ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାଣନ୍ତୁ ଇଣ୍ଡିଆନ୍‍ ପ୍ରିମିଅର ଲିଗ୍‍ (ଆଇପିଏଲ୍‍)ରେ କେଉଁ ବର୍ଷ କେଉଁ ବୋଲର ଜିତିଛନ୍ତି ପର୍ପଲ କ୍ୟାପ୍‍

ସୋହେଲ ତନବୀର (୨୦୦୮)

ଆଇପିଏଲ୍‍ର ପ୍ରଥମ ସଂସ୍କରଣରେ ଦିବଂଗତ ସେନ୍‍ ୱର୍ଣ୍ଣଙ୍କ ନେତୃତ୍ୱରେ ରାଜସ୍ଥାନ ରୟାଲ୍ସ ଚାମ୍ପିଅନ ହେବାର ସୌଭାଗ୍ୟ ଲାଭ କରିଥିଲା। ଏହି ସିଜନରେ ପାକିସ୍ତାନ ବାମହାତୀ ଦ୍ରୁତ ବୋଲର ସୋହେଲ ତଦବୀର ସର୍ବାଧିକ ୱିକେଟ୍‍ ହାସଲକରି ପର୍ପଲ କ୍ୟାପ୍‍ ବିଜେତା ରହିଥିଲେ। ସେ ୧୧ ମ୍ୟାଚ ଖେଳି ୨୨ ୱିକେଟ ଅକ୍ତିଆର କରିଥିଲେ। ଚେନ୍ନଇ ସୁପର୍‍କିଙ୍ଗ୍‍ସ ବିପକ୍ଷ ମ୍ୟାଚରେ ତନବୀର ୧୪ ରନରେ ୬ ୱିକେଟ୍‍ ନେଇ ଚମତ୍କାର ବୋଲିଂ କରିଥିଲେ। ଏହି ସ୍ପେଲ ଆଜି ପଯ୍ୟନ୍ତ ଆଇପିଏଲ୍‍ରେ ଶ୍ରେଷ୍ଠ ବୋଲିଂ ଫିଗର ରହିଛି। ଉଲ୍ଲେଖଯୋଗ୍ୟ, ଆଇପିଏଲ୍‍ର ଏହି ଗୋଟିଏ ସଂସ୍କରଣରେ ହିଁ ପାକିସ୍ତାନ ଖେଳାଳିଙ୍କୁ ଖେଳିବାର ସୁଯୋଗ ମିଳିଥିଲା। ଏହାପରେ ୨୦୦୮ ମୁମ୍ବଇ ବିସ୍ଫୋରଣ ପରେ ପାକିସ୍ତାନ ଖେଳାଳିଙ୍କୁ ଆଉ ଆଇପିଏଲ୍‍ରେ ଖେଳାଯାଉ ନାହିଁ।

ଆର୍‌.ପି. ସିଂ (୨୦୦୯)

କ୍ରମାଗତ ୨ୟ ବର୍ଷ ଲାଗି ଚାମ୍ପିଅନ୍‍ ଦଳର ବୋଲର ପର୍ପଲ କ୍ୟାପ୍‍ ହାସଲ କରିଥିଲେ। ୨୦୦୯ରେ ଡେକାନ ଚାର୍ଜସ ଚାମ୍ପିଅନ୍‍ ହୋଇଥିବାବେଳେ ଏହି ଦଳର ରୁଦ୍ର ପ୍ରତାପ (ଆର୍‍ପି) ସିଂ ସର୍ବାଧିକ ୱିକେଟ୍‍ ହାସଲକାରୀ ବୋଲର ରହିଥିଲେ। ଆର୍‍ପି ୧୬ ମ୍ୟାଚରୁ ୨୩ ୱିକେଟ୍‍ ନେଇଥିଲେ। ୨୨ ରନରେ ୪ ୱିକେଟ୍‍ ତାଙ୍କର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ରହିଥିଲା। ସିଜନରେ ସେ ଓଭର ପିଛା ୬.୪୯ ବ୍ୟୟ କରିଥିଲେ।

ପ୍ରଜ୍ଞାନ ଓଝା (୨୦୧୦)

