ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଧାନ ପରିଷଦ ଗଠନ ପ୍ରକ୍ରିୟା ଆରମ୍ଭ : ରାଜ୍ୟଠୁ ସବିଶେଷ ତଥ୍ୟ ଲୋଡ଼ିଲା କେନ୍ଦ୍ର

ଭୁବନେଶ୍ୱର : ବହୁ ବାଦବିବାଦ ପରେ ଓଡ଼ିଶାରେ ବିଧାନ ପରିଷଦ ଗଠନ ନେଇ ଶେଷରେ କେନ୍ଦ୍ର ସରକାର ଆନୁଷ୍ଠାନିକ ଭାବେ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପରିଷଦ ଗଠନ ଲାଗି ରାଜ୍ୟ ସରକାର କ’ଣ ପ୍ରକ୍ରିୟା କରିଛନ୍ତି, ବିଧାନ ପରିଷଦରେ କେତେ ଆସନ ରହିବ, ପରିଷଦର ସ୍ୱରୂପ କ’ଣ ହେବ, ଏସବୁ ତଥ୍ୟ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି। ଓଡ଼ିଶା ବିଧାନସଭା ଏହି ଚିଠି ପାଇବା ପରେ ଏହାକୁ ସଂସଦୀୟ ବ୍ୟାପର ବିଭାଗ ପାଖକୁ ପଠାଇଦେଇଛି। ରାଜ୍ୟ ସରକାରଙ୍କ ତନାଘନା, ଓଡ଼ିଶା ବିଧାନସଭା ବାଚସ୍ପତିଙ୍କ ତ୍ୱରିତ୍‍ ପଦକ୍ଷେପ ପାଇଁ କେନ୍ଦ୍ର ସରକାର ଚାପରେ ପଡ଼ି ଶେଷରେ ଆନୁଷ୍ଠାନିକ ଭାବେ ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ତେବେ ପୂର୍ବରୁ ରାଜ୍ୟ ସରକାର ଏନେଇ ସମ୍ପୂର୍ଣ୍ଣ ତଥ୍ୟ କେନ୍ଦ୍ରକୁ ପ୍ରଦାନ କରିସାରିଛନ୍ତି। ଏହାପରେ କେନ୍ଦ୍ର ସରକାର ପୁଣିଥରେ କାହିଁକି ତଥ୍ୟ ମାଗିଛନ୍ତି ସେନେଇ ତଥ୍ୟାଭିଜ୍ଞ ମହଲ ପ୍ରଶ୍ନ ଉଠାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର ସରକାର ରାଜ୍ୟରେ ବିଧାନ ପରିଷଦ କିପରି ଗଠନ ହେବ, କେତେ ସଦସ୍ୟ ବିଶିଷ୍ଟ ହେବ, କିଏ କିଏ ସଦସ୍ୟ ରହିବେ, ତାହାର ବିସ୍ତୃତ ତଥ୍ୟ ମାଗିଛନ୍ତି। ଯାହାଫଳରେ ରାଜ୍ୟରେ ବିଧାନ ପରିଷଦ ଗଠନ ହେବା ନେଇ ଆପାତତଃ ବାଟ ଫିଟିଛି। ସୂଚନାଯୋଗ୍ୟ ଯେ ଓଡ଼ିଶାରେ ବିଧାନ ପରିଷଦ ଗଠନ ନେଇ ୨୦୧୮ ମସିହା ସେପ୍ଟେମ୍ବର ୬ ତାରିଖରେ ଓଡ଼ିଶା ବିଧାନସଭାରେ ଏକ ସଂକଳ୍ପ ପାରିତ ହୋଇଥିଲା। ଏହି ସଂକଳ୍ପ ସମ୍ପର୍କରେ ପୂର୍ବରୁ କେନ୍ଦ୍ରକୁ ଯଥାବିଧି ଲିଖିତ ଭାବେ ଅବଗତ କରାଯାଇଥିଲେ ହେଁ ଏହା କେନ୍ଦ୍ର ସରକାରଙ୍କ ହସ୍ତଗତ ହୋଇନାହିଁ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜିଜୁ ନିକଟରେ ରାଜ୍ୟସଭାରେ ଉତ୍ତର ରଖିଥିଲେ। ଯାହାକୁ ନେଇ ରାଜ୍ୟରେ ବିତର୍କ ସୃଷ୍ଟି ହୋଇଥିଲା।

ବିଧାନସଭାରେ ପାରିତ ସଙ୍କଳ୍ପର ନକଲ ଲୋକସଭା ଓ ରାଜ୍ୟସଭାର ସେକ୍ରେଟାରୀ ଜେନେରାଲ, କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟର ସଚିବ, କେନ୍ଦ୍ର ସଂସଦୀୟ ବ୍ୟାପାର ସଚିବ, ସଂସଦୀୟ ବ୍ୟାପାର ସଚିବ କମିସନରଙ୍କୁ ପ୍ରଦାନ କରାଯାଇଥିବା ସତ୍ତ୍ବେ କେନ୍ଦ୍ରର ଏପରି ମିଛ କହିବାକୁ ନେଇ ରାଜ୍ୟବାସୀ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର କେନ୍ଦ୍ରର ଏପରି ଆଭିମୁଖ୍ୟକୁ ନିନ୍ଦା କରିବା ସହ କେନ୍ଦ୍ରକୁ ଦୁଇଟି ଚିଠି ଲେଖିଥିଲେ। ପ୍ରଥମ ଚିଠିରେ ୨୦୧୮ ମସିହାରେ ପାରିତ ସଙ୍କଳ୍ପକୁ ନେଇ କେନ୍ଦ୍ରକୁ ଦିଆଯାଇଥିବା ସମସ୍ତ ତଥ୍ୟକୁ ସଲଗ୍ନ କରି ପଠାଯାଇଥିଲା। ଦ୍ୱିତୀୟ ଚିଠିଟି ବାଚସ୍ପତି କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଲେଖିଥିଲେ। ଓଡ଼ିଶାରୁ ଏଭଳି କୌଣସି ସଂକଳ୍ପ ଆସିନି ବୋଲି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରଣ ରିଜିଜୁ ରାଜ୍ୟସଭାରେ କହିଥିବାବେଳେ ମନ୍ତ୍ରଣାଳୟର ଅଧିକାରୀ ତାଙ୍କୁ କିପରି ଭୁଲ୍‍ ତଥ୍ୟ ଦେଲେ ତା’ର ତଦନ୍ତ କରିବାକୁ ବାଚସ୍ପତି ଚିଠିରେ ଅନୁରୋଧ କରିଥିଲେ। ସମ୍ପୂର୍ଣ୍ଣ ଘଟଣାରେ ଓଡ଼ିଶା ବିଧାନସଭା ପକ୍ଷରୁ ଏପରି ତତ୍ପରତା ପ୍ରକାଶ ପାଇବା ପରେ ଶେଷରେ କେନ୍ଦ୍ର ନିଜ ତ୍ରୁଟି ସୁଧାରିବାକୁ ଚେଷ୍ଟା କରୁଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Leave A Reply

Your email address will not be published.