କୂଅରୁ ଆଇନଜୀବୀଙ୍କ ମୃତଦେହ ଉଦ୍ଧାର, ଜମିବାଡ଼ି ବିବାଦକୁ କେନ୍ଦ୍ରକରି ହତ୍ୟା ହୋଇଥିବା ନେଇ ଅଭିଯୋଗ ଆଣିଲେ ମା’

କଟକ: ନିଜ ଜମିରେ ଥିବା ଅବ୍ୟବହୃତ କୂଅରୁ ଘର ମାଲିକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି। ଏଭଳି ଘଟଣା ସୋମବାର ବିଡ଼ାନାସୀ ନୂଆସାହି ଅଞ୍ଚଳରେ ଦେଖିବାକୁ ମିଳିଛି। ମୃତକ ଜଣକ ହେଲେ ତେଲେଙ୍ଗାବଜାର ଅଞ୍ଚଳର ଶଶିଭୂଷଣ ଚୌଧୁରୀଙ୍କ ପୁଅ ଆର୍ଯ୍ୟଭୂଷଣ ଚୌଧୁରୀ(୪୮)। ଜମିବାଡ଼ି ବିବାଦକୁ କେନ୍ଦ୍ରକରି ତାଙ୍କୁ ହତ୍ୟା କରି ଉକ୍ତ କୂଅରେ ଫିଙ୍ଗି ଦିଆଯାଇଥିବା ମୃତକଙ୍କ ମାଆ ଅଭିଯୋଗ କରିଛନ୍ତି। କୂଅ ଭିତରୁ ମୃତଦେହ ସହିତ ଆର୍ଯ୍ୟଭୂଷଣ ବ୍ୟବହାର କରୁଥିବା ବହୁ ଜିନିଷପତ୍ର ମଧ୍ୟ ଜବତ ହୋଇଛି। ଏନେଇ ବିଡ଼ାନାସୀ ଥାନା ପୁଲିସ ତଦନ୍ତ ଜାରି ରଖିଛି।

ନୂଆସାହି ଖେଳପଡ଼ିଆ ନିକଟରେ ଆର୍ଯ୍ୟଭୂଷଣଙ୍କ ଏକ ଜମି ଉପରେ ଦୁଇ ବଖରା ଆଜ୍‌‌ବେଷ୍ଟସ ଘର ରହିଛି। ଏହି ଘରକୁ ସେ ଭଡ଼ାସୂତ୍ରରେ ଦେଇଥିଲେ। ମାତ୍ର ଗତ ୧ ବର୍ଷ ହେବ ଉକ୍ତ ଘର ଖାଲି ରହିଥିଲା। ଏହାପରଠୁ ଆର୍ଯ୍ୟଭୂଷଣ ନିଜେ ମଝିରେ ମଝିରେ ଆସି ସେହି ଘରେ ରହୁଥିଲେ। ପରିବାର ଲୋକଙ୍କ କହିବାନୁସାରେ, ଗତ ହୋଲି ଦିନ ଆର୍ଯ୍ୟଭୂଷଣ ତେଲେଙ୍ଗାବଜାର ସ୍ଥିତ ଘରୁ କେଉଁଆଡ଼େ ଯାଇଥିଲେ। ମାତ୍ର ଆଉ ଘରକୁ ଫେରି ନ ଥିଲେ। ଆର୍ଯ୍ୟଭୂଷଣ ବିଡ଼ାନାସୀ ସ୍ଥିତ ଘରେ ଥିବା ସନ୍ଦେହ କରି ପରିବାର ଲୋକ ମଧ୍ୟ ସେଠାକୁ ଯାଇ ଖୋଜାଖୋଜି କରିଥିଲେ। ହେଲେ ସେଠାରେ ତାଙ୍କର ସନ୍ଧାନ ମିଳି ନ ଥିଲା। ଫୋନ୍‌‌ ମଧ୍ୟ ସୁଇଚ୍‌‌ ଅଫ୍‌‌ ଥିଲା। ପରେ ଏନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା।

