ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପରଲୋକରେ ବିଶିଷ୍ଠ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତି : ଆଜି କଟକ ସତୀଚଉରାରେ ରାଷ୍ଟ୍ରୀୟ ସମ୍ମାନ ସହ ହେବ ଶେଷକୃତ୍ୟ

କଟକ : ବିଶିଷ୍ଟ ସାହିତ୍ୟିକା ତଥା ଓଡ଼ିଆ କଥା ସାହିତ୍ୟର ଖ୍ୟାତିସମ୍ପନ୍ନ ଲେଖିକା ପଦ୍ମଶ୍ରୀ ଡଃ ବୀଣାପାଣି ମହାନ୍ତି ଆଉ ନାହାନ୍ତି। ବାଦାମବାଡ଼ିସ୍ଥିତ ବାସଭବନରେ ହୃଦ୍‌ଘାତରେ ରବିବାର ରାତିରେ ତାଙ୍କ ର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ସାରସ୍ୱତ ସୃଷ୍ଟି ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ପୁରସ୍କାର ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ଓ ସମ୍ମାନଜନକ ସାରଳା ପୁରସ୍କାର ଲାଭ କରିଥିଲେ। ତାଙ୍କ ବିୟୋଗରେ ଓଡ଼ିଶାର ସାରସ୍ୱତ ଜଗତରେ ଜଣେ ଉଜ୍ୱଳତମ ନକ୍ଷତ୍ର ଅନ୍ତର୍ହିତ ହୋଇଗଲା। ଆଜି କଟକ ସତୀଚଉରା ଠାରେ ସକାଳ ୧୦ ଟା ୩୦ ମିନିଟ୍ ସମୟରେ ତାଙ୍କର ଶେଷକୃତ୍ୟ ଅନୁଷ୍ଠିତ ହେବ । ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ

୧୯୩୬ ନଭେମ୍ବର ୧୧ ତାରିଖରେ ବ୍ରହ୍ମପୁରରେ ଜନ୍ମଗ୍ରହଣ କରିଥିଲେ ବୀଣାପାଣି। ତାଙ୍କ ପୈତୃକ ଗୃହ କେନ୍ଦ୍ରାପଡ଼ାର ଚାନ୍ଦୋଳଠାରେ। ଚତୁର୍ଭୁଜ ମହାନ୍ତି ଓ କୁମୁଦିନୀଙ୍କ ସୁକନ୍ୟା ବୀଣାପାଣି ଛାତ୍ରୀ ଜୀବନରେ କବିତା ଲେଖାରୁ ନିଜ ସାରସ୍ୱତ ସାଧନା ଆରମ୍ଭ କରିଥିଲେ। ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀପ୍ରାପ୍ତ ବୀଣାପାଣି ଗଳ୍ପ ଓ ଉପନ୍ୟାସ ଲେଖି ଜଣେ ବିଶିଷ୍ଟ ସାହିତ୍ୟିକା ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। ନବ ତରଙ୍ଗ, ପାନ୍ଥଶାଳା, ରକ୍ତ କରିବି, କସ୍ତୁରୀ ମୃଗ, ସବୁଜ ଅରଣ୍ୟ, ତଟୀନିର ତୃଷ୍ଣା, ସାୟାହ୍ନର ସ୍ୱର, ଅନ୍ଧକାରର ଛାଇ, କାଳାନ୍ତର , ଆରୋହଣ, ମଧ୍ୟାନ୍ତର, ବସ୍ତ୍ରହରଣ, ଅନ୍ୟ ଅରଣ୍ୟ, ଇଣ୍ଟରଭିୟୁ, ଖେଳନା, ଦୃଶ୍ୟାନ୍ତର ଚରିତ୍ର ହସୁଛି, ତୃତୀୟ ପାଦ,ଜନ୍ମାନ୍ତର, ଅଶ୍ରୁ ଅନଳ, ଶକୁନିର ଛକା, ‘ପାଟଦେଇ’ ‘ମିଛି ମିଛିକା’,ଏକାକୀ ପରାଶର, ‘ବହ୍ନି ବଳୟ’, ‘ଉତ୍ତରାୟଣ’, ‘ଅପହଞ୍ଚ ଆକାଶ’, ‘ପାଚେରୀ ସେପଟେ ନଈ’, ‘ବିତି ଯାଇଥିବା ଦିନ’, ‘ମନସ୍ୱିନୀ’ ଆଦି ବହୁ ଗଳ୍ପ ତାଙ୍କ ଅନବଦ୍ୟ ସୃଷ୍ଟି।

