ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଛୁଆ ଜିଲ୍ଲାର ଆଗୁଆ ନାରୀ ‘ଲକ୍ଷ୍ମୀ

ମାଲକାନଗିରି: ନାରୀ ନୁହେଁ ଦୁର୍ବଳା, ନାରୀ ଅଟେ ସବଳା । ଆଜିର ଏହି ସମୟରେ ନାରୀ ମାନେ ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ସତ କରି ଦେଖେଇଛନ୍ତି । ନିଜେ ସ୍ୱାବଲମ୍ବୀ ହୋଇ ନିଜ ପରିବାର ପ୍ରତିପୋଷଣରେ ନାରୀ କୌଣସି ଗୁଣରେ କମ ନାହାନ୍ତି । ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି ମାଲକାନଗିରି ଜିଲ୍ଲାର ଏମ୍‌ଭି ୦୨ ଗ୍ରାମର ଲକ୍ଷ୍ମୀ ସଗଡ଼ିଆ । ନିଜେ ରାଜ ମିସ୍ତ୍ରୀ ରୂପେ କାମ କରି ନିଜ ପରିବାର ପ୍ରତିପୋଷଣ କରିବା ସହ ଅଞ୍ଚଳରେ ମହିଳାଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ।
ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ଆଜିବି ଶିକ୍ଷାର ହାର କମ ଓ ଯେଉଁଠି ଶିକ୍ଷା ନାହିଁ ସେଠି ରୋଜଗାରର ମଧ୍ୟ ସେତେଟା ସୁଯୋଗ ନାହିଁ । ଆଉ ଏହିଭଳି ଆଦିବାସୀବହୁଳ ଜିଲ୍ଲାରେ ମହିଳା ମାନେ ଅନେକ ସ୍ତରରେ ଶୋଷଣ ତଥା ପଛୁଆ ହୋଇ ରହିଛନ୍ତି । କିନ୍ତୁ ଏଭଳି ସ୍ଥାନରେ ମଧ୍ୟ ଜଣେ ମହିଳା ନିଜ ପରିବାର ପ୍ରତିପୋଷଣ କରିବା ସହ ସ୍ୱାବଲମ୍ବୀ ହୋଇ ଅନ୍ୟପାଇଁ ଉଦାହରଣ ପାଲଟିଛନ୍ତି । ଏ ହେଉଛନ୍ତି ଲକ୍ଷ୍ମୀ, ନାମ ଯେମିତି କାମ ବି ସେମିତି ।

ପିଲାବେଳୁ ସେ ଅଭାବ ଅନାଟନରେ ରହିଥିବା ବେଳେ ନିଜେ ଶ୍ରମିକ ଭାବେ କାମ କରୁଥିଲେ । ଲକ୍ଷ୍ମୀ ବିବାହ ପରେ ମଧ୍ୟ ପରିବାର ପୋଷିବା ପାଇଁ ନିଜ ସଂଘର୍ଷ ଜାରି ରଖିଛନ୍ତି । ଶ୍ରମିକ ଭାବେ କାମ କରି ଲକ୍ଷ୍ମୀ କାମ ଶିଖି ବର୍ତ୍ତମାନ ରାଜ ମିସ୍ତ୍ରୀ ରୂପେ ଅନେକ କାମ କରୁଛନ୍ତି । ମିସ୍ତ୍ରୀରୂପେ ଲକ୍ଷ୍ମୀ କାମ କରି ଅନେକ ଘର ଏବଂ ସରକାରୀ କାର୍ଯ୍ୟାଳୟ ମଧ୍ୟ କରିଛନ୍ତି । ମହିଳା ହୋଇ ନିଜେ ଘରର ଚାରି କାନ୍ଥ ମଧ୍ୟରେ ନ ରହି ସେ ସାହାସ ଜୁଟାଇ ନିଜେ ମିସ୍ତ୍ରୀ ରୂପେ କାମ କରୁଥିବା ବେଳେ ନିଜ ଘରର ମଧ୍ୟ ସମସ୍ତ କାମ ସୁଚାରୁ ରୂପେ କରୁଛନ୍ତି । ମନରେ ସାହସ ଏବଂ ଇଚ୍ଛା ଥିଲେ ଜଣେ ମହିଳା ବି ସବୁ କାମ କରିପାରିବ ଏଇ କଥା ଲକ୍ଷ୍ମୀଙ୍କ ମୂଳ ମନ୍ତ୍ର ରହିଛି । ଆଉ ଲକ୍ଷ୍ମୀଙ୍କୁ ଦେଖି ତାଙ୍କ ଝିଅ ବି ଖୁସି ପ୍ରକାଶ କରିବା ସହ ତାଙ୍କ ଭଳି ସ୍ୱାବଲମ୍ବୀ ହେବାକୁ ଆଶା ରଖିଛନ୍ତି । ଲକ୍ଷ୍ମୀଙ୍କ ସ୍ଵାମୀ ଆନ୍ଧ୍ରପ୍ରଦେଶରେ ଦାଦନ ଖଟିବାକୁ ଯାଇଥିବା ବେଳେ ସେ ନିଜେ ମାଲକାନଗିରି ଜିଲ୍ଲାରେ ଥାଇବି ବେଶ ଭଲ ରୋଜଗାର କରିପାରୁଛନ୍ତି । ନିଜ ଦୁଇ ଛୁଆଙ୍କୁ ଲକ୍ଷ୍ମୀ ଲାଳନ ପାଳନ କରି ବଡ କରିଥିବା ବେଳେ ଲକ୍ଷ୍ମୀଙ୍କୁ ତାଙ୍କ ସାହି ପଡୋଶୀ ବି ବେଶ ପ୍ରଶଂସା କରିବା ସହ ଭଲ ପାଆନ୍ତି । ଜଣେ ମହିଳା ହୋଇ ଲକ୍ଷ୍ମୀ ନିଜର ସଂଘର୍ଷ ଜାରି ରଖିଥିବା କାର୍ଯ୍ୟକୁ ତାଙ୍କ ସମ୍ପର୍କୀୟ ଓ ପଡୋଶୀ ବେଶ ପ୍ରଶଂସା କରିବା ସହ ତାଙ୍କୁ ସହଯୋଗ ମଧ୍ୟ କରନ୍ତି । ଲକ୍ଷ୍ମୀ ଆଜି ଜଣେ ଆଗୁଆ ଏବଂ ସ୍ଵବଲମ୍ବୀ ନାରୀ ବୋଲି ତାଙ୍କ ପଡୋଶୀମାନେ ମତ ରଖିଛନ୍ତି । ମହିଳାଙ୍କ ପାଇଁ ଲକ୍ଷ୍ମୀ ଜଣେ ଆଦର୍ଶ ନାରୀ ପାଲଟିଛନ୍ତି ।

Leave A Reply

Your email address will not be published.