ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାଣନ୍ତୁ ଜ୍ୟୋତିଷଶାସ୍ତ୍ର ଗଣନାଭିତ୍ତିରେ ୨୦୨୨ ମସିହାରେ କେମିତି ରହିବ ଦେଶ ଓ ରାଜ୍ୟର ସ୍ଥିତି

୨୦୨୨ ମସିହାରେ କିଭଳି ରହିବ ଭାରତ ଏବଂ ଓଡ଼ିଶାର ସ୍ଥିତି? ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଦେଶ ଓ ରାଜ୍ୟର ଅର୍ଥନୀତି, ରାଜନୀତି, ଶିକ୍ଷା,ସ୍ବାସ୍ଥ୍ୟ,କୃଷି ଆଦି ବିଭିନ୍ନ କ୍ଷେତ୍ରରେ କ’ଣ ପରିବର୍ତ୍ତନ ହେବ ? ଜ୍ୟୋତିଷଶାସ୍ତ୍ର ଆଧାରିତ ଗଣନାଭିତ୍ତିରେ ଭାରତ ଓ ଓଡ଼ିଶାର ଭବିଷ୍ୟତ ପରିସ୍ଥିତିକୁ ନେଇ ଏଇ ଆଲେଖ୍ୟ।

୨୦୨୨ ମସିହାରେ ଭାରତର ଭବିଷ୍ୟତ  

ଚଳିତ ବର୍ଷ ଭାରତର ପ୍ରଶାସନିକ ସୁଧାର ଓ ନୂତନତା ଦେଖାଦେବ। ଆର୍ଥିକ ଯୋଜନା ଓ ନୂତନ ଯୋଜନାମାନ ସଫଳ ରୂପାୟନ ହେବ। ବିରୋଧୀଦଳଗୁଡ଼ିକ ଏକଜୁଟ ହେବା ସତ୍ତ୍ବେ ଶାସକ ଦଳ ବା ସରକାର ସ୍ଥିର ରହିବାର ଯଥେଷ୍ଟ ସମ୍ଭାବନା ରହିଛି। ଆଞ୍ଚଳିକ ଦଳମାନେ ସୁଦୃଢ଼ ରହିବେ। ଦୁର୍ନୀତିଗ୍ରସ୍ତ ନେତାମାନେ ନିନ୍ଦିତ ଓ ଅପଦସ୍ତ ହେବେ। କେନ୍ଦ୍ର ଶାସନ ଅଞ୍ଚଳଗୁଡ଼ିକରେ ବହୁ ଉନ୍ନତି ଓ ପ୍ରଗତି ହେବ। ଶିକ୍ଷା, ସ୍ୱାସ୍ଥ୍ୟ ଓ ଗ୍ରାମ୍ୟ ଉନ୍ନୟନ କ୍ଷେତ୍ରରେ ପ୍ରଗତି ଆସିବ। ବୈଦେଶିକ ବ୍ୟାପାର ନୀତିରେ ପରିବର୍ତ୍ତନ ଆସିବ। ନୂତନ ଶିଳ୍ପ ବା କଳକାରଖାନାଗୁଡ଼ିକ ସ୍ଥାପନ ହୋଇପାରେ। ପରିବହନ, କୃଷି, ବାଣିଜ୍ୟ କ୍ଷେତ୍ରରେ ସଂସ୍କାର ଓ ପରିବର୍ତ୍ତନ ଆସିବ। ନାରୀଶକ୍ତି ସକ୍ରିୟ ରହିବେ। ପାକିସ୍ତାନ ଆଦି କେତେକ ରାଷ୍ଟ୍ର ସୀମାଭାଗରେ ପ୍ରଭାବିତ କରିପାରନ୍ତି। ପ୍ରତିରକ୍ଷା ବଳ ସୁଦୃଢ଼ ରହିବ। ବର୍ଷର ମଧ୍ୟଭାଗରେ ପ୍ରାକୃତିକ ବିପର୍ଯ୍ୟୟ ଘଟିପାରେ। ମୋଟାମୋଟି ଭାବରେ ଦେଶ ପରିବର୍ତ୍ତନ ସ୍ରୋତରେ ରହିବ।