ତେବେ ସୋମବାର ସନ୍ଧ୍ୟାରୁ ଆର୍ଯ୍ୟଭୂଷଣଙ୍କ ନୂଆସାହି ସ୍ଥିତ ଘର ପରିସରସ୍ଥ କୂଅ ଭିତରୁ ଉତ୍କଟ ଗନ୍ଧ ବାହାରିଲା। ଆଖପାଖ ଲୋକଙ୍କ ସନ୍ଦେହ ହେବାରୁ ସେମାନେ ଆର୍ଯ୍ୟଭୂଷଣଙ୍କ ପରିବାର ଲୋକଙ୍କୁ ଜଣାଇଲେ। ଏହାପରେ ବିଡ଼ାନାସୀ ଥାନା ପୁଲିସ ପହଞ୍ଚି ଯାଞ୍ଚ କରିଥିଲା। ତେବେ କୂଅ ଭିତରେ ମାତ୍ରାଧିକ ଛିଣ୍ଡା କପଡ଼ା ଓ ଆବର୍ଜନା ପଡ଼ିଥିବାରୁ ଉତ୍କଟ ଗନ୍ଧକୁ ନେଇ ସନ୍ଦେହ ହେଲା। ତେଣୁ ପୁଲିସ ଅଗ୍ନିଶମ ଟିମ୍‌‌କୁ ଡକାଇଥିଲା। ବିଡ଼ାନାସୀ ଅଗ୍ନିଶମ କେନ୍ଦ୍ରର ଅଧିକାରୀ ସରୋଜକାନ୍ତ ସାହୁଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍‌‌ ଉକ୍ତ କୂଅ ଭିତରକୁ ପଶି ବହୁ ଆବର୍ଜନା କାଢ଼ିବା ପରେ ଭିତରେ ଜଣଙ୍କ ମୃତଦେହ ଥିବା ସ୍ପଷ୍ଟ ହୋଇଥିଲେ। ତାହା ଆର୍ଯ୍ୟଭୂଷଣଙ୍କର ବୋଲି ସ୍ପଷ୍ଟ ହୋଇଥିଲା। ଦୀର୍ଘ ୩ ଘଣ୍ଟାର ପରିଶ୍ରମ ପରେ କୂଅ ଭିତରୁ ଶବ କଢ଼ାଯାଇଥିଲା।

ତେବେ ପାରିପାର୍ଶ୍ବିକ ସ୍ଥିତିରୁ ଆର୍ଯ୍ୟଭୂଷଣଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ନିକଟ ଅଞ୍ଚଳର ଜଣେ ଯୁବକଙ୍କ ସହିତ ତାଙ୍କର ଜମି କିଣାବିକା ନେଇ ବିବାଦ ଲାଗିରହିଥିଲା। ଉକ୍ତ ଯୁବକ ଜଣକ ତାଙ୍କୁ ଧମକଚମକ ଦେଇଥିଲେ। ଏମିତିକି ହୋଲି ଦିନ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ସ୍ଥାନୀୟ ଲୋକେ ମଧ୍ୟ ଦେଖିଛନ୍ତି। ଅନ୍ୟପଟେ କୂଅ ଭିତରୁ ମିଳିଥିବା ଆବର୍ଜନାକୁ ନେଇ ମଧ୍ୟ ସନ୍ଦେହ କରାଯାଉଛି। ମିଳିଥିବା ଆବର୍ଜନା ମଧ୍ୟରେ ଆର୍ଯ୍ୟଭୂଷଣ ବ୍ୟବହାର କରୁଥିବା ବେଡ୍‌‌ସିଟ୍‌‌, ଗାମୁଛା, ତକିଆ, କନ୍ଥା ସମେତ ଷ୍ଟିଲ୍‌‌ ବାସନକୁସନ ଆଦି ରହିଛି। ତେଣୁ ହତ୍ୟା ପରେ ପ୍ରମାଣ ଲୁଚାଇବା ପାଇଁ କୂଅ ଭିତରେ ଫିଙ୍ଗି ଦିଆଯାଇଥିବା ପୁଲିସ ସନ୍ଦେହ କରୁଛି।

Leave a comment