ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଳ ଗୋଟାଉଛି କେକେବିଏନ୍‍, କୁମୁରୀ ଗୁମ୍ଫାରେ ମନ୍ତ୍ରଣା !

ନୟାଗଡ଼: ନୟାଗଡ଼ ଓ ବୈଦ୍ଧ ଜିଲ୍ଲା ସୀମାନ୍ତରେ ମାଓବାଦୀଙ୍କ ସଂଗଠନ କେକେବିଏନ୍‍ ବଳ ଗୋଟାଉଛି। ନେଇ ଦୈନିକ ‘ସକାଳ’ରେ ଖବର ପ୍ରକାଶ ପରେ ମାଓବାଦୀଙ୍କ ସଂଗଠନ ଦୁଇ ଭାଗରେ ବିଭକ୍ତ ହୋଇଛି। ମମତା ଓ ସିଦ୍ଧେଶ୍ବରଙ୍କ ଟିମ୍‍ ଅଲଗା ଅଲଗା ହୋଇଛି। ସିଦ୍ଧେଶ୍ବରଙ୍କ ଟିମ୍‍ର ୧୮ ଜଣ କ୍ୟାଡର ଡମାଘାଟି ପାହାଡ଼ ତଳ ଅଞ୍ଚଳ କୁମୁରୀ ଖୋଲରେ ଆଶ୍ରୟ ନେଇଛନ୍ତି। ମମତାଙ୍କ ଟିମର ୧୬ ଜଣ କ୍ୟାଡର ବୌଦ୍ଧ ଜିଲ୍ଲା ଜଙ୍ଗଲ ଭିତରକୁ ଚାଲି ଯାଇଛନ୍ତି। ସିଦ୍ଧେଶ୍ବର ଟିମ୍‍ ନୂଆ ସୁରକ୍ଷା ନୀତି ମଧ୍ୟ ଆପଣାଇଛନ୍ତି। ସ୍ଥାନୀୟ ସହଯୋଗୀଙ୍କୁ ଗଡ଼ ଜଗୁଆଳ ଭାବେ ବ୍ୟବହାର କରୁଛନ୍ତି। ସ୍ଥାନୀୟ ଅଞ୍ଚଳର ସହଯୋଗୀ ବାହାରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖୁଥିବା ବେଳେ ଜଙ୍ଗଲ ଭିତରେ ବେଶ ଆରାମରେ ସଂଗଠନକୁ ସୃଦୃଢ଼ କରୁଛି କେକେବିଏନ୍‍।

କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ନୟାଗଡ଼ ପାଇଁ କାର୍ଯ୍ୟ କରୁଥିବା କେକେବିଏନ୍‍ ସଂଗଠନର ଦୁଇଟି ଟିମ୍‍ କିଛି ଦିନ ହେବ ନୟାଗଡ଼ ଓ ବୌଦ୍ଧ ଜିଲ୍ଲା ସୀମାନ୍ତରେ ଡେରା ପକାଇଛନ୍ତି। ବାଇଶିପଲ୍ଲୀ ଅଭୟାରଣ୍ୟ ଭିତରେ ରହି ସେମାନେ ସଂଗଠନକୁ ମଜବୁତ କରୁଥିବା ସୂଚନା ମିଳିଛି। ମାଓବାଦୀ ନେତା ମମତା ପ୍ରଧାନ ଓ ସିଦ୍ଧେଶ୍ବର ମାଝି ଦୁଇ ଟିମ୍‍ ଦାୟିତ୍ୱରେ ରହି କ୍ୟାଡର ସଂଗ୍ରହ ଏବଂ ସଙ୍ଗଠନ ସୃଦୃଢ଼ କରିବାରେ ଲାଗି ପଡ଼ିଛନ୍ତି। ଗଣିଆ ଥାନା ବାଇଶିପଲ୍ଲୀ ଅଭୟାରଣ୍ୟ ତଥା ବଡ଼ଶିଲିଙ୍ଗା ପଞ୍ଚାୟତର