ଓଡ଼ିଆ କ୍ରିକେଟର୍‍ ପ୍ରଜ୍ଞାନ ଓଝା ଆଇପିଏଲ୍‍ର ୩ୟ ସଂସ୍କରଣରେ ଶ୍ରେଷ୍ଠ ବୋଲର ରହିଥିଲେ। ଡେକାନ ଚାର୍ଜସ ପକ୍ଷରୁ ପ୍ରତିନିଧିତ୍ୱ କରି ଏହି ବାମହାତୀ ସ୍ପିନର ୧୬ ମ୍ୟାଚରୁ ୨୧ ୱିକେଟ୍‍ ନେଇ ପର୍ପଲ କ୍ୟାପ୍‍ ଜିତିଥିଲେ। ମୁମ୍ବଇ ଇଣ୍ଡିଆନ୍ସ ବିପକ୍ଷରେ ୨୬ ରନରେ ୩ ୱିକେଟ୍‍ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା। ପୂର୍ବ ସଂସ୍କରଣରେ ମଧ୍ୟ ଓଝା ୧୮ ୱିକେଟ୍‍ ନେଇଥିଲେ। ଏହି ପ୍ରଦର୍ଶନ ବଳରେ

ଲସିଥ୍‍ ମାଲିଙ୍ଗା (୨୦୧୧)

ଆଇପିଏଲ୍‍ ଇତିହାସରେ ଯଦି କୌଣସି ବୋଲର ପ୍ରଦର୍ଶନରେ ସ୍ଥିରତା ବଜାୟ ରଖିପାରିଛନ୍ତି ସେମାନଙ୍କ ମଧ୍ୟରେ ସିଂହଳୀ ତାରକା ଲସିଥ୍‍ ମାଲିଙ୍ଗା ସର୍ବାଗ୍ରେ ରହିବେ। ୨୦୧୧ରେ ମାଲିଙ୍ଗା ମୁମ୍ବଇ ଇଣ୍ଡିଆନ୍ସରେ ଯୋଗଦେଇ ପ୍ରଦର୍ଶନର ଛାପ ଛାଡ଼ିବାରେ ସଫଳ ହୋଇଥିଲେ। ଏହି ସିଜନରେ ସେ ୧୬ ମ୍ୟାଚରୁ ୨୮ ୱିକେଟ୍‍ ନେଇ ପର୍ପଲ କ୍ୟାପ୍‍ ଜିତିଥିଲେ। ଟି-୨୦ ବ୍ୟାଟର୍‍ଙ୍କ ଖେଳ ହୋଇଥିଲେ ମଧ୍ୟ ମାଲିଙ୍ଗା ଓଭର ପ୍ରତି ୫.୯୫ ରନ ବ୍ୟୟ କରି ମିତବ୍ୟୟୀ ରହିଥିଲେ। ଦିଲ୍ଲୀ ଡେୟାରଡେଭିଲ୍ସ ବିପକ୍ଷରେ ୧୩ ରନରେ ୫ ୱିକେଟ୍‍ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା।

ମୋର୍ନେ ମର୍କେଲ (୨୦୧୨)

ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ଆଇପିଏଲ୍‍ ୫ମ ସଂସ୍କରଣର ସର୍ବାଧିକ ୱିକେଟ୍‍ ହାସଲକାରୀ ବୋଲର ରହିଥିଲେ। ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ଖେଳି ଏହି ଡାହାଣହାତୀ ବୋଲର ୧୬ ମ୍ୟାଚରୁ ୨୫ ୱିକେଟ୍‍ ନେଇଥିଲେ। କିଙ୍ଗ୍‍ସ ଇଲେଭେନ ପଞ୍ଜାବ ବିପକ୍ଷରେ ୨୦ ରନ ବ୍ୟୟରେ ୪ ୱିକେଟ୍‍ ନେଇ ସେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ମର୍କେଲଙ୍କ ଏହି ପ୍ରଦର୍ଶନ ବଳରେ ଦିଲ୍ଲୀ ଗ୍ରୁପ୍‍ ପର୍ଯ୍ୟାୟରେ ଶୀର୍ଷ ସ୍ଥାନ ହାସଲ କରିଥିଲା। କିନ୍ତୁ ସେମିଫାଇନାଲରେ ପରାସ୍ତ ହୋଇ ବିଦାୟ ନେଇଥିଲା।