ସ୍ବାଧୀନ ଭାରତର ପୁଷ୍ୟା କର୍କଟ ରାଶି ହୋଇଥିବାରୁ ଚଳିତ ବର୍ଷ ଆରମ୍ଭରେ କେତେକ ବିବାଦୀୟ ପରିସ୍ଥିତି, ଅଶାନ୍ତ ରାଜନୀତି, ସ୍ଥାନେ ସ୍ଥାନେ ଆନ୍ଦୋଳନ, ସରକାର ଅସ୍ଥିର ପରିସ୍ଥିତିରେ ରହିବେ। ପଞ୍ଜାବ, କାଶ୍କୀର ସମସ୍ୟା ନେଇ କିଛି ସଙ୍କଟମୟ ପରିସ୍ଥିତି ଉପୁଜି ପାରେ। କେତେକ ରାଜ୍ୟରେ ମନ୍ତ୍ରୀ ପରିଷଦର ପରିବର୍ତ୍ତନ, ଉପକୂଳ ଅଞ୍ଚଳରେ କୃଷିହାନି, ମଧ୍ୟ ଭାରତ ତଥା ଉତ୍ତର ଭାରତରେ ଜନଅଶାନ୍ତି ଦେଖା ଦେଇପାରେ। ଶିଳ୍ପ, ବାଣିଜ୍ୟ ତଥା ବୈଦେଶିକ ବ୍ୟାପାର କ୍ଷେତ୍ରରେ କେତେକ ସ୍ଥଳେ ଶିଥ୍ଖଳତା ଦେଖାଦେବ। କିନ୍ତୁ ଅନ୍ୟ ପକ୍ଷରେ ଭାରତର ଆଭିମୁଖ୍ୟ, ଆଦର୍ଶ, ପରୋପକାର ଭଳି ସହଯୋଗର କର୍ତ୍ତବ୍ୟ ବିଶ୍ବରେ ପ୍ରଭାବ ବିସ୍ତାର କରିବ। ଦେଶର ଅନ୍ତ ଭାଗରେ ଅର୍ଥାତ୍ ରାଜ୍ୟ ରାଜ୍ୟ ଭିତରେ ଆମଦାନୀ ଓ ରପ୍ତାନୀ ବୃଦ୍ଧି ପାଇବ। ସମନ୍ବୟ, ଯୁବ କଲ୍ୟାଣ, ପରିବାର ନିୟୋଜନ କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ହେବାର ଜଣାଯାଏ। ଦକ୍ଷିଣ ଭାରତରେ ଶାସକୀୟ ବିରୁଦ୍ଧ ସଙ୍ଗଠନ ମୁଣ୍ଡ ଟେକିବ। ଜୁଲାଇ ଅଗଷ୍ଟ ମାସରେ ଦକ୍ଷିଣ ଉପକୂଳରେ ବହୁବୃଷ୍ଟି ଓ ଝଡ଼ବାତ୍ୟା ହେବାର ଜଣାଯାଏ। ଦେଶର ପ୍ରଧାନମନ୍ତ୍ରୀଙ୍କ ଭାଗ୍ୟ ସୁଦୃଢ଼ ରହିଥିବାରୁ ନେତୃତ୍ବ ବଳବତ୍ତର ରହିବ। ପ୍ରଶାସନିକ କ୍ଷେତ୍ରରେ ସରକାରଙ୍କର ଦୃଷ୍ଟାନ୍ତମୂଳକ ପଦକ୍ଷେପ ପ୍ରଭାବଶାଳୀ, ସୁଦୃଢ଼ ନେତୃତ୍ବ ଅକ୍ଷୁଣ୍ଣ ରହିବ। କିନ୍ତୁ ଆଞ୍ଚଳିକ ଦଳମାନେ ନିଜ ନିଜ କ୍ଷେତ୍ରରେ ସକ୍ରିୟ ରହିଲେ ମଧ୍ୟ ବିଶେଷ ପ୍ରଭାବ ପକାଇ ପାରିବେ ନାହିଁ।

