ଜାଣନ୍ତୁ କାର୍ତ୍ତିକ ମାସରେ ତୁଳସୀର ମାହାତ୍ମ୍ୟ ବିଷୟରେ….

ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ ତୁଳସୀ । ତୁଳସୀ ପତ୍ର ବିନା ବିଷ୍ଣୁଙ୍କୁ ଭୋଗ ଅର୍ପଣ କରାଯାଏ ନାହିଁ । ସେଥିପାଇଁ ତ ତୁଳସୀଙ୍କ ନାମ ବୈଷ୍ଣବୀ, ବିଷ୍ଣୁ ବଲ୍ଲଭା, ହରିପ୍ରିୟା । ତୁଳସୀର ନାଁ ପୂର୍ବରୁ ଲାଗେ ଶ୍ରୀ ଯାହାକି ସୌଭାଗ୍ୟ, ଐଶ୍ଵର୍ଯ୍ୟର ପ୍ରତୀକ । ତୁଳସୀ ବୃକ୍ଷ ମୂଳରେ ଗଙ୍ଗା ଓ ଡାଳ ପତ୍ରରେ ଅନ୍ୟାନ୍ୟ ଦେବତାମାନେ ବାସ କରନ୍ତି ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ତୁଳସୀ ଗଛ ମହାନ ହିନ୍ଦୁ ପରମ୍ପରାରେ ଏକ ଶକ୍ତିର ପ୍ରତୀକ ଅଟେ । ହିନ୍ଦୁ ଲୋକେ ଗାଧୋଇସାରି ତୁଳସୀ ଗଛମୂଳରେ ପାଣି ଢାଳି ତୁଳସୀ ପାଣି ପାଇ ନିଜକୁ କୃତାର୍ଥ ମନେ କରନ୍ତି । ଭାରତୀୟ ଧର୍ମ ଓ ସଂସ୍କୃତିରେ ତୁଳସୀ ବୃକ୍ଷକୁ ଏକ ଦେବଯୋଗ୍ୟ ମର୍ଯ୍ୟାଦା ଦିଆଯାଇଥାଏ । ପ୍ରାଚୀନ ଧାର୍ମିକ ପରମ୍ପରା ଅନୁସାରେ, ପ୍ରତ୍ୟେକ ହିନ୍ଦୁଙ୍କ ଘରେ ତୁଳସୀ ବୃକ୍ଷ ମସ୍ତକରେ ଧାରଣ କରିଥିବା ବୃନ୍ଦାବତୀ ଚଉଁରା ପୂଜା ହୋଇଥାଏ । ହିନ୍ଦୁ ଲୋକମାନେ ଏହି ତୁଳସୀ ବୃକ୍ଷକୁ ପବିତ୍ର ଓ ପୂଜ୍ୟ ମନେକରି ସ୍ବାସ୍ଥ୍ୟ ଓ ସମୃଦ୍ଧି ମନେକରି କାମନାର ପରିତୃପ୍ତି ଉଦ୍ଦେଶ୍ୟରେ ଗୃହ ଅଗଣାରେ ଏହାକୁ ରୋପଣ କରି ସନ୍ଧ୍ୟାବେଳେ ଧୂପଦୀପ ଦେଇଥାଆନ୍ତି। କାର୍ତ୍ତିକ ମାସର ପ୍ରବୋଧିନି ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମା ଭିତରେ ଅନୁଷ୍ଠିତ ହୁଏ ତୁଳସୀ ବିବାହ । ଅର୍ଥାତ୍ ଏହି ଦିନ ଭଗବାନ ବିଷ୍ଣୁଙ୍କ ସହ ତୁଳସୀ ବୃକ୍ଷର ବିବାହ ସମ୍ପନ୍ନ ହୁଏ ।