ମୋହିଦ୍‍ ଶର୍ମା (୨୦୧୪)

ଚେନ୍ନଇ ସୁପର୍‍ କିଙ୍ଗ୍‍ସ ଦ୍ରୁତ ବୋଲର ମୋହିତ୍‍ ଶର୍ମା ଆଇପିଏଲ୍‍-୨୦୧୪ର ସଫଳତମ ବୋଲର ରହିଥିଲେ। ଏହି ଡାହାଣହାତୀ ବୋଲର ସିଜନରେ ୧୬ ମ୍ୟାଚ୍‍ ଖେଳି ୨୩ ୱିକେଟ୍‍ ଅକ୍ତିଆର କରିବା ସହ ପର୍ପଲ କ୍ୟାପ୍‍ ହାସଲ କରିଥିଲେ। ଯେଉଁଥିରେ ୪ ୱିକେଟ୍‍ ସଫଳତା ଗୋଟିଏଥର ପାଇଥିଲେ। ପ୍ରତି ୨୦ ରନ ବ୍ୟୟରେ ତାଙ୍କୁ ଗୋଟିଏ ୱିକେଟ୍‍ ମିଳୁଥିଲା। ମୋହିତ୍‍ ୨୦୧୩ ସଂସ୍କରଣରେ ମଧ୍ୟ ୨୦ ୱିକେଟ୍‍ ନେଇଥିଲେ। ଚେନ୍ନଇ କିନ୍ତୁ ୨ୟ କ୍ୱାଲିଫାୟରରେ ପଞ୍ଜାବ ନିକଟରୁ ହାରି ଅଭିଯାନ ଶେଷ କରିଥିଲା।

ଆଣ୍ଡ୍ରିଉ ଟାଇ (୨୦୧୮)

ଅଷ୍ଟ୍ରେଲୀୟ ଟି-୨୦ ସ୍ପେଶାଲିଷ୍ଟ ବୋଲର ଆଣ୍ଡ୍ରିଉ ଟାଇ ଆଇପିଏଲ୍‍ର ୨୦୧୮ ସଂସ୍କରଣରେ ପର୍ପଲ କ୍ୟାପ୍‍ ବିଜେତା ରହିଥିଲେ। କିଙ୍ଗ୍‍ସ ଇଲେଭେନ ପଞ୍ଜାବ ପକ୍ଷରୁ ପ୍ରତିନିଧିତ୍ୱ କରି ଟାଇ ଏହି ସଫଳତା ପାଇଥିଲେ। ୧୪ ମ୍ୟାଚରୁ ୧୮.୬୬ ଆଭରେଜରେ ସେ ୨୪ ୱିକେଟ୍‍ ଦଖଲ କରିଥିଲେ। ସିଜନରେ ୪ ୱିକେଟ୍‍ ସଫଳତା ତାଙ୍କୁ ୩ଥର ମିଳିଥିଲା। ମୁମ୍ବଇ ବିପକ୍ଷରେ ୧୬ ରନ ବ୍ୟୟରେ ୪ ୱିକେଟ୍‍ ନେଇ ସେ ଶ୍ରେଷ୍ଠ ବୋଲିଂ ଫିଗର ହାସଲ କରିଥିଲେ।

ଇମ୍ରାନ ତାହିର (୨୦୧୯)

