ବିଲୁପ୍ତ ଦେଶୀ ବିହନ ସଂଗ୍ରହ ନିଶାରେ ବାଲେଶ୍ୱରର କୁସୁମ ମିଶ୍ର, ସଂଗ୍ରହ କରିସାରିଲେଣି ୧୦୫୫ ପ୍ରଜାତି ଦେଶୀ ବିହନ

ବାଲେଶ୍ଵର: ଦିନକୁ ଦିନ ଲୋପ ପାଇବାକୁ ବସିଲାଣି ଦେଶୀ ଧାନ। ପାରମ୍ପରିକ ଦେଶୀ ବିହନକୁ ଛାଡି ଚାଷୀ ହାଇବ୍ରିଡ୍ ବିହନକୁ ଅଧିକ ପସନ୍ଦ କରୁଛନ୍ତି। କିନ୍ତୁ ଏପରିସ୍ଥଳେ ବିଲୁପ୍ତପ୍ରାୟ ଦେଶୀ ବିହନ ଧାନ ସଂଗ୍ରହ ଓ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବଢାଇବା ଉଦ୍ୟମରେ ମାତିଛନ୍ତି ଜଣେ ମହିଳା। ହଜିଯାଉଥିବା ବିଭିନ୍ନ ପ୍ରଜାତିର ଦେଶୀ ବିହନ ଧାନ ସଂଗ୍ରହ କରି ସେ ଖୋଲିଛନ୍ତି ଏକ ଦେଶୀ ବିହନ ବ୍ୟାଙ୍କ। ଯେଉଁଠି ବାସ୍ନା, ଶୃଙ୍ଗ, ପେନ୍ଥା, ପଙ୍ଖ, କଳ ଧାନ ଓ କଳା ଚାଉଳ ଭଳି ବିଭିନ୍ନ ପ୍ରଜାତିର ଦେଶୀ ବିହନ ଧାଡିକି ଧାଡି ସଜା ହୋଇଛି। ଏମିତିକି ମେଡିସିନାଲ୍ ଧାନ ମଧ୍ୟ ରହିଛି। ସବୁ ଦେଶୀ ବିହନକୁ ଅଲଗା ମାଟି ମାଠିଆରେ ରଖାଯାଇ ଉପରେ ନାମ ଟ୍ୟାଗ୍ ଲାଗାଯାଇଛି। ଯେଉଁଠି ୧୦ କି ୧୫ ପ୍ରକାର ନୁହେଁ ବରଂ ୧୦୫୫ ପ୍ରଜାତି ଦେଶୀ ବିହନ ଧାନ ସଂଗ୍ରହ କରାଯାଇ ରଖାଯାଇଛି। ଏହା କେବଳ ଦେଖିବା ପାଇଁ ଆରମ୍ଭ କରିନାହାନ୍ତି ବରଂ ବନ୍ୟା, ବାତ୍ୟା ସମୟରେ ଚାଷୀଙ୍କୁ ବିହନ ପ୍ରଦାନ କରି ସହାୟତା କରିନ୍ତି। ବିଶେଷକରି ପାରମ୍ପାରିକ ଓ ପରିବେଶ ଅନୁକୂଳ ଦେଶୀ ବିହନ ଧାନ ସଂରକ୍ଷଣ କରିବା ସହ ଚାଷୀମାନଙ୍କୁ ଦେଶୀ ଧାନ ପ୍ରତି ଆଗ୍ରହ ସୃଷ୍ଟି କରାଯାଉଛନ୍ତି। ଏପରି ଏକ ନିଆରା ପ୍ରୟାସ କରୁଛନ୍ତି ବାଲେଶ୍ଵର ସହର ରାଣୀପାଟଣାରେ ରହୁଥିବା କୁସୁମ ମିଶ୍ର(୬୯)। ଯିଏକି ସେଣ୍ଟ୍ରାଲ ସିଡ୍ ବ୍ୟାଙ୍କର ଆଞ୍ଚଳିକ ନିର୍ଦେଶିକା ଦାୟିତ୍ୱ ତୁଲାଉଛନ୍ତି। ଦୀର୍ଘ ୧୮ ବର୍ଷ ଧରି ଦେଶୀ ବିହନ ସଂଗ୍ରହ ନିଶାରେ କୁସୁମ।
