ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଦିବାସୀଙ୍କ ଗାନ୍ଧୀ ସହୀଦ ଲକ୍ଷ୍ମଣ ନାୟକ

ମହାନ୍‌ ସ୍ବାଧୀନତା ସଂଗ୍ରାମୀ ତଥା ଜନଜାତି ଜନନାୟକ ସହିଦ ଲକ୍ଷ୍ମଣ ନାୟକ ଅବିଭକ୍ତ କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ତେନ୍ତୁଳିଗୁମ୍ମା ଗ୍ରାମରେ ୧୮୯୯ ମସିହା ନଭେମ୍ବର ୨୨ ତାରିଖରେ ଏକ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଜନଜାତି ଅସ୍ମିତା ଓ ସ୍ବାଧୀନତାର ସେ ଥିଲେ ପରିଚୟ। ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରି ସେ ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ଜଣେ ପରିଚିତ ଚେହେରା ଭାବେ ସାମ୍ନାକୁ ଆସିଥିଲେ। ତାଙ୍କ ପିତା ପଦଲାମ ନାୟକ ଗ୍ରାମବାସୀଙ୍କ ଦ୍ୱାରା ମନୋନୀତ ହୋଇ ଜୟପୁରର ରାଜାଙ୍କ ଦ୍ୱାରା ତେନ୍ତୁଳିଗୁମ୍ମା ସମେତ ବେଜୁଣୀଗୁଡ଼ା, ଲେକିଗୁଡ଼ା ଓ ଅଁଳାଗୁଡ଼ାର ମୁସ୍ତାଦାର ଭାବେ କାମ କରୁଥିଲେ। ମୁସ୍ତାଦାରଙ୍କର ପୁତ୍ର ହୋଇ ମଧ୍ୟ ଲକ୍ଷ୍ମଣଙ୍କ ମନରେ ଗର୍ବ କି ଅହଙ୍କାର ନ ଥିଲା। ସେ ଘରୋଇ କାର୍ଯ୍ୟ କରିବା ସହିତ ଚାଷ କରିବାକୁ ଯାଉଥିଲେ ଓ ତା’ ସହିତ ଘରର ଗାଈଗୋରୁଙ୍କୁ ମଧ୍ୟ ନିଜେ ଚରାଉଥିଲେ।

୧୯ ବର୍ଷ ବୟସରେ ସାନଗୁମ୍ମାର ଘାସି ଭୂମିୟାଙ୍କ କନ୍ୟା ମଙ୍ଗୁଳି ଭୂମିଆଙ୍କୁ ସେ ବିବାହ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ଡାକରାରେ ୧୯୨୧ ମସିହାରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଥିଲା ଓ ଏହାକୁ ଦମନ କରିବା ପାଇଁ ବ୍ରିଟିଶ୍‌ ସରକାର ନାନା ପ୍ରକାରର ଅତ୍ୟାଚାର କରିବା ସହିତ ନୂତନ ଟିକସମାନ ଲାଗୁ କରିଥିଲେ । ଏହି ସମୟରେ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଆଦିବାସୀମାନେ ବ୍ରିଟିଶ୍‌ ସରକାରଙ୍କ ବିରୁଦ୍ଧରେ ମେଳି କରିଥିଲେ । ଏହି ସମୟରେ ଲକ୍ଷ୍ମଣ ନାୟକ ନିଜ ଅଞ୍ଚଳରେ ସଶସ୍ତ୍ର ବିପ୍ଳବର ପରିକଳ୍ପନା କରିଥିଲେ। ୧୯୩୦ ମସିହାରେ ପିତା ପଦଲାମ ବୟସାଧିକ୍ୟ କାରଣରୁ ଅବସର ନେବାପରେ ଲକ୍ଷ୍ମଣଙ୍କୁ ମୁସ୍ତାଦାର ଭାବରେ ନିଯୁକ୍ତ କରାଯାଇଥିଲା । ଏହାପରେ ସେ ଲକ୍ଷ୍ମଣ ଭୂମିୟାରୁ ଲକ୍ଷ୍ମଣ ନାୟକ ଭାବରେ ପରିଚିତ ହୋଇଥିଲେ । ଏହି ସମୟରେ ଲକ୍ଷ୍ମଣ ନିଜ ଗ୍ରାମରେ ଅନେକ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଓଡ଼ିଶା ଏକ ସ୍ବତନ୍ତ୍ର ପ୍ରଦେଶ ହୋଇଥିଲା ଏବଂ ସାର ଜନ୍‌ ଅଷ୍ଟିନ ହବାକ୍‌ ଓଡ଼ିଶାର ପ୍ରଥମ ଗଭର୍ଣ୍ଣର ରୂପେ ନିଯୁକ୍ତ ହୋଇଥିଲେ ।