ପ୍ରଜ୍ଞାନ ଓଝାଙ୍କ ପରେ ୨ୟ ସ୍ପିନର ଭାବେ ଇମ୍ରାନ ତାହିର ପର୍ପଲ କ୍ୟାପ୍‍ ଜିତିବାର ସୌଭାଗ୍ୟ ଲାଭ କରିଥିଲେ। ୨୦୧୯ରେ ଚେନ୍ନଇ ସୁପର୍‍ କିଙ୍ଗ୍‍ସ ପକ୍ଷରୁ ଖେଳି ଏହି ଲେଗ୍‍-ସ୍ପିନର ୨୬ ୱିକେଟ ନେଇଥିଲେ। ୧୭ ମ୍ୟାଚ୍‍ ଖେଳି ୬.୬୯ ଇକୋନୋମିକରେ ସେ ଏହି ସଫଳତା ପାଇଥିଲେ। ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ତାହିର(୪-୧-୯-୩) ମାରାତ୍ମକ ବୋଲିଂ କରିଥିଲେ। ଫଳରେ ବାଙ୍ଗାଲୋର ୭୦ ରନରେ ଅଲ୍‍ଆଉଟ୍‍ ହୋଇଯାଇଥିଲା। ସେହିଭଳି କୋଲକାତା ନାଇଟ୍‍ ରାଇଡର୍ସ (୪/୨୭) ଓ ବାଙ୍ଗାଲୋର (୪/୧୨) ବିପକ୍ଷରେ ମଧ୍ୟ ସେ ପ୍ରଭାବୀ ବୋଲିଂ କରିଥିଲେ।

କାଗିସୋ ରାବଡା (୨୦୨୦)

ଆଇପିଏଲ୍‍ର ତ୍ରୟୋଦଶ ସଂସ୍କରଣରେ କାଗିସୋ ରାବାଡା ସର୍ବାଧିକ ୱିକେଟ୍‍ ହାସଲକାରୀ ବୋଲର ରହିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପ୍ରତିନିଧିତ୍ୱ କରି ରାବାଡା ୧୭ ମ୍ୟାଚରୁ ୩୦ ୱିକେଟ୍‍ ନେଇ ପର୍ପଲ କ୍ୟାପ୍‍ ହାସଲ କରିଥିଲେ। ପ୍ରତି ୧୮ ରନ ବ୍ୟୟରେ ତାଙ୍କୁ ଗୋଟିଏ ୱିକେଟ୍‍ ମିଳୁଥିଲା। ବାଙ୍ଗାଲୋର ବିପକ୍ଷରେ ୨୪ ରନ ଦେଇ ୪ ୱିକେଟ୍‍ ନେଇ ସେ ସିଜନର ଶ୍ରେଷ୍ଠ ଫିଗର ହାସଲ କରିଥିଲେ।

ହର୍ଷଲ ପଟେଲ (୨୦୨୧)

ଆଇପିଏଲର ଗୋଟିଏ ସିଜନରେ ସର୍ବାଧିକ ୱିକେଟ୍‍ ନେବାରେ ଡ୍ୱେନ ବ୍ରାଭୋଙ୍କ ସହ ହର୍ଷଲ ପଟେଲ ଶୀର୍ଷରେ ରହିଛନ୍ତି। ଗତ ୨୦୨୧ ସଂସ୍କରଣରେ ହର୍ଷଲ ୩୨ ୱିକେଟ୍‍ ନେଇ ଶ୍ରେଷ୍ଠ ବୋଲର ସହ ପର୍ପଲ କ୍ୟାପ୍‍ର ଅଧିକାରୀ ରହିଥିଲେ। ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ପ୍ରତିନିଧିତ୍ୱ କରି ପଟେଲ ନିଜ ଚତୁର ବୋଲିଂ ବଳରେ ସ୍ଲଗ ଓଭରରେ ବ୍ୟାଟର୍‍ଙ୍କୁ ହାତଖୋଲା ସଟ୍‍ ମାରିବାର ସୁଯୋଗ ଦେଉ ନ ଥିଲେ। ମୋଟ୍‍ ୩୨ ୱିକେଟ୍‍ରୁ ସେ ୧୯ ୱିକେଟ୍‍ କେବଳ ୧୭ରୁ ୧୯ତମ ଓଭରରେ ହାସଲ କରିଥିଲେ। ମୁମ୍ବଇ ବିପକ୍ଷ ମ୍ୟାଚରେ ହ୍ୟାଟ୍ରିକ ସହ ହର୍ଷଲ ୫ ୱିକେଟ୍‍ ସଫଳତା ମଧ୍ୟ ପାଇଥିଲେ।

ଡ୍ୱେନ ବ୍ରାଭୋ (୨୦୧୩ ଓ ୨୦୧୫):