କୁସୁମ ନିଜ ଗାଁ ଅର୍ଥାତ ବାଲେଶ୍ଵର ଜିଲ୍ଲା ନୀଳଗିରିର ଚଣ୍ଡିପୁର ଗାଁରେ ୨୦୦୩ ମସିହାରେ ଆରମ୍ଭ କରିଛନ୍ତି ଦେଶୀ ବିହନ ସଂରକ୍ଷଣ ବ୍ୟାଙ୍କ। ଯେଉଁଠି ପ୍ରଥମେ ୨୫୦ ପ୍ରଜାତିର ଦେଶୀ ବିହନ ଥିବାବେଳେ ତାହା ଏବେ ୧୦୫୫ ରେ ପହଞ୍ଚିଛି। ଦିନକୁ ଦିନ ଦେଶୀ ଧାନ ପ୍ରତି ଚାଷୀଙ୍କ ମନୋଭାବ ବଦଳୁଥିବା ବେଳେ ପୁଣି ଦେଶୀ ଧାନ ଚାଷ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ଏପରି ପ୍ରୟାସ କରୁଛନ୍ତି। ପରିବେଶ ଅନୁକୂଳ ଅର୍ଥାତ ଲୁଣା,ବନ୍ୟା, ମରୁଡି ପ୍ରବଣ ଅଞ୍ଚଳରେ ଚାଷ ହୋଇପାରୁଥିବା ଦେଶୀ ଧାନକୁ ବଞ୍ଚାଇ ରଖୁଛନ୍ତି।ଦେଶୀ ବିହନ ବ୍ୟାଙ୍କରେ ବାସ୍ନା ଧାନ ୮୯ ପ୍ରକାର, ଶୃଙ୍ଗ ଧାନ ୬୯, ପେନ୍ଥା(ବଞ୍ଚି) ୬୦ଟି, ପଙ୍ଖ ଧାନ ୧୮, ମେଡିସିନାଲ୍ ୨ଟି, କଳା ଧାନ ଗଛ ୪ ଓ କଳା ଚାଉଳ ୩ଟି, ଲୁଣି ୧୫୯ଟି, ବନ୍ୟା ୭୧,ମରୁଡି ୧୦୫ ପ୍ରକାରର(ଭେରାଇଟି) ଦେଶୀ ଧାନ ରହିଛି। ଏଥିସହିତ ନିଜର ପ୍ରାୟ ସାଢେ ୪ ଏକର ଜମିରେ ବର୍ଷଯାକ ଦେଶୀ ବିହନ ଚାଷ କରାଯାଇ ବ୍ୟାଙ୍କରେ ସଂଗ୍ରହ କରି ରଖାଯାଇଛି। ବିଶେଷକରି ଲୁଣା, ବନ୍ୟା ଓ ମରୁଡି ଅଞ୍ଚଳକୁ ଦୃଷ୍ଟିରେ ରଖି ଦେଶୀ ବିହନ ଚାଷ କରାଯାଇଛି ଯାହା ଲୁଣା, ବନ୍ୟା ଓ ମରୁଡି ହେଲେ ସୁଦ୍ଧା ଚାଷୀ କ୍ଷତି ସହିବ ନାହିଁ କି ଧାନ ଗଛ ନଷ୍ଟ ହେବ ନାହିଁ। ଏଥିସହିତ ପୁରୀ, କୋରାପୁଟ, ଜଗତସିଂହପୁର, କେନ୍ଦ୍ରାପଡା ଓ ମୟୂରଭଞ୍ଜରୁ ମଧ୍ୟ ବିଭିନ୍ନ ପ୍ରଜାତି ଦେଶୀ ବିହନ ସଂଗ୍ରହ କରାଯାଇଥିବା ବେଳେ ବିହନ ବ୍ୟାଙ୍କରୁ ଜର୍ମାନ, ବମ୍ବେ, ଇଣ୍ଡୋନେସିଆ, ତାମିଲନାଡୁ ଓ ପଶ୍ଚିମବଙ୍ଗରୁ ଲୋକ ଆସି ବିହନ ନେଇଛନ୍ତି। ଦେଶୀ ବିହନ ଚାଷ ପାଇଁ ଜଗତସିଂହପୁର, ନନ୍ଦିଗ୍ରାମ,ତାମିଲନାଡୁ ଓ ମୟୂରଭଞ୍ଜରେ ମଧ୍ୟ ଦେଶୀ ବିହନ ବ୍ୟାଙ୍କ ଖୋଲିଛନ୍ତି। ଏହାବ୍ୟତୀତ ୧୪ଟି ଗାଁରେ ମହିଳା ଅନ୍ନ ସ୍ବରାଜ ଗ୍ରୁପ୍ ରହିଛି। ଯେଉଁଥିରେ ମହିଳାମାନେ ଜୈବିକ ପଦ୍ଧତିରେ କିଚେନ ଗାର୍ଡେନ ଓ ଧାନ ଚାଷ କରନ୍ତି। ପ୍ରାୟ ୫ ଶହ ଜୈବିକ ଚାଷୀ ଏବେ କୁସୁମଙ୍କ ବ୍ୟାଙ୍କ ମାଧ୍ୟମରେ ଦେଶୀ ବିହନ ନେଇ ଚାଷ କରୁଛନ୍ତି। ଜଣେ ଚାଷୀକୁ ୧ କେଜି ପର୍ଯ୍ୟନ୍ତ ଦେଶୀ ବିହନ ପ୍ରଦାନ କରାଯାଏ। ଏହାଠୁ ଅଧିକ ବିହନ ନେଲେ ପ୍ରତିବଦଳରେ ଦେଶୀ ବିହନ ଦେବାକୁ ପଡିଥାଏ ବ୍ୟାଙ୍କକୁ। କୁସୁମଙ୍କ ବ୍ୟାଙ୍କ ମାଧ୍ୟମରେପ୍ରାୟ ୧୦ ଜଣ ରୋଜଗୃ ହୋଇଥିବାବେଳେ ମହିଳା ଓ ଚାଷୀ ମଧ୍ୟ ଲାଭବାନ ହେଉଛନ୍ତି। ତେବେ ସବୁଠୁ ବଡ କଥା ହେଉଛି ଏହି ଦେଶୀ ବିହନ ଚାଷ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ କରାଯାଉଛି। ସାର ଓ ବିଷ ପରିବର୍ତ୍ତେ ରସୁଣ ଓ କିରୋସିନ ତେଲ ସ୍ପ୍ରେ କରାଯାଉଛା। ଫଳରେ ଧାନଗଛର ମୂଳ ପଚା ରୋଗ ହୋଇନଥାଏ। ଏଥସହିତ ପତ୍ରକୁ ପଚେଇକି ଏବଂ ଜିଆ ଖତ ଦିଆଯାଏ।
‘ମୁଁ ପ୍ରଥମେ ୧୯୯୯ ମହାବାତ୍ୟା ପରେ ଶହେ କ୍ବିଣ୍ଟାଲ ଦେଶୀ ବିହନ ଅସ୍ତରଙ୍ଗ ଓ ଜଗତସିଂହପୁରରେ ଚାଷୀଙ୍କୁ ପ୍ରଦାନ କରିଥିଲି। ତାପରେ ବିଭିନ୍ନ ଜାଗାରୁ ଦେଶୀ ବିହନ ସଂଗ୍ରହ ଓ ଚାଷ କରିବା ଆରମ୍ଭ କରିଲି। ଯେଉଁଠି ଗଲି ସେଠାରୁ କିଛି ନୂଆ ଧରଣର ଦେଶୀ ବିହନ ସଂଗ୍ରହ କରେ। ଏମିତି କରି ବର୍ତ୍ତମାନ ସୁଦ୍ଧା ୧୦୫୫ ପ୍ରଜାତି ଦେଶୀ ବିହନ ସଂଗ୍ରହ କରିଛି। ଦିନକୁ ଦିନ ଦେଶୀ ବିହନ ପ୍ରତି ଚାଷୀଙ୍କ ଆଗ୍ରହ ବଢୁଛି। କାରଣ ସ୍ବର୍ଣ୍ଣ ଧାନ ଚାଷ କରି ଚାଷୀ ଅନେକ ସମୟରେ କ୍ଷତି ସହୁଛି।ବନ୍ୟା, ବାତ୍ୟା, ମରୁଡି ସମୟରେ ମୁଣ୍ଡରେ ହାତ ଦେଉଛି। ତେବେ ଏହାକୁ ଦୃଷ୍ଟିରେ ରଖି ମୁଁ ପରିବେଶ ଅନୁକୂଳ ଦେଶୀ ବିହନ ସଂଗ୍ରହ କରିବା ସହ ଚାଷ କରିବା ଦିଲ୍ଲୀର ଏକ ଅନୁଷ୍ଠାନ ସହାୟତାରେ ଆରମ୍ଭ କରିଲି। ଯାହା ଏବେ କେବଳ ଉତ୍ତର ଓଡିଶା ନୁହେଁ ବରଂ ଦେଶ ତଥା ବିଦେଶରେ ବେଶ ପରିଚିତ ହୋଇପାରିଛି। ବିଦେଶରୁ ଅନେକ ଲୋକ ବିହନ ବ୍ୟାଙ୍କ ବୁଲିବାକୁ ଆସନ୍ତି ଏବଂ ବିହନ ନେଇକି ଯାଆନ୍ତି। ତେଣୁ ପାରମ୍ପରିକ ତଥା ଖାଦ୍ୟର ସ୍ବାଦକୁ ନେଇ ଦେଶୀ ବିହନ ଚାଷ ଜୈବିକ ପଦ୍ଧତିରେ କିଛି ଚାଷୀ କରୁଛନ୍ତି। କେରଳରେ ମେଡିସିନାଲ୍ ଧାନ ରେ ଜରାରୋଗ ଭଲ ହେଉଛି। ଏହାକୁ ଦୃଷ୍ଟିରେ ରଖି ଆମ ବ୍ୟାଙ୍କରୁ ମଧ୍ୟ ରୋଗରୁ ଭଲ ହେବା ପାଇଁ ମେଡିସିନାଲ୍ ଧାନ ଚାଷ କରି ଭାତ ଖାଉଛନ୍ତି। ତେବେ ଦେଶୀ ବିହନ ଚାଷ ପ୍ରତା ସରକାର ଯଦି ଅଧିକ ପ୍ରୋତ୍ସାହନ ଓ ପ୍ରସାର ପାଇଁ ଆମକୁ ସହଯୋଗ କରିବେ ତେବେ ଅଧିକ ଚାଷୀ ଏଥିରେ ଜଡିତ ହୋଇ ଲାଭବାନ ହୋଇପାରିବେ’ ବୋଲି କୁସୁମ ମିଶ୍ର କହିଛନ୍ତି।