ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିଶା କାରବାରଠୁ ଅପରାଧିକ ଷଡ଼ଯନ୍ତ୍ରରେ ମହିଳାଙ୍କ ସମ୍ପୃକ୍ତି, ତିନିମାସ ଭିତରେ ଗିରଫ ହେଲେଣି ୨୫ଜଣ ମହିଳା

ଭୁବନେଶ୍ୱର : ଶୈଳ ରଣସିଂ ଭୁବନେଶ୍ୱରରେ କୁଖ୍ୟାତ ଚେହେରା। ୨୦୧୫ ମସିହାରେ ହଳଦୀପଡ଼ିଆ ବସ୍ତିରେ ଲକ୍ଷ୍ମୀସାଗର ଥାନା ପୁଲିସକୁ ମାଡ଼ମାରି ଲହୁଲହାଣ କରି ରାଜଧାନୀରେ ‘ଲେଡିଡନ୍‍’ ଭାବେ ଶୈଳଙ୍କୁ ଗଣନା କରାଯାଉଥିଲା। କିନ୍ତୁ ଶୈଳଙ୍କ ପରେ ଭୁବନେଶ୍ୱରରେ ଆଉ ଅନେକ ‘ଲେଡିଡନ୍‍’ ମୁଣ୍ଡ ଟେକିଛନ୍ତି। ନୂଆକରି ସହରରେ ଘଟୁଥିବା ଅପରାଧରେ ସେମାନେ ଧରୁଛନ୍ତି ମଙ୍ଗ। ନିଶା କାରବାର ଠାରୁ ଅପରାଧିକ ଷଡ଼ଯନ୍ତ୍ରରେ ମହିଳାଙ୍କ ସମ୍ପୃକ୍ତି ଜଣାପଡ଼ିଛି। କେଉଁଠି ଦାଦାବଟି ମାଗି ବନ୍ଧା ହେଲେଣି ତ ଆଉ କେଉଁଠି ଠକେଇ କରି ପୁଲିସ ପଞ୍ଝାରେ ପଡ଼ିଲେଣି ମହିଳା। କେବଳ ଏତିକି ନୁହେଁ ସେବା ବଦଳରେ ଶୋଷଣ କରୁଥିବା ମହିଳା ଅଧିକାରିଣୀ ମଧ୍ୟ ପୁଲିସ ଓ ତଦନ୍ତକାରୀ ସଂସ୍ଥା ହାତରେ ଧରାପଡ଼ିଛନ୍ତି। ଦୁର୍ନୀତି, ଲାଞ୍ଚ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରି ଓଏଏସ୍‍ ଅଧିକାରୀଙ୍କ ଠାରୁ ଅଙ୍ଗନବାଡ଼ି ଦିଦି ଯାଏଁ ଗିରଫ ହେଲେଣି।

ଗତକାଲି ଛିନ୍‍ତାଇ, ସୁନା ଦୋକାନରୁ ଲୁଟୁଥିବା ଚକରା ଗ୍ୟାଙ୍ଗ୍‍ର ମୁଖ୍ୟ ଷଡ଼ଯନ୍ତ୍ରକାରୀ କ୍ୟାପିଟାଲ ଥାନା ସୂର୍ଯ୍ୟନଗର ପିଚୁବସ୍ତିର ଲେଡିଡନ୍‍ ଜୋତ୍ସ୍ନାରାଣୀ ମହାପାତ୍ରକୁ ପୁଲିସ ଗିରଫ କରିଥିଲା। ଜୋତ୍ସ୍ନାରାଣୀଙ୍କ ଈସାରାରେ ଅପରାଧର ରଣନୀତି ପ୍ରସ୍ତୁତ ହେବା ସହ ସେ ଚୋରି ସୁନାଗହଣାକୁ ବିକ୍ରି କରୁଥିଲା। ଆଉ ବୁଝୁଥିଲା ସୁନା ବିକ୍ରି କରି ଟଙ୍କା ଯୋଗାଡ଼ର ନେଟ୍‍ୱାର୍କ। ଏଭଳି ଅପରାଧ କଳାସାମ୍ରାଜ୍ୟ ଚଳାଇ ଆସୁଥିଲେ ଜୋତ୍ସ୍ନାରାଣୀ। ଆଉ ବସ୍ତିରେ ଚଳାଉଥିଲେ ଦବଙ୍ଗଗିରି। ସେଭଳି ଏୟାରଫିଲ୍ଡ ଥାନା ଅଭିରାମବସ୍ତିର ଛେଳି ଚୋରି କରୁଥିବା ୨ ଯୁବକଙ୍କୁ କଙ୍ଗାରୁକୋର୍ଟ ଶାସ୍ତି ଦେଉଥିଲେ। ପୁଲିସ ପହଞ୍ଚି ଅଟକାଇବାରୁ ପୁଲିସକୁ ପିଟିଥିଲେ ଲେଡିଡନ୍‍ ଆସ୍‍ମା ବିବି। ସେଭଳି ବିଲ୍ଡରକୁ ଦାଦାବଟି ମାଗୁଥିବା ମାନସୀ ନାୟକ, ନକଲି ପୁଲିସ ଅଧିକାରୀ ସାଜିଥିବା ଶର୍ମିଷ୍ଠା ବେହେରା ପୁଲିସ ହାବୁଡ଼ରେ ପଡ଼ିଥିଲେ। ଏଥିସହ ନିଯୁକ୍ତି ଓ ବିବାହ ଆଳରେ ଠକେଇ କରୁଥିବା ନକଲି ଡାକ୍ତର ଭଉଣୀ ରଶ୍ମିତା ବେଉରା ଓ ଦ୍ୱିତୀୟ ପତ୍ନୀ କମଳା ତୀର୍କିକୁ ମଧ୍ୟ ଗିରଫ ହୋଇଛନ୍ତି।

