ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦବୀରୁ ବିଦାୟ ନେଲେ କ୍ରିଷନ କୁମାର, ମହାପ୍ରଭୁଙ୍କୁ ଦର୍ଶନ ବେଳେ ହୋଇପଡ଼ିଲେ ଭାବବିହ୍ୱଳ

ପୁରୀ : ଦୀର୍ଘ ଅଢେଇବର୍ଷ ମହାପ୍ରଭୁଙ୍କ ସେବାରେ ରହି ସୋମବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦବୀରୁ ବିଦାୟ ନେଇଛନ୍ତି ଡ. କ୍ରିଷନ କୁମାର। ସୋମବାର ଶ୍ରୀମନ୍ଦିରରେ ପହଞ୍ଚି ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଥିଲେ। ଏହି ସମୟରେ ବେଶ୍‍ ଭାବବିହ୍ୱଳ ହୋଇଯାଇଥିଲେ। ଶ୍ରୀମନ୍ଦିରରୁ ଫେରିବା ବେଳେ ଶତାଧିକ ସେବାୟତ ସାଥିରେ ଆଣି ସିଂହଦ୍ୱାରରେ ଛାଡିଥିଲେ। ଏହାପରେ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସରକାରୀ ବିଧି ବ୍ୟବସ୍ଥା ଅନୁଯାୟୀ ନିଜେ ଦାୟିତ୍ୱରୁ ଅବ୍ୟାହତି ନେଇଥିଲେ। ଏହି ସମୟରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ। ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ କରିବା ସମୟରେ ବେଶ୍‍ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା। ଶ୍ରୀକ୍ଷେତ୍ର ଏବଂ ମହାପ୍ରଭୁଙ୍କୁ ଛାଡି ଯାଉଥିବାରୁ ନିଜ ଭିତର କୋହକୁ ଚାପି ସହଯୋଗ ଲାଗି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହାପରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କଠାରୁ ବିଦାୟ ନେଇଥିଲେ କ୍ରିଷନ କୁମାର।

୨୦୧୯ ଅଗଷ୍ଟ ୮ ତାରିଖରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ କ୍ରିଷନ କୁମାର। ଖୁବ୍‍ କମ୍‍ ସମୟ ମଧ୍ୟରେ ଶ୍ରୀମନ୍ଦିର ନୀତିକାନ୍ତି ଏବଂ ସେବାପୂଜା ବିଷୟରେ ଜାଣି ଯାଇଥିଲେ। ମହାପ୍ରଭୁଙ୍କ ପ୍ରତି ସମର୍ପିତ ମନୋଭାବ ରଖି ପ୍ରତିଟି କାର୍ଯ୍ୟ ଯେପରି ଶୃଙ୍ଖଳିତ ରହିବ ସେ ଦିଗରେ ବିଶେଷ ଧ୍ୟାନ ଦେଉଥିଲେ। ଶ୍ରୀମନ୍ଦିରର ବିକାଶ ହେଉ ଅବା ସେବାୟତଙ୍କ କଲ୍ୟାଣ କିମ୍ବା ମନ୍ଦିର ପାଣ୍ଠି ବୃଦ୍ଧି କରିବାରେ ସମସ୍ତଙ୍କ ପାଖରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ କ୍ରିଷନ କୁମାର। ବିଶେଷକରି ମହାମାରୀ ସମୟରେ ଦୁଇ ଦୁଇଥର ବିନା ଭକ୍ତରେ ରଥଯାତ୍ରାର ଅନ୍ୟତମ ସଫଳ ବିନ୍ଧାଣୀ ସାଜିଥିଲେ। ଶ୍ରୀମନ୍ଦିରରେ ୭ଟି ରୁପା ଦ୍ୱାର ଲାଗିବା ସହ ବିଭିନ୍ନ ସମୟରେ ଶ୍ରଦ୍ଧାଳୁ ସୁନା ଏବଂ ରୁପା ଦାନ କରିବା ପଛରେ ରହିଥିଲା କ୍ରିଷନ କୁମାରଙ୍କ ପ୍ରଚ୍ଛନ୍ନ ହାତ।

୨୦୨୦ ଏବଂ ୨୦୨୧ ରଥଯାତ୍ରାରେ ଶରଧାବାଲିରେ ତିନିରଥ ଲାଗିବା ପରେ ସେବାୟତଙ୍କ ସହ କ୍ରିଷନ କୁମାରଙ୍କ ଗୀତଗୋବିନ୍ଦ ପରିବେଷଣ, ଗତବର୍ଷ ବାହୁଡ଼ାରେ ଢୁ ଢୁ ବର୍ଷାରେ ବଡ଼ଦାଣ୍ଡରେ ଭିଜି ଭିଜି ରଥ ଆଗରେ ଚାଲିବା ଏବଂ ତିନିରଥ ସିଂହଦ୍ୱାରରେ ଲାଗିବା ପରେ ଗୀତଗୋବିନ୍ଦ ଓ ଆହେ ନୀଳ ଶଇଳ… ପ୍ରାର୍ଥନା ବୋଲିବା ଥିଲା ଗୋଟିଏ ଗୋଟିଏ ବିଶେଷ ମୁହୂର୍ତ୍ତ। ସେହିପରି ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ଲକ୍ଷ୍ମୀ ନାରାୟଣ ଭେଟ ପାଇଁ ଅଟକିଥିବା ବେଳେ ସିଂହଦ୍ୱାର ଜୋତାଷ୍ଟାଣ୍ଡ ସମ୍ମୁଖ ବଡ଼ଦାଣ୍ଡରେ ତଳେ ସେବାୟତଙ୍କ ସହ ବସିଥିଲେ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। ଏମିତି ସାଧାରଣ ସ୍ୱଭାବ ଏବଂ ଶ୍ରୀମନ୍ଦିରର ବିକାଶ ପାଇଁ ଉଦ୍ୟମ ଯୋଗୁ କ୍ରିଷନ କୁମାର ସର୍ବଦା ମନେପଡ଼ିବେ ବୋଲି କହିଛନ୍ତି ସେବାୟତ ଓ ଭକ୍ତ।

Leave A Reply

Your email address will not be published.