ଅଧିକ ପଢନ୍ତୁ

ଏକଦା ହବାକ୍‌ଙ୍କ କୋରାପୁଟ ଗସ୍ତ ସମୟରେ ତତ୍‌କାଳୀନ ଜୟପୁରର ରାଜା ତାଙ୍କ ପାଇଁ ସମସ୍ତ ସୁଖସୁବିଧାର ଆୟୋଜନ କରିଥିଲେ, ଯେଉଁଥିପାଇଁ କି ସ୍ଥାନୀୟ ଆଦିବାସୀମାନଙ୍କୁ ବିନା ପାରିଶ୍ରମିକରେ ଶ୍ରମଦାନ ଓ ବିଭିନ୍ନ ସାମଗ୍ରୀ ଯୋଗାଣ ସମେତ ବହୁମୂଲ୍ୟ ଦେବାକୁ ପଡ଼ିଥିଲା । ଏହା ବିରୁଦ୍ଧରେ ସେମାନେ ପ୍ରତିବାଦ କରିଥିଲେ, ମାତ୍ର ପ୍ରତିବାଦର ପରିଣାମ ଥିଲା ରାଜଦଣ୍ଡ । ଏହାକୁ ନେଇ ସେତେବେଳେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପରିଣାମ ସ୍ବରୂପ ଇଂରେଜ ସରକାର ଲୋକମାନଙ୍କୁ ସେମାନଙ୍କଠାରୁ ନିଆଯାଇଥିବା ସାମଗ୍ରୀର ମୂଲ୍ୟ ଫେରାଇ ଦେଇଥିଲେ । ଏହି ଘଟଣା ପରେ ଲକ୍ଷ୍ମଣ ନାୟକ କଂଗ୍ରେସରେ ଯୋଗ ଦେଇଥିଲେ।

୧୯୩୭-୩୮ ମସିହାରେ ଜୟପୁର ନିକଟସ୍ଥ ନୂଆପୁଟରେ ଖୋଲିଥିବା ତାଲିମ ଶିବିରରେ ସେ ଯୋଗଦାନ କରି ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ଶୃଙ୍ଖଳିତ ଜୀବନଯାପନ ବିଷୟରେ ଶିକ୍ଷା ଲାଭ କରିଥିଲେ । ସେ ଗାଁକୁ ଗାଁ ବୁଲି ଲୋକଙ୍କୁ ନିର୍ଭୀକ ହେବାକୁ କହିବା ସହ ସରକାରଙ୍କୁ ଟିକସ ନ ଦେବା, ଅହିଂସା ମାର୍ଗରେ ପରିଚାଳିତ ହେବା ତଥା ମଦ୍ୟପାନ ତ୍ୟାଗ କରି ଏକ ଶୃଙ୍ଖଳିତ ଜୀବନ ଧାରଣ ପାଇଁ ବାର୍ତ୍ତା ପ୍ରଚାର କରୁଥିଲେ । ମାତ୍ର ଏକ ମୁସ୍ତାଦାର ହୋଇ ମଧ୍ୟ ଲୋକଙ୍କୁ ଟିକସ ନ ଦେବା ପାଇଁ କହିବାର ପରିଣାମ ସ୍ୱରୂପ ଲକ୍ଷ୍ମଣଙ୍କୁ ରାଜଦ୍ରୋହୀ ଘୋଷଣା କରି ତାଙ୍କଠାରୁ ସରକାରଙ୍କ ତରଫରୁ ଦିଆଯାଇଥିବା ପଦବୀ ଓ ଚାଷ ଜମି ଛଡ଼ାଇ ନିଆଯାଇଥିଲା ।