ସେହିଭଳି ପ୍ରଥମ ଉପନ୍ୟାସ ‘ସୀତାର ଶୋଣିତଠାରୁ ଆରମ୍ଭ କରି ‘କୁନ୍ତୀ କୁନ୍ତଳା ଶକୁନ୍ତଳା’ ପର୍ଯ୍ୟନ୍ତ ପ୍ରତିଟି ଉପନ୍ୟାସର ବିଷୟବସ୍ତୁ ଅତ୍ୟନ୍ତ ହୃଦୟସ୍ପର୍ଶୀ। ନାରୀତ୍ୱର ନିର୍ଜଳା ଅନୁଭବରେ ଶାଣିତ ଏବଂ ସମୁଜ୍ଜଳ ଅଭିବ୍ୟକ୍ତି ତାଙ୍କ ଉପନ୍ୟାସରେ ପ୍ରତିଫଳିତ। ୧୯୭୦ ରେ ଗଳ୍ପ ଗ୍ରନ୍ଥ ‘କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ପାଟଦେଇ ପାଇଁ ୧୯୯୦ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ୨୦୧୦ରେ ଅପହଞ୍ଚ ଆକାଶ ପାଇଁ ସେ ମର୍ଯ୍ୟାଦାଜନକ ସାରଳା ପୁରସ୍କାର ହାସଲ କରିଛନ୍ତି। ଏହାଛଡା ଓଡ଼ିଶା ଲେଖିକା ସଂସଦର ସଭାପତି ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଡ. ବୀଣାପାଣି ମହାନ୍ତି ବୃତ୍ତିରେ ଅର୍ଥନୀତି ବିଭାଗର ଅଧ୍ୟାପିକା ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ। ଶୈଳବାଳା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଭାବେ ମଧ୍ୟ ସେ ନିଜର ଦାୟିତ୍ୱ ସୁଚାରୁରୂପେ ସମ୍ପାଦନ କରିଥିଲେ।

୨୦୨୦ରେ ସେ ହାସଲ କରିଥିଲେ ସମ୍ମାନଜନକ ପଦ୍ମଶ୍ରୀ ଉପାଧି। ତାଙ୍କ ରଚନା ସମୂହରେ ସମକାଳୀନ ସମାଜ ଓ ପାରିବାରିକ ଜୀବନର ଚିତ୍ର, ସମୟର ସ୍ୱର ଓ ଜୀବନର ଅନ୍ତର୍ଦାହ ବେଶ୍‌ ପ୍ରାଣସ୍ପର୍ଶୀ।ତାଙ୍କ ବିୟୋଗରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଆ ଉପଦେଷ୍ଟାମଣ୍ଡଳୀ ଆବାହକ ଡ. ବିଜୟାନନ୍ଦ ସିଂହ, ବିଶିଷ୍ଟ କବି ଅମରେଶ ପଟ୍ଟାନାୟକ, ଗଙ୍ଗାଧର ରଥ ଫାଉଣ୍ଡେସନର ସମ୍ପାଦିକା ସୁସ୍ମିତା ରଥ, ଉତ୍କଳ ସାହିତ୍ୟ ସମାଜର ସଭାପତି ତରୁଣ କୁମାର ସାହୁ, ସମ୍ପାଦକ ଦାୟିତ୍ୱରେ ଥିବା ଅଧ୍ୟାପକ ଆଦିତ୍ୟ ପ୍ରତାପ ଧଳ , ଶିଶୁ ସାହିତ୍ୟ ଲେଖକ ସମ୍ମେଳନ ଓଡ଼ିଶାର ସାଧାରଣ ସମ୍ପାଦକ ଡ. ଗୋବିନ୍ଦଚନ୍ଦ୍ର ଚାନ୍ଦ, ଓଡିଆ ଗୀତିକବି ସମାଜର ସଭାପତି ମନୋଜ ପଟ୍ଟନାୟକ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.