ଢିପିସାହି, ଡମାଘାଟି, ଡୁଇସିଙ୍ଗା, ବାଙ୍କଝରୀ ଓ କୁତୁରୀ ଗ୍ରାମାଞ୍ଚଳରେ ମାଓବାଦୀ ସକ୍ରିୟ ରହିଥିବା ବେଳେ ଡମାଘାଟି ପାହାଡ଼ ତଳେ ରହିଥିବା କୁମୁରୀ ଖୋଲା ଅର୍ଥାତ କୁମୁରୀ ଗୁମ୍ଫା ସେମାନଙ୍କ ପାଇଁ ନିରାପଦ ଆଶ୍ରୟସ୍ଥଳ ପାଲଟିଛି। ଏହି ଗୁମ୍ଫାରେ ଏକ କାଳୀନ ୧୫୦ରୁ ଅଧିକ୍‍ ଲୋକ ଆଶ୍ରୟ ନେବାର ସୁବିଧା ରହିଥିବା ବେଳେ ନିକଟରେ ଝରଣା ମଧ୍ୟ ରହିଛି। ଯଦି ପୁଲିସ ପକ୍ଷରୁ କମ୍ୱିଂ କରାଯାଏ, ତେବେ ମାଓବାଦୀମାନେ କୁମୁରୀ ଗୁମ୍ଫାରୁ ଖସି ମାରଡ଼ା ନିକଟରେ ମହାନଦୀ ପାର ହୋଇ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭ୍ୟାରଣ୍ୟରେ ପଶିବାର ସୁବିଧା ରହିଛି। ମାରଡ଼ା ନିକଟରେ ମହାନଦୀ ଓସାର ସବୁଠାରୁ କମ୍‍। ମାତ୍ର କେଇ ମିନିଟରେ ମାଓବାଦୀମାନେ ନଦୀ ପାର ହେବାରୁ ସୁବିଧା ରହିଛି। ମାଓବାଦୀମାନେ ସେମାନଙ୍କର ରାସନ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଡୁଇସିଙ୍ଗାଠାରେ ରହିଥିବା ଏକ ରାସନ ଦୋକାନରୁ ସଂଗ୍ରହ କରୁଥିବା ବେଳେ ବୌଦ୍ଧ ଜିଲ୍ଲାର ଏକ ଗ୍ରାମାଞ୍ଚଳ ଦୋକାନରୁ ମଧ୍ୟ ସେମାନଙ୍କୁ ରାସନ ଯୋଗାଣ ହେଉଛି। ବୈାଦ୍ଧ ଓ ନୟାଗଡ଼ ଦୁଇ ଜିଲ୍ଲାରେ ନିଜର ବାସସ୍ଥଳ ଏବଂ ନାଗରିକତା ସୃଷ୍ଟି କରି ପାରିଥିବା ଜଣେ ବ୍ୟକ୍ତି ପରୋକ୍ଷ ଭାବେ ମାଓବାଦୀଙ୍କୁ ରାସନ ସାମଗ୍ରୀ ଯୋଗାଉଥିବା ସୂଚନା ମିଳିଛି। ମାଓବାଦୀମାନେ ଦୁଇ ସପ୍ତାହ ଏହି ଅଞ୍ଚଳରେ ରହିଥିବା ବେଳେ ନିକଟରେ ଏକ ସଭାର ଆୟୋଜନ କରିଥିଲେ। ଏହି ସଭାକୁ ନୟାଗଡ଼ ଜିଲ୍ଲା ବଡ଼ଶିଲିଙ୍ଗା ପଞ୍ଚାୟତ ଏବଂ ବୌଦ୍ଧ ଜିଲ୍ଲାର କୁଶଙ୍ଗ, ଛତରଙ୍ଗ, ତଳଗାଁ ପଞ୍ଚାୟତର ୪୦ ଜଣ ବ୍ୟକ୍ତି ଯୋଗ ଦେଇଥିଲେ। ମାଓନେତା ସିଦ୍ଧେଶ୍ବର ଓ ମମତା ସ୍ଥାନୀୟ ଲୋକଙ୍କଠାରୁ ଅନୁକମ୍ପା ପାଇବା ଉଦ୍ଦେଶ୍ୟରେ ଏହି ସଭା ଆୟୋଜନ କରିଥିଲେ। କନ୍ଧମାଳ, ବୌଦ୍ଧ, କଳାହାଣ୍ଡି ଏବଂ ଅନୁଗୁଳ ଜିଲ୍ଲାରେ ନିରାପଦ ଭାବେ ଆଶ୍ରୟ ନେବା ସମ୍ଭବପର ହୋଇପାରୁ ନ ଥିବାରୁ ସେମାନେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଆଶ୍ରୟ ନେଉଛନ୍ତି। ଅନ୍ୟପକ୍ଷେ, ବଳ ଗୋଟଉଛି କେକେବିନ୍‍ ଖବର ପ୍ରକାଶ ପାଇବା ପରେ ଅର୍ଥାତ ଦିନେ ଦୁଇ ଦିନ ହେବ ମାଓବାଦୀଙ୍କ ଦୁଇଟି ଟିମ୍‍ ଦୁଇ ଭାଗରେ ବିଭକ୍ତ ହୋଇଛନ୍ତି। ସିଦ୍ଧେଶ୍ବରଙ୍କ ଟିମ୍‍ କୁମୁରୀ ଗୁମ୍ଫାରେ ରହିଥିବା ବେଳେ ମମତାଙ୍କ ଟିମ୍‍ ସେଠାରୁ ୩ କିଲୋମିଟର ବୌଦ୍ଧ ଜିଲ୍ଲା ଆଡ଼କୁ ଚାଲି ଯାଇଛନ୍ତି। ମମତାଙ୍କ ଟିମ୍‍ ରହୁଥିବା ଅଞ୍ଚଳରେ ବ୍ୟାପକ ପରିମାଣର ହାତୀ ରହୁଥିବାରୁ ବନବିଭାଗ ମଧ୍ୟ ସେହି ଅଞ୍ଚଳକୁ ଯାତାୟତ କରୁ ନାହିଁ।
ପ୍ରକାଶଯୋଗ୍ୟ, ଗତବର୍ଷ ଏହି ସମୟରେ କୁମୁରୀ ଗୁମ୍ଫାରୁ ବନବିଭାଗ କିଛି ମାଓବାଦୀ ପୋଷାକ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଥିଲା। ମାତ୍ର ଭୟରେ ବନବିଭାଗ ଏହି ଖବରକୁ ଚାପି ଦେଇଥିଲା। ଅନ୍ୟପକ୍ଷେ, ମାଓବାଦୀଙ୍କ ନୟାଗଡ଼ ରହଣୀକୁ ଏସ୍‍ପି ଅଣଦେଖା କରୁଥିବା ଅଭିଯୋଗ ହେଉଛି। ଏ ନେଇ ଏସପି ସିଦ୍ଧାର୍ଥ କାଟରିଆଙ୍କୁ ପଚାରିବାରୁ ମାଓବାଦୀଙ୍କ ଉପସ୍ଥିତିକୁ ଅବଶ୍ୟ ସେ ସ୍ୱୀକାର କରିଛନ୍ତି। କୌଣସି ଅଘଟଣା ଘଟାଇବା ଆଶଙ୍କା ରହିଥିବା ନେଇ ସୂଚନା ମିଳିଲେ କମ୍ୱିଂ କରାଯିବ ବୋଲି କହିଛନ୍ତି। ଗଣିଆ ଥାନାର ସୁରକ୍ଷା ପାଇଁ ଗୋଟିଏ ପ୍ଲାଟୁନ ଓଏସ୍‍ଏଫ୍‍ ଫୋର୍ସ ମୁତୟନ କରାଯାଇଥିବା ଏସପି ସୂଚନା ଦେଇଛନ୍ତି।

Leave A Reply

Your email address will not be published.