Tulsi_vivah

ତୁଳସୀର ଧାର୍ମିକ ଓ ଆଧ୍ୟାତ୍ମିକ ମହତ୍ତ୍ବ ଯେତିକି ତାହା ଠାରୁ ଅଧିକ ଏହାର ଔଷଧୀୟ ଗୁଣ । ଆୟୁର୍ବେଦ ଔଷଧ ତିଆରିରେ ତୁଳସୀ ଏକ ମୁଖ୍ୟ ଉପାଦାନ । ତୁଳସୀ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହା ଭାରତରେ ସର୍ବତ୍ର ଦେଖିବାକୁ ମିଳେ । ଏହା ଭାରତୀୟ ଜନଜୀବନ ସହିତ ଅତି ପରିଚିତ । ଏହା ବିଭିନ୍ନ ପ୍ରକାରର ହୋଇଥିଲେ ବି ପତ୍ରର ରଙ୍ଗକୁ ନେଇ ଧଳା ଓ କଳା ଭେଦରେ ଦୁଇଟି ଜାତି ପ୍ରଧାନ ଅଟେ । ଶ୍ୱେତ ତୁଳସୀର ପତ୍ରଗୁଡ଼ିକ ହାଲୁଜା ରଙ୍ଗର ଥାଏ । ଏହାକୁ କେହି କେହି ‘ଗୌରୀ ତୁଳସୀ’ ମଧ୍ୟ କହିଥାନ୍ତି, ଆଉ କୃଷ୍ଣ ତୁଳସୀ ପତ୍ରଗୁଡ଼ିକ ଗାଢ଼ କଳା । ଏହା ବ୍ୟତୀତ ବଣ ତୁଳସୀ ନାମକ ଆଉ ଏକ ଜାତି ରହିଅଛି । ସାରା ବିଶ୍ବରେ ତୁଳସୀର ପ୍ରାୟ ଅନେକ ପ୍ରକାରର ପ୍ରଜାତି ଅଛି। ତେବେ ଓଡିଶାରେ ସାଧାରଣତଃ କଳା ତୁଳସୀ, ଗଙ୍ଗା ତୁଳସୀ, ଦୁର୍ଲଭା ତୁଳସୀ , ବଣ ତୁଳସୀ, ରାମ ତୁଳସୀ, ଶ୍ରୀ ତୁଳସୀ, ଶ୍ୟାମ ତୁଳସୀ, କଳା ତୁଳସୀ ଆଦି ଦେଖାଯାଏ । ଯେଉଁ ସ୍ଥାନରେ ତୁଳସୀ ଉଦ୍ୟାନ ରହିଥାଏ ତାକୁ ତୀର୍ଥସ୍ଥାନ ରୂପେ ମାନ୍ୟତା ମିଳେ । ତୁଳସୀ ମୂଳରେ ସମସ୍ତ ତୀର୍ଥ, ପତ୍ରରେ ଦେବତାଗଣ ବାସ କରନ୍ତି। ଏହା ମୂଳର ମାଟି ବି ପବିତ୍ର | ମସ୍ତକରେ ଏହାକୁ ଲଗାଇଲେ ମନରେ ସ୍ଥିରତା ଆସେ, ଏକାଗ୍ରତା ବଢ଼େ, ମନ ଶୁଦ୍ଧ ହୁଏ । ତୁଳସୀ କେବଳ ଏକ ପବିତ୍ର କିମ୍ବା ଔଷଧୀୟ ଉଭିଦ ନୁହେଁ, ଏହାର ସକାରାତ୍ମକ ଶକ୍ତି ଘର ଏବଂ ପରିବାରରେ ସୁଖ ସମୃଦ୍ଧି ଆଣିଥାଏ। ଏହି କାରଣରୁ ପ୍ରାଚୀନ ଋଷିମୁନିମାନେ ତୁଳସୀ ଗଛର ପୂଜା କରିବା ନିମନ୍ତେ ପରାମର୍ଶ ଦେଉଥିଲେ । ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ତୁଳସୀ ଗଛର ଉପକାରିତା ସମ୍ବନ୍ଧରେ ବିଭିନ୍ନ ପୁସ୍ତକରେ ବର୍ଣ୍ଣନା କରାଯାଇଛି । ବାସ୍ତୁଶାସ୍ତ୍ର ଅନୁସାରେ, ତୁଳସୀ ଗଛ ଲଗାଇଲେ ନକାରାତ୍ମକ ଶକ୍ତି ଘରଠାରୁ ଦୂରେଇ ରହେ | ଆଉ ଘରେ ଶାନ୍ତିର ପରିବେଶ ସୃଷ୍ଟି ହୁଏ ।

Tulsi

ପୌରାଣିକ କିମ୍ବଦନ୍ତୀ ଅନୁସାରେ, ଦକ୍ଷସାବର୍ଣ୍ଣିଙ୍କ ବଂଶଧର ଧର୍ମପରାୟଣ ରାଜା ଧର୍ମଧ୍ଵଜ ଓ ରାଣୀ ମାଧବୀଙ୍କ ଗର୍ଭରୁ ଲକ୍ଷ୍ମୀ ସ୍ଵରୂପିଣୀ ସର୍ବଗୁଣସମ୍ପନ୍ନା ପଦ୍ମିନୀ କନ୍ୟା ‘ତୁଳସୀ’ କାର୍ତ୍ତିକ ପୂର୍ଣ୍ଣିମା ଶୁକ୍ରବାରରେ ଶ୍ରୀକୃଷ୍ଣଙ୍କ ରାସସ୍ଥଳୀ ବୃନ୍ଦାବନରେ ଜନ୍ମଗ୍ରହଣ କରିଥିଲେ । ଗୋଲକବିହାରୀଙ୍କ ଅଷ୍ଟ ଗୋପପାର୍ଷଦ ମଧ୍ୟରୁ ‘ସୁଦାମା’ ଶ୍ରୀରାଧାଙ୍କ ଦ୍ବାରା ଶାପଗ୍ରସ୍ତ ହୋଇ ଶଙ୍ଖଚୂଡ ନାମକ ଦାନବ ରୂପେ ଜନ୍ମଗ୍ରହଣ କରିଥିଲେ। ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ନିର୍ଦ୍ଦେଶରେ ତୁଳସୀ ସେହି ଶଙ୍ଖଚୂଡକୁ ବିବାହ କରିଥିଲେ। ବିଷ୍ଣୁ ଶଙ୍ଖ ଚୂଡକୁ ବଧ କରନ୍ତେ ପୂର୍ବଜନ୍ମର ବୃନ୍ଦାଙ୍କ ପରିବର୍ତ୍ତିତ ରୂପ ତୁଳସୀ ବିଷ୍ଣୁଙ୍କୁ ଶିଳାରୂପ ହେବାର ଅଭିଶାପ ଦେଇଥିଲେ |ମାୟାଧରଙ୍କ ନିର୍ଦ୍ଦେଶରେ ତୁଳସୀ ଦିବ୍ୟସ୍ବରୂପ ଗ୍ରହଣ କରି ତପସ୍ୟାର ଫଳସ୍ବରୂପ ଗୋଳକବିହାରୀଙ୍କ ସହ ବୈକୁଣ୍ଠରେ ଲକ୍ଷ୍ମୀଙ୍କ ସହ ବିଷ୍ଣୁପ୍ରିୟ ହୋଇ ରହିଲେ । ତୁଳସୀଙ୍କ ମରଶରୀର ଗଣ୍ଡକୀ ନଦୀ ହେଲା, କେଶରାଶିରୁ ତୁଳସୀ ବୃକ୍ଷ ସୃଷ୍ଟି ହେଲା |

Tulsi Plant

ବର୍ଷର ବାରମାସ ମଧ୍ୟରେ କାର୍ତ୍ତିକ ମାସର ମହତ୍ତ୍ୱ ବେଶୀ ଓ ଏହାକୁ ଧର୍ମ ମାସ ବୋଲି କୁହାଯାଏ। ଆଉ ଏହି ମାସରେ ତୁଳସୀର ମହତ୍ତ୍ବ ବଢିଯାଇଥାଏ। ଓଡ଼ିଶାରେ ହବିଷ୍ୟାଳୀମାନେ ଏହି ମାସରେ ତୁଳସୀ ଚଉରା ପୂଜା କରନ୍ତି। ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ, ତୁଳସୀ ମାଳାକୁ ଧାରଣ କରୁଥିବା ବ୍ୟକ୍ତିଙ୍କର ଭଗବାନ ବିଷ୍ଣୁ ତଥା ଶ୍ରୀଜଗନ୍ନାଥଙ୍କ ସହ ସିଧାସଳଖ ସଂଯୋଗ ରହେ ବୋଲି ବିଶ୍ୱାସ ରହିଅଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନାରେ ତୁଳସୀର ବ୍ୟବହାର ବହୁଳ ଭାବରେ ହୋଇଥାଏ ସମସ୍ତ ପତ୍ର ପୁଷ୍ପ ଅପେକ୍ଷା ତୁଳସୀ ପତ୍ର ପ୍ରତି ଶ୍ରୀଜଗନ୍ନାଥଙ୍କର ଶ୍ରଦ୍ଧା ଅଧିକ ରହିଥାଏ। ତୁଳସୀ ଓ ଦୟଣାପ୍ରିୟ ହେଉଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ। ତାଙ୍କ ପୂଜାରେ ତୁଳସୀ, ମସ୍ତକରେ ତୁଳସୀ, ଅଉ ମହାପ୍ରସାଦରେ ବି ତୁଳସୀ। ତୁଳସୀ ପଡ଼ିଲେ ହିଁ ଭୋଗ ପାଇଟେ ମହାପ୍ରସାଦ। ମାନ୍ୟତା ଅଛିକି ଯାହା ଘରେ ପ୍ରତ୍ୟେକ ଦିନ ତୁଳସୀର ପୂଜା କରାଯାଏ ସେହି ଘରେ କେବେବି ଦାରିଦ୍ର୍ୟ ଏବଂ ଦୁର୍ଭାଗ୍ୟ ନୁହେ ନାହିଁ | ତୁଳସୀ ଗଛ ଘରେ ଥିବା ସମସ୍ତ ନକାରାତ୍ମକ ଦୋଷକୁ ଦୁର କରିବା ସହ ସକାରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ, ଯାହା ଦ୍ୱାରା ଘରେ ସୁଖ ଏବଂ ଶାନ୍ତି ଆସିଥାଏ ବୋଲି କୁହାଯାଏ ।

Leave a comment