି କରିସାରିଛନ୍ତି। ହେଲେ ପାକିସ୍ତାନକୁ ଆର୍ଥିକ ଦୁର୍ବିପାକରୁ ବଞ୍ଚାଇବା ପାଇଁ କେହି ବି ସେଭଳି ପ୍ରତିଶ୍ରୁତି ଦେଇ ନାହାନ୍ତି।

ପ୍ରଥମେ ଋଣ ଦେବା ଲାଗି ଆଇଏମଏଫ ବହୁ ସର୍ତ୍ତ ଜାରି କରିଥିଲା ବେଳେ ବର୍ତ୍ତମାନ ସ୍ବିଜରଲାଣ୍ଡର ଡାଭୋସ୍‌ ଠାରେ ଚାଲିଥିବା ବିଶ୍ବ ଅର୍ଥନୈତିକ ମଞ୍ଚ ବୈଠକରେ ସାଉଦି ଆରବ ମଧ୍ୟ ସମାନ ଉତ୍ତର ରଖିଛି। ପାକିସ୍ତାନକୁ ପୂର୍ବ ଭଳି ବିନା ସର୍ତ୍ତରେ ଏବେ ଋଣ ଦେବା ସମ୍ଭବ ନୁହେଁ ବୋଲି ସାଉଦି ବୈଦେଶିକ ମନ୍ତ୍ରୀ କହିଛନ୍ତି। ଏକଦା ପାକିସ୍ତାନର ଅତ୍ୟନ୍ତ ସହଯୋଗୀ ରହିଥିବା ଆମେରିକା ମଧ୍ୟ ଏହି ପନ୍ଥା ଅବଲମ୍ବନ କରିଛି। କିନ୍ତୁ ଏକ ଆକଳନ ଅନୁସାରେ ଯଦି ପାକିସ୍ତାନକୁ ୬ଣ ଦିଆ ନ ଯାଏ ତେବେ ଖୁବଶୀଘ୍ର ଏହି ଦେଶ ଦୁର୍ବିକ୍ଷର ସମ୍ମୁଖୀନ ହେବ ବୋଲି କୁହାଯାଇଛି।

ଅଲ ଆରବୀୟା ପୋଷ୍ଟ ପକ୍ଷରୁ ପ୍ରକାଶ କରାଯାଇଥିବା ଏକ ରିପୋର୍ଟ ଅନୁସାରେ କିଛି ସପ୍ତାହ ମଧ୍ୟରେ ଆଇଏମଏଫ ପାକିସ୍ତାନକୁ ଋଣ ମଞ୍ଜୁର କରିବାର ଆବଶ୍ୟକତା ରହିଛି। ଯଦି ଏହା ନ ହୁଏ ତେବେ ଏହି ଦେଶର ସ୍ଥିତି ସମ୍ପୂର୍ଣ୍ଣ ଅନିୟନ୍ତ୍ରିତ ହୋଇପଡ଼ିବା ସହିତ ଏଠକାର ଲୋକମାନେ ଦୁର୍ବିକ୍ଷର ସମ୍ମୁଖୀନ ହେବେ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଆଇଏମଏଫ ପାକିସ୍ତାନକୁ ଦକ୍ଷିଣ ଏସିଆର ସବୁଠୁ ଦୁର୍ବଳ ଅର୍ଥନୀତି ଭାବେ ଘୋଷଣା କରିସାରିଛି। ସେହିପରି ବିଶ୍ବବ୍ୟାଙ୍କ ଅର୍ଥନୈତିକ ବିକାଶ ରିପୋର୍ଟରେ ଚଳିତ ବର୍ଷ ପାକିସ୍ତାନର ଆର୍ଥିକ ଅଭିବୃଦ୍ଧି ହାର ମାତ୍ର ୧.୭ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି।

ପାକିସ୍ତାନରେ ସୁନା ମୂଲ୍ୟ ୧ ଲକ୍ଷ ୮୫ ହଜାର

ଆର୍ଥିକ ଦୁର୍ଗତିର ଶିକାର ହୋଇଥିବା ପାକିସ୍ତାନ ଏବେ କାଙ୍ଗାଳ ପ୍ରାୟ ଅବସ୍ଥାକୁ ଚାଲି ଆସିଛି। ଏହି ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ସ୍ଥିତି ୪ ବିଲିୟନ ଡଲାରକୁ ଖସି ଆସିଥିଲା ବେଳେ ଆଉ ମାତ୍ର କିଛି ସପ୍ତାହରେ ଏହା ଶେଷ ହୋଇଯିବ। ଏଭଳି ସ୍ଥିତିରେ ପାକିସ୍ତାନବାସୀଙ୍କ ପାଇଁ ଦୁଇ ଓଳି ଖାଇବା ମଧ୍ୟ କଷ୍ଟକର ହୋଇପଡ଼ିବ। କାରଣ ବିଦେଶରୁ କୌଣସି ସାମଗ୍ରୀ ନ ଆସିଲେ ଦେଶରେ ଯାହାକିଛି ମହଜୁଦ ରହିଥିବ ତାହା ଅମୁଲମୂଲ ହୋଇଯିବ। ବର୍ତ୍ତମାନ ଅଟା, ଚିନି, ଚାଉଳ, ଡାଲି ଏବଂ ଅଣ୍ଡା , ଚିକେନ ଠାରୁ ଆରମ୍ଭ କରି ଔଷଧ ଓ ବିଦ୍ୟୁତ ଦେୟ ଯେଉଁ ସ୍ତରରେ ପହଞ୍ଚିଛି ତାହା ପାକିସ୍ତାନବାସୀଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି। ତେଣୁ ଏଭଳି ସ୍ତରରେ ସୁନାକୁ ବା କିଏ ପଚାରିବ? ତଥାପି ପାକିସ୍ତାନର ସାଂପ୍ରତିକ ମୁଦ୍ରାସ୍ଫୀତି ସ୍ଥିତି ଅନୁସାରେ ଏଠାରେ ସୁନା ଦର ଯାହା ଅଛି ତାହା ଶୁଣିଲେ କେହି ବି ବିଶ୍ବାସ କରିପାରିବେନି। ଏଠାରେ ଏବେ ଏକ ତୋଳା ସୁନା ମୂଲ୍ୟ ୧ ଲକ୍ଷ ୮୫ ହଜାର ଟଙ୍କା(ପାକିସ୍ତାନୀ)ରେ ପହଞ୍ଚିଛି।

Leave A Reply

Your email address will not be published.