ଆଇପିଏଲ୍‍ ଇତିହାସରେ ପ୍ରଥମ ବୋଲର ଭାବେ ୱେଷ୍ଟଇଣ୍ଡିଜର ଡ୍ୱେନ ବ୍ରାଭୋ ୨ଥର ପର୍ପଲ କ୍ୟାପ୍‍ ଜିତିବାର ସୌଭାଗ୍ୟ ଲାଭ କରିଥିଲେ। ବୋଲିଂରେ ବିବିଧତା ଲାଗି ବେଶ୍‍ ପରିଚିତ ରହିଥିବା ବ୍ରାଭୋ ଚେନ୍ନଇ ସୁପର୍‍ କିଙ୍ଗ୍‍ସ ପକ୍ଷରୁ ଖେଳି ୨୦୧୩ ସଂସ୍କରଣରେ ସର୍ବାଧିକ ୱିକେଟ୍‍ ହାସଲକାରୀ ବୋଲର ରହିଥିଲେ। ଏହି ସିଜନରେ ସେ ୧୮ ମ୍ୟାଚ୍‍ ଖେଳି ୩୨ ୱିକେଟ୍‍ ନେଇଥିଲେ। ପ୍ରତି ୧୫.୫୩ ରନ ବ୍ୟୟରେ ସେ ଗୋଟିଏ ୱିକେଟ୍‍ ଅକ୍ତିଆର କରିଥିଲେ। ସେହିଭଳି ଗୋଟିଏ ସିଜନ ପରେ ଅର୍ଥାତ ୨୦୧୫ରେ ୧୭ ମ୍ୟାଚରୁ ୨୬ ୱିକେଟ୍‍ ନେଇ ପର୍ପଲ କ୍ୟାପ୍‍ ଅଧିକାରୀ ରହିଥିଲେ।

ଭୁବନେଶ୍ୱର କୁମାର (୨୦୧୬ ଓ ୨୦୧୭)

ବ୍ରାଭୋଙ୍କ ପରେ ଦ୍ୱିତୀୟ ବୋଲର ଭାବେ ଭୁବନେଶ୍ୱର କୁମାର (ଭୁବି) ଦୁଇ ଦୁଇଥର ସର୍ବାଧିକ ୱିକେଟ୍‍ ହାସଲକାରୀ ବୋଲର୍‍ ରହିଥିଲେ। ସନ୍‍ରାଇଜର୍ସ ହାଇଦରାବାଦ୍‍ର ଏହି ଦ୍ରୁତ ବୋଲର ୨୦୧୬ରେ ୧୭ ମ୍ୟାଚ୍‍ ଖେଳି ୨୩ ୱିକେଟ୍‍ ନେଇଥିଲେ। ଯେଉଁଥିରେ ୪ ୱିକେଟ୍‍ ସଫଳତା ଥରେ ପାଇଥିଲେ। ସେହିଭଳି ପରବର୍ତ୍ତୀ ସଂସ୍କରଣ ଅର୍ଥାତ୍‍ ୨୦୧୭ରେ ମଧ୍ୟ ଭୁବିଙ୍କ କମାଲ ଦେଖିବାକୁ ମିଳିଥିଲା। ଏହି ସିଜନରେ ସେ ୧୪ ମ୍ୟାଚରୁ ୨୬ ୱିକେଟ୍‍ ନେଇ ପର୍ପଲ କ୍ୟାପ୍‍ ଜିତିଥିଲେ। ଏହି ସିଜନରେ ହାଇଦରାବାଦ୍‍ର ଡେଭିଡ୍‍ ୱାର୍ଣ୍ଣର ମଧ୍ୟ ଶ୍ରେଷ୍ଠ ବ୍ୟାଟର୍‍ ପୁରସ୍କାର ବାବଦକୁ ଅରେଞ୍ଜ କ୍ୟାପ୍‍ ଜିତିଥିଲେ। ଗୋଟିଏ ସିଜନରେ ଗୋଟିଏ ଦଳର ଖେଳାଳି ଉଭୟ ଅରେଞ୍ଜ କ୍ୟାପ୍‍ ଓ ପର୍ପଲ କ୍ୟାପ୍‍ ଜିତିବା ଏହା ଦ୍ୱିତୀୟ ଘଟଣା ଥିଲା।

Leave A Reply

Your email address will not be published.