ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦଳ ବଦଳାଇଲେ କଟିବ ନେତାଙ୍କ ଟିକଟ : ଆଇନରେ ପରିବର୍ତ୍ତନ ଲାଗି କେନ୍ଦ୍ରର ପ୍ରସ୍ତୁତି

ନୂଆଦିଲ୍ଲୀ : ଏଥର ଦଳ ବଦଳ ନେତାଙ୍କୁ ମହଙ୍ଗା ପଡ଼ିବ। ନିର୍ବାଚନ ସମୟରେ ଦଳ ବଦଳାଇଥିବା ନେତା ୫ ବର୍ଷ ପର୍ଯ୍ୟନ୍ତ କୌଣସି ଦଳରୁ ନିର୍ବାଚନ ଲଢ଼ିପାରିବେ ନାହିଁ। ଏଥିପାଇଁ ଦଳ ବଦଳ ଆଇନରେ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସୂତ୍ର ଅନୁଯାୟୀ ସଂସଦର ଶୀତ ଅଧିବେଶନରେ ଆଇନ ମନ୍ତ୍ରାଳୟ ଏହି ସଂଶୋଧନ ବିଲ୍‌ ଆଗତ କରିପାରେ। ଟିକଟ ଆଶାରେ ଦଳ ବଦଳାଉଥିବା ପ୍ରଥା ଉପରେ ଅଙ୍କୁଶ ଲଗାଇବା ପାଇଁ ଏହି ଆଇନରେ ସଂଶୋଧନ କରି ନୂଆ ଧାରା ଯୋଡାଯିବ। ଏଥିରେ ପଞ୍ଜୀକୃତ ରାଜନୈତିକ ଦଳର ପଦାଧିକାରୀଙ୍କୁ ସାମିଲ କରାଯିବ। ନିର୍ବାଚିତ ହୋଇ ନ ଥିବା ପ୍ରତିନିଧି ମଧ୍ୟ ଆଇନ ପରିସରରେ ସାମିଲ ହେବେ।

ମାନ୍ୟତା ପାଇଥିବା ଆଞ୍ଚଳିକ ଏବଂ ଜାତୀୟ ଦଳ ମଧ୍ୟ ଏହି ସଂଶୋଧନକୁ ସମର୍ଥନ କରୁଥିବା ଜଣାପଡିଛି। ସେମାନେ ମଧ୍ୟ ନିର୍ବାଚନ ସମୟରେ ଦଳବଦଳକୁ ନେଇ ଚିନ୍ତିତ ଅଛନ୍ତି। ଦଳବଦଳ ଘୋଡାବେପାରକୁ ପ୍ରୋତ୍ସାହନ ଦେଉଛି। ଏହା ସ୍ବାଧୀନ ଏବଂ ନିରପେକ୍ଷ ନିର୍ବାଚନର ବିରୋଧୀ। ଗତ କିଛି ବର୍ଷ ହେଲା ଭୟ ଏବଂ ଲୋଭ ଯୋଗୁଁ ଦଳ ବଦଳ ବୃଦ୍ଧି ପାଇଛି ବୋଲି ସେମାନେ କହିଛନ୍ତି। ନୂଆ ସଂଶୋଧନ ଆଇନ ଅନୁଯାୟୀ ନିର୍ବାଚିତ ପ୍ରତିନିଧି କିମ୍ବା ଦଳୀୟ ପଦାଧିକାରୀ ବିଧାନସଭା କିମ୍ବା ଲୋକସଭା କାର୍ଯ୍ୟକାଳ ସରିବାର ୬ ମାସ ପୂର୍ବରୁ ଦଳ ବଦଳ କରିପାରିବେ ନାହିଁ। ଏହି ଆଇନ କାର୍ଯ୍ୟକାରୀ ହେବାପରେ ଏପରି କରୁଥିବା ନେତା ୫ ବର୍ଷ ପର୍ଯ୍ୟନ୍ତ କୌଣସି ଦଳର ଚିହ୍ନରେ ନିର୍ବାଚନ ଲଢ଼ିପାରିବେ ନାହିଁ।

ତେବେ ସ୍ବାଧୀନ ଭାବେ ପ୍ରତିଦ୍ବନ୍ଦିତା କରିପାରିବେ। ସୂଚନାଯୋଗ୍ୟ ଯେ ରାଜନୈତିକ ଦଳଙ୍କ ପଦାଧିକାରୀଙ୍କ ତାଲିକା ନିର୍ବାଚନ କମିଶନଙ୍କ ପାଖରେ ରହିଥାଏ। କାହାର ପଦ ବଦଳିଲେ କମିଶନଙ୍କୁ ସୂଚନା ଦେବାକୁ ପଡ଼ିଥାଏ। ନିର୍ବାଚନ ସମୟରେ କେହି ଦଳ ବଦଳାଇଲେ କମିଶନ ତାଙ୍କ ବିରୋଧରେ କଟକଣା ଲଗାଇବେ। ନିର୍ବାଚନ ସମୟରେ ସମସ୍ତ ଦଳ ବିଦ୍ରୋହୀ ବିଧାୟକଙ୍କୁ ନେଇ ଚିନ୍ତିତ ଥାଆନ୍ତି। ଅନେକ ସମୟରେ ଟିକଟ ନ ମିଳିଲେ ପଦାଧିକାରୀ ତଥା ନିର୍ବାଚିତ ପ୍ରତିନିଧି ଅନ୍ୟ ଦଳକୁ ପଳାଇଥାନ୍ତି। ଏପରି ସ୍ଥିତିରେ ଅନେକ ଦଳ ଦଳବଦଳ ଆଇନରେ ପରିବର୍ତ୍ତନ କରିବାକୁ ଦାବି କରୁଛନ୍ତି।

Leave A Reply

Your email address will not be published.