ଏଥିସହିତ ପଢ଼ନ୍ତୁ

ପ୍ରଥମେ ସେ ସାଧାରଣ କଂଗ୍ରେସ ସଭ୍ୟ ହୋଇଥିଲେ । ପରେ ତେନ୍ତୁଳିଗୁମ୍ମା ପ୍ରାଥମିକ କଂଗ୍ରେସ କମିଟିର ସଭାପତି ଓ ପରେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ଜଣେ ସଦସ୍ୟଭାବେ ନିର୍ବାଚିତ ହୋଇଥିଲେ। ପରେ ପରେ ସେ କଂଗ୍ରେସ ବାର୍ତ୍ତା ଏପରି ଭାବରେ ପ୍ରଚାର କରିଥିଲେ ଯେ, ତାଙ୍କୁ “ମାଲକାନଗିରି ଗାନ୍ଧୀ” ବୋଲି କୁହାଯାଉଥିଲା । ୧୯୪୨ ମସିହାରେ କଂଗ୍ରେସ “ଭାରତ ଛାଡ଼” ପ୍ରସ୍ତାବ ଆଗତ କରିଥିଲା । ଲକ୍ଷ୍ମଣ ଗାଁ ଗାଁ ବୁଲି ଲୋକମାନଙ୍କୁ ସତ୍ୟାଗ୍ରହ ଓ ସ୍ୱାଧୀନତା ନିମନ୍ତେ ଅହିଂସା ଦ୍ୱାରା ଲଢେଇର ବାର୍ତ୍ତା ପ୍ରଚାର କରିଥିଲେ । ପରବର୍ତ୍ତୀ କାଳରେ ଏକ ଜନ ଆନ୍ଦୋଳନରେ ୧୯୪୨ ମସିହା ଅଗଷ୍ଟ ୨୧ ତାରିଖ ଶୁକ୍ରବାର ଦିନ ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ସଂଗ୍ରାମୀମାନେ ମାଥିଲି ଥାନା ଘେରାଉ କରିଥିଲେ ।

ସେମାନଙ୍କର ଲକ୍ଷ୍ୟ ଥିଲା ଅହିଂସାପୂର୍ଣ୍ଣ ଭାବରେ ଥାନା ଉପରେ ତ୍ରିରଙ୍ଗା ପତାକା ଉଡ଼ାଇବା । ଏହି ଆନ୍ଦୋଳନର ଦମନ ନିମନ୍ତେ ପୁଲିସ ଆନ୍ଦୋଳନକାରୀମାନଙ୍କ ଉପରେ ଲାଠିମାଡ଼ କରିବା ସହ ଲକ୍ଷ୍ମଣ ନାୟକଙ୍କୁ ସର୍ବସାଧାରଣରେ ନିସ୍ତୁକ ମାଡ଼ ମାରିଥିଲେ । ମାତ୍ର ଏତାଦୃଶ୍ୟ ଅତ୍ୟାଚାର ପରେ ମଧ୍ୟ କର୍ମୀମାନେ ଆଗକୁ ବଢ଼ିଚାଲିବାରୁ ପୁଲିସ ସେମାନଙ୍କ ଉପରେ ଗୁଳିଚାଳନା ଆରମ୍ଭ କରିଦେଇଥିଲା। ଯାହାର ଫଳସ୍ୱରୂପ ଅନେକ କର୍ମୀ ମୃତାହତ ହୋଇଥିଲେ । ଏ ଗୁଳିକାଣ୍ଡରେ ଫରେଷ୍ଟଗାର୍ଡ ଜି. ରାମୟାର ମୃତ୍ୟୁ ହେଇଥିଲା । ଆନ୍ଦୋଳନକୁ ଦମନ କରିବା ପରେ ପୁଲିସ ସଂଜ୍ଞାହୀନ ଲକ୍ଷ୍ମଣ ନାୟକଙ୍କୁ ମୃତ ମନେକରି ନିକଟସ୍ଥ ନାଳରେ ଫୋପାଡ଼ି ଦେଇଥିଲା । ଚେତା ଫେରିପାଇବା ପରେ ତେନ୍ତୁଳିଗୁମ୍ମାକୁ ଫେରି ଆସି ସଂଘର୍ଷ ଜାରି ରଖିଥିଲେ । ୧୯୪୨ ମସିହା ସେପ୍ଟେମ୍ବର ମାସ ୨ ତାରିଖରେ ତେନ୍ତୁଳିଗୁମ୍ମାରୁ ଲକ୍ଷ୍ମଣଙ୍କୁ ଗିରଫ କରାଯାଇଥିଲା। ଏହାପରେ ଜି. ରାମୟାର ହତ୍ୟା ଅଭିଯୋଗର ବିଚାର ହୋଇ ଲକ୍ଷ୍ମଣଙ୍କୁ ୧୯୪୩ ମସିହା ଆଜିର ଦିନରେ ଫାଶୀ ଦିଆଯାଇଥିଲା ।

Leave A Reply

Your email address will not be published.