ଆମେରିକା, ଦକ୍ଷିଣକୋରିଆ ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ କିମ୍‌ଙ୍କ ଧମକ

ପୋଙ୍ଗୟାଙ୍ଗ୍: ଆମେରିକା ଏବଂ ଦକ୍ଷିଣ କୋରିଆ ଉପରେ ପରମାଣୁ ବୋମା ପକାଇବାକୁ ଧମକ ଦେଇଛନ୍ତି ଉତ୍ତର କୋରିଆର ଏକଛତ୍ର ଶାସକ କିମ ଜଙ୍ଗ ଉନ । ଆମେରିକା ସହ ଯେକୌଣସି ସ୍ତରର ସାମରିକ ସଂଘର୍ଷରେ ଉତ୍ତର କୋରିଆ ନିଜର ଆଣବିକ ଅସ୍ତ୍ରର ପ୍ରୟୋଗ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି। ୧୯୫୦-୫୩ କୋରିଆ ଯୁଦ୍ଧର ୬୯ତମ ସ୍ମାରକୀ ଉଦ୍ଦେଶ୍ୟରେ ଗତକାଲି ପେଙ୍ଗୟୋଙ୍ଗରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସାମରିକ କାର୍ଯ୍ୟକ୍ରମରେ ଯୋଗ ଦେଇ କିମ ନିଜର ପ୍ରତିରକ୍ଷା ବିଭାଗର ମନୋବଳ ବଢାଇବା ଉଦ୍ଦେଶ୍ୟରେ ଏହି ବିଷୟ କହିଛନ୍ତି। ବର୍ତ୍ତମାନ କରୋନା ମହାମାରୀକୁ ନେଇ ଉତ୍ତର କୋରିଆର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼ିଥିବା ବେଳେ ସେନାର ମନୋବଳ ସୁଦୃଢ କରିବାକୁ ସେ ଏଭଳି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଆମେରିକା ସହ ବିବାଦ ପରେ ଉତ୍ତର କୋରିଆ ନିଜର ସୁରକ୍ଷା ପାଇଁ ଆଣବିକ ଅସ୍ତ୍ର ତିଆରି କରିଥିଲା । ୨୦୧୭ରେ ଆଣବିକ ଅସ୍ତ୍ର ପରୀକ୍ଷା କରିଥିବା ଉତ୍ତର କୋରିଆ ପୁଣି ଥରେ ଆଣବିକ ପରୀକ୍ଷଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏ ପରିପ୍ରେକ୍ଷୀରେ କିମଙ୍କ ବୟାନକୁ ଗୁରୁତ୍ବ ଦିଆଯାଉଛି ।

Leave a comment