୨୦୨୨ ମସିହାରେ ଓଡ଼ିଶାର ଭବିଷ୍ୟତ 

ଓଡ଼ିଶାର ସ୍ବତନ୍ତ୍ର ପ୍ରଦେଶର ସମୟାନୁଯାୟୀ ଜନ୍ମାଙ୍କ ବା ରାଶି ନକ୍ଷତ୍ର ପୁଷ୍ୟା କର୍କଟ ସହିତ ରାଜ୍ୟର ନାମାକ୍ଷର ଅଙ୍କ ବିଜ୍ଞାନରୁ ବାଣିଜ୍ୟ କ୍ଷେତ୍ର, ଶିଳ୍ପ ଓ କୃଷି ଭିତ୍ତିକ ବହୁ ପରିବର୍ତ୍ତନ ଆସିବାର ଜଣାଯାଏ। ସ୍ବାସ୍ଥ୍ୟ କ୍ଷେତ୍ରରେ ବହୁ ସୁବ୍ୟବସ୍ଥାର ପରିବର୍ତ୍ତନ ଆସିବ। ଚଳିତ ବର୍ଷ ମଧ୍ୟମମାନର ଫଳପ୍ରାପ୍ତିର ସୁଯୋଗ ଆସିବାର ଜଣାଯାଏ। ରାଜ୍ୟର ଉନ୍ନୟନ କାର୍ଯ୍ୟ, ରାସ୍ତାଘାଟ ନିର୍ମାଣ, ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ବା ପରିବର୍ତ୍ତନ ଆସିବ। କୃଷି କ୍ଷେତ୍ରରେ ବହୁ ପଦକ୍ଷେପ ସରକାରଙ୍କର କାର୍ଯ୍ୟକାରୀ ହେବ। ଶିଳ୍ପକ୍ଷେତ୍ରରେ ବିପୁଳ ପରିବର୍ତ୍ତନ ଅର୍ଥାତ୍ ନୂତନ କଳକାରଖାନା ସ୍ଥାପନା ହେବାର ଜଣାଯାଏ।

ଆଧ୍ୟାତ୍ମିକ ବା ଧର୍ମାଦି କ୍ଷେତ୍ରଗୁଡ଼ିକରେ ବହୁ ସୁବ୍ୟବସ୍ଥା ବା ପରିବର୍ତ୍ତନ ଆସିବ। ବିରୋଧାଭାସ ପ୍ରଦର୍ଶନ କରୁଥିବାରୁ ପଡ଼ୋଶୀ ରାଜ୍ୟମାନେ ଯେତେ ଚାହିଁଲେ ବି ପ୍ରଭାବ ପକାଇ ପାରିବେ ନାହିଁ। ମହିଳା ଓ ଯୁବ ବର୍ଗଙ୍କ ପାଇଁ ବିକାଶମୂଳକ ଯୋଜନା ପ୍ରଣୟନ ହୋଇପାରେ। ବାଳ ବିକାଶ ସହ ଅନାଥ କିମ୍ବା ଗରିବଙ୍କ ପାଇଁ ଯୋଜନାମାନ କାର୍ଯ୍ୟକାରୀ ହେବ। କେତେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟ ପାଇଁ ରାଜ୍ୟର ମାନ୍ୟତା ବା ସମ୍ମାନ ଦେଶ ବିଦେଶରେ ବୃଦ୍ଧି ପାଇବାର ଜଣାଯାଏ। ଅନ୍ୟପକ୍ଷରେ ବର୍ଷର ଆଦ୍ୟଭାଗରେ ଦୁର୍ଘଟଣା, ହିଂସାକାଣ୍ଡ, ବିସ୍ଫୋରଣ ଆଦି ଦେଖା ଦେଇପାରେ।

