କୋଟାକ୍-ହୁରୁନ୍ ମହିଳା ଧନୀ ତାଲିକା : ଏଚ୍‌ସିଏଲ୍‌ର ରୋଶ୍‌ନି ସବୁଠୁ ଧନୀ ଭାରତୀୟ ମହିଳା, ୮୪,୩୩୦ କୋଟି ସମ୍ପତ୍ତିର ମାଲିକାଣି

ନୂଆଦିଲ୍ଲୀ : ଏଚ୍‌ସିଏଲ ଟେକ୍ନୋଲୋଜିର ଅଧ୍ୟକ୍ଷ ରୋଶନି ନାଦର (୪୦) ମାଲହୋତ୍ରା ହୋଇଛନ୍ତି ଭାରତର ସବୁଠାରୁ ଧନୀ ମହିଳା। କୋଟାକ୍ ପ୍ରାଇଭେଟ ବ୍ୟାଙ୍କିଙ୍ଗ୍-ହୁରୁନ୍ ର ସର୍ବଶେଷ ରିପୋର୍ଟରୁ ଏହି ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, ରୋଶନିଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୨୦୨୧ରେ ୫୪ ପ୍ରତିଶତ ବୃଦ୍ଧି ହୋଇ ୮୪,୩୩୦ କୋଟି ଟଙ୍କାରେ ପହଞ୍ଚିଛି। ଏହାଫଳରେ ସେ ବାୟୋକନ୍‌ର କିରଣ ମଜୁମଦାର-ଶ’ଙ୍କୁ ଟପିଯାଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ରୋଶନି ନାଦର ହେଉଛନ୍ତି ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ପ୍ରତିଷ୍ଠାତା ଶିବ ନାଦରଙ୍କ ଝିଅ।

ନାଇକା ପ୍ରତିଷ୍ଠାତା ଫାଲ୍‌ଗୁନୀ ନାୟର ୫୭୫୨୦ କୋଟି ଟଙ୍କାର ସମ୍ପତ୍ତି ସହ ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ରିପୋର୍ଟ ଅନୁଯାୟୀ ୨୦୨୧ରେ ୫୯ ବର୍ଷିୟ ନାୟରଙ୍କ ସମ୍ପତ୍ତି ୯୬୩ ପ୍ରତିଶତ ବୃଦ୍ଧି ପାଇଛି। ଏଥିସହ ବାୟୋକନ୍‌ ମୁଖ୍ୟ କିରଣ ମଜୁମଦାର ଶ’ଙ୍କ ନେଟ୍‌ ସମ୍ପତ୍ତି ମୂଲ୍ୟ ୨୧ ପ୍ରତିଶତ ହ୍ରାସ ହୋଇ ୨୯,୦୩୦ କୋଟି ଟଙ୍କାରେ ପହଞ୍ଚିଛି। ଏହା ସତ୍ତ୍ୱେ ସେ ଦେଶର ତୃତୀୟ ଧନୀ ମହିଳା ହୋଇଛନ୍ତି।

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ତାଲିକାରେ ଅନ୍ତର୍ଭୁକ୍ତ ୧୦୦ ମହିଳାଙ୍କ ମୋଟ ସମ୍ପତ୍ତିରେ ୫୩ ପ୍ରତିଶତ ବୃଦ୍ଧି ଘଟି ୨୦୨୧ରେ ୪.୧୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି, ଯାହାକି ୨୦୨୦ରେ ୨.୭୨ ଲକ୍ଷ କୋଟି ଯଙ୍କା ରହିଥିଲା। ଏହି ମହିଳାମାନେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ଦୁଇ ପ୍ରତିଶତ ଯୋଗଦାନ ଦେଇଛନ୍ତି। ଏହି ତାଲିକାରେ ଦିଲ୍ଲୀ-ଏନସିଆର ସର୍ବାଧିକ ୨୫ ମହିଳା ଅଛନ୍ତି। ଏହାପରେ ମୁମ୍ବାଇ (୨୧) ଏବଂ ହାଇଦ୍ରାବାଦ (୧୨) ରହିଛି। ଶିଳ୍ପ ବିଷୟରେ କହିବାକୁ ଗଲେ, ଭାରତର ଶ୍ରେଷ୍ଠ ୧୦୦ ଧନୀ ମହିଳାଙ୍କ ମଧ୍ୟରୁ ୧୨ ଜଣ ଫାର୍ମାସ୍ୟୁଟିକାଲ୍ କ୍ଷେତ୍ରରୁ, ୧୧ ଜଣ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରୁ ଏବଂ ୯ ଜଣ ଉପଭୋକ୍ତା ସାମଗ୍ରୀ କ୍ଷେତ୍ରରୁ ଆସିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆପୋଲୋ ହସ୍ପିଟାଲ୍ ଏଣ୍ଟରପ୍ରାଇଜ୍‌ରୁ ଚାରିଜଣ ମହିଳା ଏହି ତାଲିକାରେ ସ୍ଥାନ ପାଇଛନ୍ତି।

ଭୋପାଳ ଭିତ୍ତିକ ଜେଟସେଟଗୋର କନିକା ଟେକ୍ରିୱାଲ (୩୩ ବର୍ଷ) ଏହି ତାଲିକାରେ ସବୁଠାରୁ କନିଷ୍ଠ ଧନୀ ମହିଳା ରହିଛନ୍ତି।ସେ ଜେଟ୍‌ସେଟ୍‌ଗୋ ନାମକ ସଂସ୍ଥା ସ୍ଥାପନ କରିଛନ୍ତି ଓ ତାଙ୍କ ସମ୍ପତ୍ତି ମୂଲ୍ୟ ହେଉଛି ୪୨୦ କୋଟି ଟଙ୍କା। ଏହି ତାଲିକାରେ ସ୍ଥାନ ପାଇଥିବା ପେପ୍‌ସିକୋର ପୂର୍ବତନ ମୁଖ୍ୟ ଇନ୍ଦ୍ରା ନୁୟୀଙ୍କ ସମ୍ପତ୍ତି ୫୦୪୦ କୋଟି ଟଙ୍କା ରହିଥିବା ବେଳେ ଏଚ୍‌ଡିଏଫ୍‌ସିର ରେଣୁ ସୁଦ୍‌ କର୍ଣ୍ଣାଡ୍‌ଙ୍କ ୮୭୦ କୋଟି ଟଙ୍କା ଓ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ଶାନ୍ତି ଏକାମ୍ବରମ୍‌ଙ୍କ ସମ୍ପତ୍ତି ୩୨୦ କୋଟି ଟଙ୍କା ରହିଛି।

Leave a comment