ଅନ୍ୟପଟେ ନିଶା କାରବାରରେ ଭୁବନେଶ୍ୱରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ନିଶା କାରବାରରେ ଅଧିକ ମହିଳା ସଂଶ୍ଲିଷ୍ଟ ରହୁଛନ୍ତି। ନିଶା କାରବାର ମଙ୍ଗୁଆଳ ସାଜି ରାଜଧାନୀରେ ବ୍ରାଉନସୁଗର, ମଦ ଓ ଗଞ୍ଜେଇ କାରବାର କରୁଛନ୍ତି। ବିଶେଷକରି ବସ୍ତିଗୁଡ଼ିକରେ ଦେଶୀ ମଦ କାରବାର କରିବାରେ ସର୍ବାଗ୍ରେରେ ରହିଛନ୍ତି ମହିଳା। ତେବେ ପୁରୁଷମାନେ ମହିଳାଙ୍କୁ ଢାଲ କରି ନିଶା କାରବାରର ସାମ୍ରାଜ୍ୟ ଚଳାଇ ଆସୁଥିବା କୁହାଯାଉଛି। ଅନ୍ୟପକ୍ଷରେ ଅପରାଧରେ ସମ୍ପୃକ୍ତି ରହୁଥିବା ପୁରୁଷ ହୁଅନ୍ତିୁ କି ମହିଳା ଆଇନ୍‍ ସମସ୍ତଙ୍କ ଲାଗି ସମାନ୍‍। ଅପରାଧରେ ସମ୍ପୃକ୍ତି ରହୁଥିବା ସମସ୍ତଙ୍କୁ ଗିରଫ କରାଯାଉଛି ବୋଲି ପୁଲିସ କହିଛି।

ନିଶା କାରବାର ରାକେଟ୍‍ ଚଳାଉଛନ୍ତି ମହିଳା

  • ଏୟାରପୋର୍ଟ ଥାନା ପିଏଚ୍‍ଡି ବସ୍ତିରେ ଅବକାରୀ ଟିମ୍‍ ପକ୍ଷରୁ ଚଢ଼ଉ କରି କୁମୁଦ ଦେଈକୁ ଗିରଫ କରାଯାଇଥିଲା। ତାଙ୍କ ଠାରୁ ୧୨ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରାଯାଇଥିଲା। ତେବେ କୁମୁଦଙ୍କ ପୁଅ ପିଣ୍ଟୁ ନାୟକ ବ୍ରାଉନସୁଗର କାରବାର କରୁଥିଲେ। ସେ ଜେଲ ଯିବା ପରେ ମା’ ସମ୍ଭାଳିଥିଲା ମଙ୍ଗ।
  • ମଞ୍ଚେଶ୍ୱର ଥାନା ପଳାଶୁଣି ବ୍ରିଜର ଗଙ୍ଗୁଆନାଳ ନିକଟରେ ବ୍ରାଉନସୁଗର ବିକ୍ରି କରୁଥିବା ମହିଳା ସୁକାନ୍ତି ବେଉରାକୁ ଗିରଫ କରାଯାଇଥିଲା। ନନ୍ଦନକାନନ ଅଞ୍ଚଳରୁ ସ୍କୁଟିରେ ବ୍ରାଉନସୁଗର ଧରି ହୋମ ଡେଲିଭରୀ କରୁଥିଲା ସୁକାନ୍ତି।
  • କ୍ୟାପିଟାଲ ଥାନା ଅଧୀନ ନାରାୟଣୀ ବସ୍ତିରେ ଚଢ଼ଉ କରି ରଞ୍ଜୁ ନାୟକକୁ ଗିରଫ କରାଯାଇଥିଲା। ସେ ବସ୍ତିରେ ବ୍ରାଉନସୁଗର ଯୋଗାଉଥିବା ବେଳେ ତାଙ୍କୁ ଗିରଫ କରାଯିବା ସହ ଠାରୁ ୬ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରାଯାଇଥିଲା।
  • ବଡ଼ଗଡ଼ ଉପରସାହିର ଅବକାରୀ ଟିମ୍‍ ଚଢ଼ଉ କରି ରୀନା ପ୍ରଧାନଙ୍କୁ ଗିରଫ କରିଥିଲା। ତାଙ୍କ ଠାରୁ ଗଞ୍ଜେଇ ଓ ବ୍ରାଉନସୁଗର ଜବତ କରାଯାଇଥିଲା।
  • ନୂଆପଲ୍ଲୀ ଥାନା ସାଲିଆସାହିରେ ଚଢ଼ଉ କରି ଝୁନି ପ୍ରଧାନଙ୍କୁ ଗିରଫ କରାଯିବା ସହସାଢ଼େ ୫ଳକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରାଯାଇଥିଲା।
  • ଏୟାରପୋର୍ଟ ଥାନା କାର୍ଗିଲ ବସ୍ତିର ଚଢ଼ଉ କରି ଐଶ୍ୱର୍ଯ୍ୟ ମହାପାତ୍ର ଓ କୁନା ମହାନ୍ତିଙ୍କୁ ଗିରଫ କରାଯିବ ସହ ୫୬ ଗ୍ରାମର ବ୍ରାଉନସୁଗର ଓ ୧୩ ଲିଟର ଦେଶୀ ମଦ ଜବତ କରାଯାଇଥିଲା।
Leave A Reply

Your email address will not be published.