ପାଣିପାଗ ବା ଜଳବାୟୁ ଅନିୟମିତା ରହିପାରେ। ତଥାପି କୃଷି ଉତ୍ପାଦନ ଅଗ୍ରଗତି କରିପାରିବ ବୋଲି ଜଣାଯାଏ। ଶାସକୀୟ ଶିଥିଳତାରୁ ଗୋଷ୍ଠୀ ସଂଘର୍ଷ ଓ ଗ୍ରାମ୍ୟ ବିକାଶ କେତେକ ସ୍ଥାନରେ ଦେଖା ଦେଇପାରେ। କେତେକସ୍ଥଳେ ସ୍ବାସ୍ଥ୍ୟ କ୍ଷେତ୍ରରେ ଦୁର୍ନୀତି, ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ମୂଲ୍ୟ ରାଜ୍ୟବାସୀଙ୍କୁ ବିଚଳିତ କରିପାରେ। କିଛି ମାତ୍ରାରେ ପ୍ରାକୃତିକ ବିପର୍ଯ୍ୟୟ, ଦୈବୀ ଦୁର୍ବିପାକ, ବନ୍ୟା, ଝଡ଼ବାତ୍ୟାର ପ୍ରଭାବ ଦେଖା ଦେଇପାରେ। ଉତ୍ତର ପୂର୍ବ ଉପକୂଳରେ ଅତିବୃଷ୍ଟି, ଝଡ଼ବାତ୍ୟା ହେବାର ଆଶଙ୍କା କରାଯାଏ। ରାଜ୍ୟର ମାଲିମକଦ୍ଦମା, ଦ୍ରବ୍ୟାଦି ହାନି ଭଳି ପ୍ରଭାବ କେତେକ ସମୟରେ ଦେଖାଦେବ। ଚଳିତ ବର୍ଷ ଶାସକ ଦଳ ଓ ମନ୍ତ୍ରୀ ପରିଷଦର ନେତୃତ୍ବ ସୁଦୃଢ଼ ବା ଅକ୍ଷୁଣ୍ଣ ରହିବ। ବିରୋଧୀ ଦଳମାନେ ଯେତେ ଯାହା ପ୍ରଭାବିତ କରିଲେ ମଧ୍ୟ ବିଶେଷ କ୍ଷତି ବା ଶାସକ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ମୁଖ୍ୟ ଶାସକଙ୍କର ଦକ୍ଷତା, ପରିବର୍ତ୍ତନ ଧାରା ବା ନୂତନ କାର୍ଯ୍ୟ କରିବାର ବ୍ୟବସ୍ଥା, ସୁଦୃଢ଼ ନେତୃତ୍ବ, ଆଦର୍ଶ ବା ଜନହିତକର କାର୍ୟ୍ୟ ପାଇଁ ରାଜ୍ୟର ମାନ୍ୟତା ବୃଦ୍ଧି ପାଇବାର ଯଥେଷ୍ଟ ପ୍ରଭାବ ରହିପାରେ। ଦେଶ ବିଦେଶରେ ରାଜ୍ୟର ଗୌରବ ବୃଦ୍ଧି ହେବାର ଜଣାଯାଏ।

(ଜ୍ୟୋତିଷଶାସ୍ତ୍ର ଆଧାରିତ ଗଣନାଭିତ୍ତିରେ ପଣ୍ଡିତ ଅଭିମନ୍ୟୁ ଦୀକ୍ଷିତଙ୍କ ଆଲେଖ୍ୟ ପ୍ରସ୍ତୁତ ହୋଇଛି। ଗଣନାର ସତ୍ୟାସତ୍ୟ ନେଇ ସଂପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି।)

Leave A Reply

Your email address will not be published.